Connect with us

ସାହିତ୍ୟ ସ୍ତମ୍ଭ

(କିମାଶ୍ଚର୍ଯ୍ୟମ୍-୧୧)- ଇନ୍ଦ୍ରଧନୁର କେତେ ଯେ ରଙ୍ଗ!

କଥା ଓ ନିଷ୍ପତ୍ତି ଯେତିକି ଗୁରୁତ୍ୱପୂର୍ଣ୍ଣ, ତା’ପଛର ଥିବା ଭାବନାକୁ ବୁଝିବା ବି ସେତିକି ଗୁରୁତ୍ୱପୂର୍ଣ୍ଣ, ସେ କଥା ଧୀରେ ଧୀରେ ବୁଝିହୁଏ।

Published

on


(ପରଂବ୍ରହ୍ମ ତ୍ରିପାଠୀ)

ବାପା ଯେତେବେଳେ ବି ମୋ ପାଖକୁ ଦିଲ୍ଲୀ ଆସୁଥିଲେ, ଦିଲ୍ଲୀରେ ରହୁଥିବା ନିଜ ପୁରୁଣା ଛାତ୍ରଛାତ୍ରୀଙ୍କୁ ନିଶ୍ଚିତ ଭେଟୁଥିଲେ। ଦିଲ୍ଲୀରେ ରହୁଥିବା ଛାତ୍ରଛାତ୍ରୀଙ୍କ ଭିତରେ ବାପାଙ୍କର ସବୁଠାରୁ ପ୍ରିୟ ହେଲେ ଦେବେନ୍ଦ୍ର ଭାଇ। ଦେବେନ୍ଦ୍ର ଭାଇଙ୍କ ସହ କିଛି ସମୟ କଥା ହେଲା ପରେ ବାପା ତାଙ୍କୁ ପଚାରନ୍ତି, କୁନା(ମୋ ଡାକ ନାମ) କେମିତି କଣ କରୁଛି? ଦେବେନ୍ଦ୍ର ଭାଇ ଅଳ୍ପ ହସି ଉତ୍ତର ଦିଅନ୍ତି ଯେ କୁନା ତ ଆପଣଙ୍କୁ କହିଥିବ ତା ଚାକିରୀ ଓ ଲେଖାଲେଖି ବିଷୟରେ। ବାପା ଏ ଉତ୍ତରରେ ପ୍ରତିଥର ସାମାନ୍ୟ ବିରକ୍ତି ଭାବ ଦେଖେଇ ଉତ୍ତର ଦିଅନ୍ତି, ସିଏ କଣ କହିବ ମ? ତୁ କହୁନୁ ସିଏ ଏଠି କେମିତି ଅଛି କଣ କରୁଛି? ଏକଥାଟିକୁ ଦୁଇଟି ଦୃଷ୍ଟିରେ ଦେଖାଯାଇପାରେ। ପ୍ରଥମଟି ହେଲା, ବୋଧେ ବାପାଙ୍କର ପୁଅର କଥା ଉପରେ ଭରସା ନାହିଁ, ସେଥିପାଇଁ ସେ ପୁଅ ବିଷୟରେ ସତ୍ୟାସତ୍ୟ କଣ ତାହା ଆଉ ଜଣେ ବିଶ୍ୱାସଯୋଗ୍ୟ ଲୋକଠାରୁ ସୁନିଶ୍ଚିତ କରାଇବାକୁ ଚାହୁଁଛନ୍ତି। ଅବା, ଏମିତି ବି ହୋଇପାରେ ଯେ ପୁଅ ଭଲ ଅଛି, ପୁଅ ଉନ୍ନତି କରୁଛି ଏକଥାଟି ପୁଅ ମୁହଁରୁ ନୁହେଁ, ବାହାର ଲୋକଙ୍କ ମୁହଁରୁ ଶୁଣିବା ବାପାଙ୍କର ଇଛା।

ଦୁଇଟି ଯାକ ଦୃଷ୍ଟିଭଙ୍ଗୀ ଭିତରୁ ଆପଣ କେଉଁଟିକୁ ଗ୍ରହଣ କରିବେ ତାହା ଦୁଇଟି ମୂଳଭୂତ କାରଣ ଉପରେ ନିର୍ଭର କରେ। ପ୍ରଥମଟି ହେଲା ଆପଣଙ୍କର ଜୀବନ ପ୍ରତି ଥିବା ନିଜସ୍ୱ ଦୃଷ୍ଟିଭଙ୍ଗୀ। ଯଦି ଏହା ସକାରାତ୍ମକ ତେବେ ଆପଣଙ୍କୁ ଦ୍ଵିତୀୟ ଦୃଷ୍ଟିକୋଣଟି ଠିକ ଓ ପ୍ରଯୁଜ୍ୟ ଲାଗିବ। ଯଦି ଆପଣ ନିଜେ ନକରାତ୍ମକ ଦୃଷ୍ଟିଭଙ୍ଗୀରେ ପୀଡିତ, ତାହାଲେ ଆପଣଙ୍କୁ ପ୍ରଥମ ଦୃଷ୍ଟିକୋଣଟି କେବଳ ଭଲ ଲାଗିବ ନାହିଁ, ବରଂ ଆପଣ ସେଥିରେ ଜିରା, ଲଙ୍କା, ଭୃସଙ୍ଗପତ୍ର ଛୁଙ୍କ ଦେଇ ଆହୁରି ମସଲାଦାର କରି ଅନ୍ୟମାନଙ୍କ ଆଗରେ ପରସିବେ।

ଏବେ ଆସିବା ଦ୍ଵିତୀୟ କାରଣଟିକୁ। ସେଇଟି ହେଲା , ଆପଣ କେଉଁ ଦୃଷ୍ଟିକୋଣଟିକୁ ଗ୍ରହଣ କରିବେ ସେଇଟି କଥା କହୁଥିବା ଲୋକଟିକୁ ଆପଣ କେତେ ପାଖରୁ ଵା କେତେଭଲ ଭାବେ ଜାଣିଛନ୍ତି ତା ଉପରେ ମଧ୍ୟ ଅନେକ ମାତ୍ରାରେ ନିର୍ଭରଶୀଳ। ଆପଣଙ୍କର ଯଦି ଚରିତ୍ର ଗୁଡିକ ପ୍ରତି କୌଣସି ନକରାତ୍ମକ ପୂର୍ବାଗ୍ରହ ରହିଛି, ତେବେ ଆପଣଙ୍କ ପାଟିରୁ ସ୍ୱତଃ ବାହାରି ଆସିବ, ଲୋକଟି ନିଜ ପୁଅକୁ ବିଶ୍ୱାସ କରୁନି, ଆମକୁ କଣ ବିଶ୍ୱାସ କରିଥାନ୍ତା। ଠିକ ସେହିପରି ଯଦି ସାମଗ୍ରିକ ଅନୁଶୀଳନ ଆପଣଙ୍କ ବ୍ୟକ୍ତିତ୍ୱର ଅଂଶବିଶେଷ, ଆପଣ ନିଶ୍ଚିତ ଭାବେ ଦ୍ଵିତୀୟ ଦୃଷ୍ଟିଭଙ୍ଗୀ, ସେଥିରେ ଉଭୟ ପିତୃତ୍ୱ ଓ ଜଣେ ଶିକ୍ଷକର ଆକଳନ କରିବେ।

ପ୍ରଥମ ପରିଚ୍ଛଦରେ ମୁଁ ବର୍ଣ୍ଣନା କରିଥିବା ଘଟଣାଟି ଯଦି ଏକ ବୃହତ୍ତର ଶ୍ରୋତାଗୋଷ୍ଠୀ ଆଗରେ ରଖାଯାଏ, ତେବେ ବୋଧହୁଏ ଏ ଦୁଇଟି ଦୃଷ୍ଟିଭଙ୍ଗୀ ସହ ଆଉ ପାଞ୍ଚସାତଟି ନୂଆ ଜିନିଷ ସାମ୍ନାକୁ ଆସିପାରେ। କାରଣ ଦୁଇଟି ଭିନ୍ନ ମଣିଷ, ପ୍ରକୃତି ଓ ପରିସ୍ଥିତି ପ୍ରତି ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖାଇଥାନ୍ତି। ମୁଁ ଯାହା ଭାବୁଛି ଆପଣ ତାହା ଭାବିବେ ବା ଆପଣ ଯାହା ଭାବୁଛନ୍ତି ତା ସହ ମୁଁ ଶତ ପ୍ରତିଶତ ସହମତ ହେବି, ଏପରି ଭାବିବା ଭାବନା ପ୍ରକ୍ରିୟାର ମୌଳିକ ନିୟମର ବିରୋଧାଚରଣ କରେ। ଯେହେତୁ ପ୍ରତି ମଣିଷ ସ୍ୱତନ୍ତ୍ର, ଭାବିବାର ଶୈଳୀ ମଧ୍ୟ ସ୍ୱତନ୍ତ୍ର। ହଁ-ନାହିଁ, କଳା-ଧଳା, ମୋ ସତ୍ୟ ଠିକ-ତୁମ ସତ୍ୟ ଭୁଲ ଭିତରେ ମଣିଷର ଭାବନା ଶକ୍ତି ଓ ଚିନ୍ତାଧାରାକୁ ବୁଝିବାର ପ୍ରୟାସ ଫ୍ୟାକ୍ଟ୍ରିରେ ବିସ୍କୁଟ ତିଆରି କରିବା ଭଳି ପ୍ରକ୍ରିୟା। ଯେଉଁଠି ମେସିନ ଦ୍ୱାରା ଯାଞ୍ଚ କରିହୁଏ ମଇଦା-ଚିନି ଠିକ ଭାବେ ମିଶିଛି କି ନାହିଁ, ପ୍ୟାକିଙ୍ଗ ଭଲ ଭାବେ ହୋଇଛି କି ନାହିଁ।

ହଁ-ନାହିଁ, କଳାଧଳାର ବର୍ଗୀକରଣରୁ ବାହାରି ଆମେ ଯେତେବେଳେ ପରିସ୍ଥିତି ଓ ପରିବେଷ୍ଟନୀର ସାମଗ୍ରିକ ଅନୁଶୀଳନ କରୁ , ସେତେବେଳେ କେବଳ ଅନେକ ନୂଆ ସତ୍ୟ ସାମ୍ନାକୁ ଆସେନି, ବରଂ ଅନେକ ପ୍ରଚଳିତ ମିଥକ ନିଜର ମୁଖା ଖସାନ୍ତି। ଆପଣ ଏହାକୁ ରିଡିଙ୍ଗ ବିଟୁଇନ ଦ ଲାଇନ ବି କହି ପାରନ୍ତି। ଏହି ଅଭ୍ୟାସ ଆପଣଙ୍କ ଦୃଷ୍ଟିଭଙ୍ଗୀ ଓ ଜ୍ଞାନ ଉଭୟର ପରିସୀମା ବିସ୍ତାରିତ କରେ। କଥା ଓ ନିଷ୍ପତ୍ତି ଯେତିକି ଗୁରୁତ୍ୱପୂର୍ଣ୍ଣ, ତା’ପଛର ଥିବା ଭାବନାକୁ ବୁଝିବା ବି ସେତିକି ଗୁରୁତ୍ୱପୂର୍ଣ୍ଣ, ସେ କଥା ଧୀରେ ଧୀରେ ବୁଝିହୁଏ। ଏହା ଆପଣଙ୍କ କଳ୍ପନା ଶକ୍ତି ବଢ଼ାଇ ଅନ୍ୟମାନଙ୍କ ସହ ବେତେଣ୍ଡା ଯୁକ୍ତି ନୁହେଁ ସାର୍ଥକ ଆଲୋଚନା କରିବା ଦିଗରେ ପ୍ରେରିତ କରେ। ସାମଗ୍ରିକ ଅନୁଶୀଳନ ଆପଣଙ୍କୁ ବୁଝାଇ ଦିଏ ଯେ କେବଳ କହିବା ଗୁରୁତ୍ୱପୂର୍ଣ୍ଣ ନୁହେଁ, ସାମ୍ନା ଲୋକକୁ ଧୈର୍ଯ୍ୟର ସହ ଶୁଣିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ।

ଶେଷରେ ଏତିକି, ପୂର୍ବାଗ୍ରହ କିମ୍ବା ଆଂଶିକ ଧାରଣା ପରିବର୍ତ୍ତେ ଆମେ ଯେତେବେଳେ ବ୍ୟକ୍ତି, ବ୍ୟକ୍ତିତ୍ୱ ଓ ପରିସ୍ଥିତିର ସାମଗ୍ରିକ ଅନୁଶୀଳନ କରି ନିଷ୍କର୍ଷରେ ପହଞ୍ଚିବାକୁ ନିଜ ଭାବନାଶୈଳୀର ଅଂଶବିଶେଷ କରିଦେବା, ସେତେବେଳେ ହ୍ଵାଟ୍ସଆପ ବିଶ୍ୱବିଦ୍ୟାଳୟର ଗୁରୁଜ୍ଞାନ, ଫରୱାର୍ଡ, ପ୍ରଚାର ଓ ପ୍ରସାରରେ ପ୍ରଭାବିତ ହୋଇ ପ୍ରତିଦିନ ଆତ୍ମହତ୍ୟା କରିଥିବା ଲକ୍ଷ ଲକ୍ଷ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଗତ ସମ୍ପର୍କ ଭିତରୁ ଅନ୍ତତଃ କିଛିଟାକୁ ବଞ୍ଚେଇ ପାରିବା।

Advertisement

Trending