(କିମାଶ୍ଚର୍ଯ୍ୟମ୍-୧୮)- ଆମେ କ’ଣ ଏମିତି?

(ପରଂବ୍ରହ୍ମ ତ୍ରିପାଠୀ): ଅରୁଣ ଲାଲ କାହିଁକି ୬୮ ବର୍ଷରେ ଆଉ ଥରେ ବାହା ହେଲେ ସେଇଟି ଆମ ଚିନ୍ତାର କାରଣ, ଆଉ ୫୫ ବର୍ଷରେ ବି ସଲମାନ ଖାଁ କାହିଁକି ବାହା ହେଉ ନାହାନ୍ତି ସେଇଟି ବି। ମୋଦି କାହିଁକି ଦିନକୁ ଚାରିଥର ପୋଷାକ ବଦଳୁଛନ୍ତି ସେଲାଗି ଆମେ ଚିନ୍ତିତ, ଆଉ ସମାନ ଭାବେ ଚିନ୍ତିତ କେଜରିବାଲ କାହିଁକି ଇସ୍ତ୍ରୀ ନକରା ସାର୍ଟ ପିନ୍ଧୁଛନ୍ତି, ମଫଲର ବାନ୍ଧୁଛନ୍ତି କିମ୍ବା ଜୋତା ବଦଳରେ ଚପଲ ବ୍ୟବହାର କରୁଛନ୍ତି ବୋଲି। ରାହୁଲ ଗାନ୍ଧୀ କାହିଁକି ନାଇଟ କ୍ଳବ ଗଲେ ସେଇଟି ଆମ ଉଚ୍ଚ ରକ୍ତଚାପର କାରଣ, ଆଉ ପ୍ରଶାସନିକ ଅଧିକାରୀ ଜଣକ କାହିଁକି ଓଡିଶା ସାରା ମନ୍ଦିର ବୁଲୁଛନ୍ତି ସେଇଟି ବି। କରୀନା କାପୁର ତାଙ୍କ ପୁଅ ନାଁ ତୈମୁର ଦେଲେ ଆମର ଅସୁବିଧା, ଶାହରୁଖ ତାଙ୍କ ପୁଅ ନାଁ ଅଵରାମ ଦେଲେ ବି ଆମର ନାକଟେକା। କଣ ପାଇଁ ଆମେ ଏତେ ଚିନ୍ତିତ, ବ୍ୟସ୍ତ, ବିବ୍ରତ ସେସବୁ ଜିନିଷ ପାଇଁ ଯାହା ଆମ ଦୈନନ୍ଦିନ ଜୀବନ, ଜୀବନଧାରଣକୁ ପ୍ରଭାବିତ କରିବାର ସାମାନ୍ୟତମ ଆଶଙ୍କା ରଖେନି?
ଆମେ କଣ ସତରେ ଏମିତି ନା ଆମକୁ ଏମିତି କରି ଦିଆ ଯାଉଛି? ଏଠି ‘ଆମେ’ ଶବ୍ଦଟିକୁ ସଂଖ୍ୟାଧିକ ଓଡ଼ିଆ ଓ ଭାରତୀୟଙ୍କ ପରିପ୍ରେକ୍ଷୀରେ ଗ୍ରହଣ କରିବାକୁ ଅନୁରୋଧ। ଆରମ୍ଭ କରିବା ପ୍ରଥମ ସମ୍ଭାବନାରୁ ବା ଆମେ କଣ ସତରେ ଏମିତି ଆଶଂକାରୁ। ମୋ ବ୍ୟକ୍ତିଗତ ମତଟି ହେଲା ସମ୍ପୂର୍ଣ୍ଣ ନହେଲେ ମଧ୍ୟ ଆମେ ଅନେକାଂଶରେ ଏମିତି। ଅନ୍ୟ କଥାରେ ମୁଣ୍ଡ ଖେଳେଇବା, ଅଯାଚିତ ମତ ମନ୍ତବ୍ୟ ଦେବା, ଏମିତିକି ବ୍ୟକ୍ତିଗତ ଭାବେ ଚିହ୍ନି ନଥିବା ଜାଣିନଥିବା ଲୋକର ଗୁଣ ଅବିଗୁଣକୁ ନେଇ ଚିହ୍ନା ପରିଚିତ କି ବନ୍ଧୁଙ୍କ ସହ ଯୁକ୍ତି କରିବା ଆମ ଭିତରୁ ଅନେକଙ୍କର ଦିନଚର୍ଯ୍ୟା। ଏହି ‘ଅନେକ’ ଶବ୍ଦଟି ଜାତି, ଧର୍ମ, ଲିଙ୍ଗ, ଭୌଗୋଳିକ ଅବସ୍ଥିତି, ଶିକ୍ଷାଗତ ଯୋଗ୍ୟତା, ଅର୍ଥନୈତିକ ଅବସ୍ଥା ଇତ୍ୟାଦି ବିବିଧତା ନିରପେକ୍ଷ। ଯଦି ଅଳ୍ପେ ବହୁତେ ଆମେ ଏମିତି , ତାହାଲେ କାହିଁକି। ଅନେକ କାରଣ ଅଛି, ତା ଭିତରୁ କିଛିଟି ବିଷୟରେ ଆଲୋଚନା କରିବା। ପ୍ରଥମଟି ହେଲା ବ୍ୟକ୍ତିଗତ ଗୋପନୀୟତା ବା ପ୍ରାଇଭେସି ପ୍ରତି ପରମ୍ପରାଗତ ଓ ସାଂସ୍କୃତିକ ଭାବେ ପୁରୁଷ ପୁରୁଷ ଧରି ଆମର ସାମୁହିକ ଉଦାସୀନତା। ସେଇଟି ଏକାନ୍ନବର୍ତ୍ତୀ ପରିବାର ପ୍ରତି ସାଂସ୍କୃତିକ ମୋହ ହେଉ ବା ଦାରିଦ୍ର୍ୟ ଲାଗି ଗୋଟେ ଘରେ ଦୁଇ ବଖରାରେ ଚାରି ପୁରୁଷ ରହିବାର ବାଧ୍ୟବାଧକତା ଲାଗି ହେଉ- ବ୍ୟକ୍ତିର ବ୍ୟକ୍ତିଗତ ଗୋପନୀୟତା ରହିବା ଆବଶ୍ୟକ ଏହି ସତ୍ୟଟି ସହ ଆମେ ପାରମ୍ପରିକ ଭାବେ ଟିକେ କମ ପରିଚିତ। ସୁଖ ହେଉ କି ଦୁଃଖ, କାହା ଘରେ କେଉଁ ଫୁଟଣ ଫୁଟିଲା ତାହା ଆଲୋଚନାର ବିଷୟବସ୍ତୁ ନହେବା ଯାଏ ଆମକୁ ଆମର ଦିନଚର୍ଯ୍ୟା ସମ୍ପୂର୍ଣ୍ଣ ହେଲା ଭଳି ଲାଗେନି।

ଦ୍ୱିତୀୟଟି ହେଲା ଆମର ଦୁର୍ବଳ ବ୍ୟକ୍ତିତ୍ୱ ଆକଳନ। ସାଂସ୍କୃତିକ ଓ ପାରମ୍ପରିକ ଭାବେ ଆମେ ବ୍ୟକ୍ତିତ୍ୱର ଆକଳନ ଅପେକ୍ଷା ବ୍ୟକ୍ତିତ୍ୱକୁ ମହାନ ନହେଲେ ରାବଣ କରିବା ପ୍ରକ୍ରିୟାରେ ବେଶୀ ବିଶ୍ୱାସ ରଖୁ। ଜଣକୁ ନିଜ କ୍ଷେତ୍ରର ସଫଳ ପୁରୁଷ କିମ୍ବା ନାରୀ କହିଦେଲେ ଆମ ମନ ପୁରେନି। ତାଙ୍କୁ କିମ୍ବଦନ୍ତୀ, ପ୍ରବାଦ, ଦେବୀ ଏପରିକି ଭଗବାନ ନକରିବା ଯାଏ ଆମ ପ୍ରଚେଷ୍ଟା ବଳବତ୍ତର ରୁହେ। ସଚିନ ବି ଭଗବାନ, ଅମିତାଭ ବି, କିଶୋର କୁମାର ବି ପ୍ରବାଦ ପୁରୁଷ, ସୋନୁ ନିଗମ ବି। ଯେହେତୁ ଆମେ ଆକଳନ କରୁନା, ଆମକୁ ତଥ୍ୟର ଆବଶ୍ୟକତା ନଥାଏ। ଆମେ କିମ୍ବଦନ୍ତୀ କରିବାକୁ ଚାହୁଁ, ତେଣୁ ଆମକୁ ଦରକାର ପଡେ ଅନେକ ମିଥକ, ଅନେକ ଅଲୌକିକତା। ଏହି ଆବଶ୍ୟକତା ହିଁ ଏ ଅନାବଶ୍ୟକ ଚର୍ଚ୍ଚାର ଜନନୀ।

ତୃତୀୟଟି ହେଲା, ଥରେ ଜଣକୁ ପ୍ରବାଦ କି ମହାତ୍ମା କରି ସାରିଲା ପରେ, ସେ କେଉଁ କ୍ଷେତ୍ରରୁ ଆସିଛନ୍ତି, ତାଙ୍କ ବିଶେଷତ୍ୱ କଣ ଏସବୁ ଜିନିଷ ଆମ ପାଇଁ ଆଉ ବେଶୀ ପ୍ରାସଙ୍ଗିକ ହୋଇ ରୁହେନି। ତେଣୁ କ୍ରିକେଟ ଖେଳାଳୀଟିଏ ଆମ ପାଇଁ ଆଉ ସାଧାରଣ ଖେଳାଳୀ ହୋଇ ରୁହେନି, ବୈଦେଶିକ ନୀତି ଠାରୁ ନେଇ ଗୁରୁବାର ଦିନ ଆଇଁସ ଖାଇବା ଉଚିତ କି ନାହିଁ ଏ ସମସ୍ତ ପ୍ରସଙ୍ଗ ପାଇଁ ସେ ଆମ ଦିଗବାରେଣୀ ଯନ୍ତ୍ର ହୋଇ ଯାଏ। ଆଉ ସେଇଥିପାଇଁ ତାର ଖାଇବା ଠାରୁ ନେଇ ସେ କେଉଁ ରୁମାଲ ବ୍ୟବହାର କରୁଛି, ସେସବୁ ଆମ ଚର୍ଚ୍ଚାର ବିଷୟବସ୍ତୁ ହୋଇ ଯାଏ।

ଚତୁର୍ଥ କାରଣଟିକୁ ଆମ ଭିତରୁ ଅନେକ ସ୍ୱୀକାର କରିବାକୁ ରାଜି ହୋଇ ନପାରନ୍ତି। ସେଇଟି ହେଲା ସାଡେନେଫ୍ରିଏଡ଼ ବା ଅଘଟଣ/ଅନ୍ୟର ଅସୁବିଧାରୁ ଆତ୍ମସନ୍ତୋଷ। ଆମ ଭିତରୁ ସଂଖ୍ୟାଧିକ ଆମ ଅଞ୍ଚଳରୁ ଜଣେ ଭଲ ନମ୍ବର ରଖି ପାସ କଲେ ଯେତିକି ଖୁସି ହେଉନା, ତାଠାରୁ ଅଧିକ ଖୁସି ହେଉ ଯେତେବେଳେ ସେଇ ଭଲ ନମ୍ବର ରଖିଥିବା ପିଲାଟି କୌଣସି କାରଣରୁ ପରବର୍ତ୍ତୀ ପରୀକ୍ଷାରେ କମ ନମ୍ବର ରଖେ। ଆମେ ଏମିତି, କାରଣ ଆମକୁ ଲାଗେ ଯେ ଆମଠାରୁ ଭଲ କରିଥିବା ଲୋକଟି କିଛି ଅଲୌକିକ ଶକ୍ତିର ଅଧିକାରୀ ନହେଲେ କିଛି ଫନ୍ଦି ଫିକର କରି ଆଗକୁ ଯାଇଛି। ସେ ଅଲୌକିକତା ହେଉ କି ଫନ୍ଦିଫିକର, ଉଭୟ ଆବଶ୍ୟକ ରଖନ୍ତି ଅନାବଶ୍ୟକ ଚର୍ଚ୍ଚାର। ପଞ୍ଚମଟି ହେଲା, ଖରାପ ଶୁଣି ବିଶ୍ୱାସ କରିବା ଓ ଭଲଟିକୁ ସନ୍ଦେହ କରିବାର ପ୍ରବୃତ୍ତି ଆମ ଭିତରୁ ଅନେକ ମଧ୍ୟରେ ଭରି ରହିଛି। ଆଉ ଏ ପ୍ରବୃତ୍ତି ଅନାବଶ୍ୟକ ଚର୍ଚ୍ଚାକୁ ପ୍ରୋତ୍ସାହନ ନଦେବା ଯାଏ, ସେଥିରେ ସକ୍ରିୟ ଭାବେ ଅଂଶଗ୍ରହଣ ନକରିବା ଯାଏ, ଆମକୁ ଶାନ୍ତିରେ ନିଶ୍ୱାସ ମାରିବାକୁ ଦିଏନି।

ଆମେ ଏମିତି, କିନ୍ତୁ ଆମ ଭିତରର ଏଇ ପ୍ରବୃତ୍ତିକୁ ଅଧିକ ଇନ୍ଧନ ଯୋଗାଉଛି ଚବିଶ ଘଣ୍ଟିଆ ଖବର ପ୍ରସାରଣ ଓ ସାମାଜିକ ଗଣମାଧ୍ୟମ ବହୁଳ ବ୍ୟବହାର। ଚର୍ଚ୍ଚା କରିବାର ପ୍ରବୃତ୍ତି ତ ଥିଲା, ଏବେ ଚର୍ଚ୍ଚା କରିବା ପାଇଁ ହାତ ପାଆନ୍ତାରେ ଅପର୍ଯ୍ୟାପ୍ତ ମାଲ ମସଲା। ଏ ସୁଯୋଗ ଛାଡେ କିଏ? କିନ୍ତୁ ଏହାଦ୍ୱାରା ଆମର କେଉଁ ସ୍ୱାର୍ଥ କିମ୍ବା ଉଦ୍ଦେଶ୍ୟ ସାଧିତ ହେଉଛି? ଏସବୁ ଚର୍ଚ୍ଚା ଭିତରେ ଜୀବନ ଓ ଜୀବନଧାରଣର ଆବଶ୍ୟକୀୟ ଓ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୁଡିକ ଅଣଦେଖା ନହେଇ ଯାଉନି କି? ଆମର ଏହି ପ୍ରବୃତ୍ତିର ସୁଯୋଗ ନେଇ ଏକ ଶକ୍ତିଶାଳୀ ଗୋଷ୍ଠୀ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସମସ୍ୟାରୁ ଆମ ଧ୍ୟାନ ହଟେଇବାରେ ସଫଳ ହେଉନି କି? ବିଚାର ଆପଣମାନଙ୍କର।

Leave a Reply

Your email address will not be published.