ଓୟୋ ରୁମରେ ରହି ଫେସବୁକରେ ଖେଳ କରୁଥିଲା ଏଞ୍ଜେଲ ପ୍ରିୟା

ଓୟୋ ରୁମରେ ରହି ଫେସବୁକରେ ଖେଳ କରୁଥିଲା ଏଞ୍ଜେଲ ପ୍ରିୟା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଫେସବୁକକୁ କେହି କେହି ଫେକ୍ ବୁକ୍ ମଧ୍ୟ କୁହନ୍ତି। ଏହା ପଛରେ ଅନେକ କାରଣ ହୋଇପାରେ। ତେବେ ଓଡ଼ିଶାର ଯୁବତୀ ଯେଉଁ ଖେଳ କରିଛନ୍ତି, ଫେସବୁକ୍ ସାହାଯ୍ୟରେ ଆପଣ ଜାଣିଲେ ନିଶ୍ଚୟ କହିବେ ଫେସବୁକ୍ ନୁହେଁ ସେଇଟା ଫେକ ବୁକ୍। ଯୁବତୀ ଜଣକ ନାଁ ଓ ଚେହେରା ବଦଳାଇ ଅନେକ ପୁରୁଷଙ୍କୁ ଲକ୍ଷ ଲକ୍ଷ ଟଙ୍କା ଚୂନ ଲଗେଇଛନ୍ତି ମହିଳା । ମିଛ ରୂପ ଯୌବନରେ ଫସାଇ ଫେସବୁକ୍ ଦ୍ଵାରା ପୁରୁଷଙ୍କଠୁ ଲୁଟି ନେଉଥିଲେ ଲକ୍ଷ ଲକ୍ଷ ଟଙ୍କା। ତେବେ ଏବେ ମହିଳାଙ୍କ ଖେଳ ଖତମ୍ କରିଛି ପୋଲିସ। ଅନଲାଇନ୍ ଠକ୍ ମହିଳାଙ୍କୁ ଗିରଫ କରିଛି ପୋଲିସ।
ଯୁବତୀଙ୍କ ପ୍ରକୃତ ନାଁ ପ୍ରିୟଙ୍କା ପ୍ରିୟଦର୍ଶିନୀ ହୋଇଥିବା ବେଳେ ଘର ବାଣପୁରର ନାଚୁଣୀ ଅଞ୍ଚଳରେ ବୋଲି ଜଣା ପଡ଼ିଛି। ଯୁବତୀ ଜଣକ ରାଜଧାନୀର ଓୟୋ ହୋଟେଲ୍‌ରେ ରୁମ୍‌ ଭଡା ନେଇ ରହିବା ସହ ନକଲି ଫେସବୁକ୍ ଓ ହ୍ୱାଟସଆପ ଆକାଉଣ୍ଟ ଖୋଲି ସେଥିରେ ସୁନ୍ଦରୀ ଝିଅଙ୍କ ଫଟୋ ରଖୁଥିଲେ। କେତେବେଳେ ନିଜକୁ ଡାକ୍ତର ତ କେତେବେଳେ ବ୍ୟୁଟିସିଆନ ଓ କେତେବେଳେ ଆଇଟି ପ୍ରଫେସନାଲ ବୋଲି ପରିଚୟ ଦେଉଥିଲେ। ଏଥିସହ ଅନ୍ୟ ଝିଅମାନଙ୍କ ଫଟୋ ବ୍ୟବହାର କରି ଯୁବକମାନଙ୍କୁ ପ୍ରେମ ଜାଲରେ ଫସାଇ ଟଙ୍କା ଲୁଟୁଥିଲେ । କେତେବେଳେ ପାଠପଢା ନାଁରେ ତ କେତେବେଳେ ପରିବାରର ଅସୁବିଧା ପୁଣି କେତେବେଳେ ଦେହ ଖରାପ କହି ଯୁବକମାନଙ୍କ ଠାରୁ ମୋଟା ଅଙ୍କର ଟଙ୍କା ଲୁଟି ନେଉଥିଲେ। କେବଳ ସେତିକି ନୁହେଁ ଟଙ୍କା ନେବା ପରେ ଆକାଉଣ୍ଟ ବ୍ଲକ କରି ଗାୟବ ହୋଇଯାଉଥିଲେ। ଫୋନ କଲେ ବି ଉଠାଉ ନ ଥିଲେ। ଏପରିକି କେହି ଦେଖା କରିବାକୁ ଡାକୁଥିଲେ ନିଜେ ନଯାଇ ଅନ୍ୟମାନଙ୍କୁ ପଠାଉଥିଲେ। ଜଣେ କି ୨ ଜଣ ନୁହେଁ, ୧୦ରୁ ଅଧିକ ଯୁବକଙ୍କୁ ଏପରି ଠକିଛନ୍ତି ମହିଳା ଜଣକ। ନିକଟରେ ରାଜଧାନୀର ଜଣେ ଯୁବକ ୬ଲକ୍ଷ ୫୦ ହଜାର ଟଙ୍କା ଠକେଇର ଶିକାର ହେବା ପରେ ଘଟଣା ସାମ୍ନାକୁ ଆସିଥିଲା। ନିଜକୁ ଡାକ୍ତରୀ ଛାତ୍ରୀ ଆଦ୍ୟାଶା ସାମନ୍ତରାୟ ଭାବେ ପରିଚୟ ଦେଇ ଉକ୍ତ ଯୁବକଙ୍କୁ ବିଭିନ୍ନ କଥା କହି ଟଙ୍କା ଲୁଟି ଥିଲେ। ତେବେ ସନ୍ଦେହ ହେବାରୁ ଯୁବକ ଜଣକ ଖୋଳତାଡ଼ କରି ତାଙ୍କର ପ୍ରକୃତ ପରିଚୟ ଜାଣିବାକୁ ପାଇଥିଲେ। ସେ ତାଙ୍କ ଭଳି ଆହୁରି ଅନେକଙ୍କୁ ଲୁଟି ଥିବା ଯୁବକ ଜଣଙ୍କ ଜାଣିବାକୁ ପାଇବା ପରେ ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲେ। ଘଟଣା ସମ୍ପର୍କରେ ସହିଦନଗର ଥାନାରେ ଏତଲା ଦିଆଯାଇଥିବା ବେଳେ ଆଜି ପୋଲିସ ଚଢଉ କରି ଯୁବତୀଙ୍କୁ ଗିରଫ କରିଛି । ତାଙ୍କ ଠାରୁ ନଗଦ ଏକ ଲକ୍ଷ ଟଙ୍କା ଓ ଏକାଧିକ ଆଇଡି କାର୍ଡ ଜବତ କରିଛି ପୋଲିସ। ଗିରଫ ପରେ ଯୁବତୀଙ୍କୁ କୋର୍ଟ ଚାଲାଣ କରାଯାଇଛି। ଆବଶ୍ୟକ ପଡ଼ିଲେ ପୋଲସ ତାଙ୍କୁ ରିମାଣ୍ଡରେ ଆଣିପାରେ ବୋଲି କୁହାଯାଉଛି। ଏହାସହ ଯୁବତୀଙ୍କ ଦ୍ବାରା ଲୁଟ ଶିକାର ହୋଇଥିବା ଅନ୍ୟ ଯୁବକମାନଙ୍କୁ ଥାନାରେ ଏତଲା ଦେବାକୁ ପୋଲିସ ପରାମର୍ଶ ଦେଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: