ତାଜମହଲକୁ ନେଇ ଓୱେସିଙ୍କ ବୟାନ, ୪୦ଟଙ୍କାରେ ବିକ୍ରି ହୋଇଥାନ୍ତା ପେଟ୍ରୋଲ ଯଦି…

ତାଜମହଲକୁ ନେଇ ଓୱେସିଙ୍କ ବୟାନ, ୪୦ଟଙ୍କାରେ ବିକ୍ରି ହୋଇଥାନ୍ତା ପେଟ୍ରୋଲ ଯଦି…

ପ୍ରିଜମ ନ୍ୟୁଜ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ଏଆଇଏମ୍‌ଆଇଏମ୍‌ (AIMIM) ମୁଖ୍ୟ ଅସଦୁଦ୍ଦିନ ଓୱେସି । ମୁଦ୍ରାସ୍ଫୀତି ଏବଂ ବେକାରୀ ଭଳି ପ୍ରସଙ୍ଗରେ ସେ କେନ୍ଦ୍ର ସରକାରଙ୍କୁ ଘେରିବା ସହ କଡ଼ା ସମାଲୋଚନା କରିଛନ୍ତି । ମୋଦି ସରକାର ଦେଶର ସବୁ ସମସ୍ୟା ପାଇଁ ମୁସଲିମ୍‌ଙ୍କୁ ଦାୟୀ କରୁଥିବା କହି ଏହାର କଡ଼ା ଜବାବ ରଖିଛନ୍ତି ଓୱେସି । ଦେଶରେ ମୁଦ୍ରାସ୍ଫୀତି, ବେକାରୀ ସମସ୍ୟା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ନୁହନ୍ତି, ମୋଗଲମାନେ ଦାୟୀ ବୋଲି ତାତ୍ସଲ୍ୟ କରି ସେ କହିଛନ୍ତି ।

AIMIMର ଟ୍ୱିଟର ହ୍ୟାଣ୍ଡେଲରୁ ଓୱେସିଙ୍କ ଏକ ଭିଡିଓ ଶେଆର କରାଯାଇଛି । ଏହି ଭିଡିଓରେ ଓୱେସି କହିଛନ୍ତି, ଭାରତର ଯୁବକମାନେ ଏବେ ବେକାର ଅଛନ୍ତି, ମୁଦ୍ରାସ୍ଫୀତି ଆକାଶକୁ ଛୁଇଁଛି, ଡିଜେଲ ଲିଟର ଶହେ ଟଙ୍କାରୁ ଅଧିକ ହୋଇଛି । ହେଲେ ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ନୁହନ୍ତି, ମୋଗଲ ସମ୍ରାଟ ଆଉରଙ୍ଗଜେବ ହିଁ ଦାୟୀ। ଯୁବକଙ୍କ ପାଇଁ କୌଣସି କାମ ନାହିଁ, ଏଥିପାଇଁ ସମ୍ରାଟ ଆକବର ଦାୟୀ । ପେଟ୍ରୋଲ ଲିଟର ୧୧୫ ଟଙ୍କା ହୋଇଛି, ଏଥିପାଇଁ ତାଜମହଲର ନିର୍ମାଣକାରୀ ଦାୟୀ ।

ଯଦି ତାଜମହଲ ନିର୍ମାଣ ହୋଇନଥାନ୍ତା, ତେବେ ଆଜି ୪୦ ଟଙ୍କାରେ ପେଟ୍ରୋଲ ମିଳିଥାନ୍ତା। ସେ ତାଜମହଲ ଏବଂ ଲାଲ କିଲ୍ଲା ନିର୍ମାଣ କରି ବହୁତ ବଡ଼ ଭୁଲ କରିଥିଲେ। ଏହା କରାଯିବା ଉଚିତ ନ ଥିଲା । ସେହି ଅର୍ଥ ସଞ୍ଚୟ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେବା ଉଚିତ ଥିଲା ବୋଲି କହି କେନ୍ଦ୍ର ସରକାରଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି ଓୱେସି ।ସେ କହିଛନ୍ତି, ଭାରତରେ କ’ଣ କେବଳ ମୋଗଲମାନେ ଶାସନ କରୁଥିଲେ। ତାଙ୍କ ପୂର୍ବରୁ ଅଶୋକ, ଚନ୍ଦ୍ରଗୁପ୍ତ ବି ଏହି ଦେଶକୁ ଶାସନ କରୁଥିଲେ। କିନ୍ତୁ ଭାଜପାକୁ ଗୋଟିଏ ଆଖିରେ ମୋଗଲ ଓ ଅନ୍ୟ ଆଖିରେ ପାକିସ୍ତାନ ଦେଖାଯାଉଛି।

ଏନେଇ ଓୱେସି କହିଛନ୍ତି, ଆମକୁ କିନ୍ତୁ ମୋଗଲଠୁ କିଛି ନେବାର ନାହିଁ କି ପାକିସ୍ତାନ ସହ କିଛି ସମ୍ପର୍କ ନାହିଁ। ଆମର ଜିନ୍ନା ସହ ବି କିଛି ସମ୍ପର୍କ ନାହିଁ । ଭାରତ ଆମ ଜନ୍ମଭୂମି। ବଞ୍ଚିବୁ ଏଠି, ମରିବୁ ବି ଏଠି । ଭାରତକୁ ଛାଡ଼ି କୁଆଡ଼େ ଯିବାର ପ୍ରଶ୍ନ ଉଠୁନି ।ମହମ୍ମଦଙ୍କୁ ନେଇ ନୂପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ଉପରେ ପ୍ରଧାନମନ୍ତ୍ରୀ ଚୁପ୍‌ ରହିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଓୱେସି । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାହିଁକି ଏ ବାବଦରେ ଚୁପ୍ ଅଛନ୍ତି? ସେ କେବଳ ନୁପୁର ଶର୍ମାଙ୍କର ପ୍ରଧାନମନ୍ତ୍ରୀ ନୁହଁନ୍ତି, ସେ ଦେଶର ୧୩୩ କୋଟି ଲୋକଙ୍କର ପ୍ରଧାନମନ୍ତ୍ରୀ। ଯେଉଁଥିରେ ପ୍ରାୟ ୨୦ କୋଟି ମୁସଲମାନ ମଧ୍ୟ ଆସନ୍ତି । ଆମେ ପ୍ରଧାନମନ୍ତ୍ରୀଙ୍କୁ ପଚାରିବାକୁ ଚାହୁଁଛୁ କେତେ ଦିନ ପର୍ଯ୍ୟନ୍ତ ଆପଣ ନୂପୁର ଶର୍ମାଙ୍କୁ ବଞ୍ଚାଇପାରିବେ, ତାଙ୍କୁ ଏ ପର୍ଯ୍ୟନ୍ତ ଗିରଫ କାର୍ହିକି କରାଯାଇନି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: