୧୧୯ ବର୍ଷ ବୟସ ପରେ ବି ଫିଟ୍ ଆଣ୍ଡ ଫାଇନ୍, ଦୀର୍ଘ ଆୟୁର କାରଣ କିଛି ଏଭଳି

୧୧୯ ବର୍ଷ ବୟସ ପରେ ବି ଫିଟ୍ ଆଣ୍ଡ ଫାଇନ୍, ଦୀର୍ଘ ଆୟୁର କାରଣ କିଛି ଏଭଳି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆଜିକା ସମୟରେ ଜଣେ ବ୍ୟକ୍ତିର ସର୍ବାଧିକ ଜୀବନ ୬୦ ବା ୬୫ ଧରାଯାଉଛି। ୩୦ – ୪୦ ବର୍ଷରୁ ଏତେ ରୋଗ ଘେରୁଛି ଯେ ମଣିଷ ଚଳିବା କଷ୍ଟକର ହେଇ ପଡୁଛି। ଖୁବ୍ କମ ବୟସର ଲୋକମାନେ ମଧୁମେହ, ରକ୍ତଚାପ, ଗ୍ୟାସ୍ ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେବେ ଏପରି ପରିସ୍ଥିତିରେ ଯଦି କେହି ୧୧୯ ବର୍ଷ ବଞ୍ଚିଛନ୍ତି ବୋଲି ଆପଣଙ୍କୁ କୁହାଯାଏ ତେବେ ଏହା ବିସ୍ମିତ କରିବ ନିଶ୍ଚୟ। ତେବେ ତୁର୍କୀ ବାସିନ୍ଦା ସେକର୍ ଆର୍ସଲାନ୍ ୨୭ ଜୁନ୍ ୧୯୦୨ ମସିହାରେ ରେ ଜନ୍ମ ହୋଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଜୀବିତ ଅଛନ୍ତି। ଏବେ ତାଙ୍କୁ ୧୧୯ ବର୍ଷ ବୟସ। ସେ ଦୁନିଆରେ ହୋଇଥିବା ଅନେକ ପରିବର୍ତ୍ତନର ମୁକସାକ୍ଷୀ ଅଟନ୍ତି।
୧୧୯ ବର୍ଷୀୟ ଆର୍ସଲାନ୍ ବିଶ୍ଵର ସବୁଠୁ ଅଧିକ ବୟସ୍କ ଜୀବନ୍ତ ବ୍ୟକ୍ତିର ଆଖ୍ୟା ପାଇଛନ୍ତି। ତାଙ୍କୁ କେହି କେହି ଚଳନ୍ତା ଇତିହାସ କୁହନ୍ତି। ସେ ନିଜ ଆଖିରେ ଦୁଇଟି ବିଶ୍ୱଯୁଦ୍ଧ, ଅଟୋମୋନ ସାମ୍ରାଜ୍ୟର ସମାପ୍ତି, ସ୍ପେନ୍ ଫ୍ଲୁର ଦୁଃଖଦ ଘଟଣା ଏବଂ ବର୍ତ୍ତମାନ କରୋନା ଭାଇରସ ମହାମାରୀ ଦେଖିଛନ୍ତି।ସ୍ଵଭାଗ୍ୟବଶତଃ ତାଙ୍କୁ ଏହି ରୋଗ ହୋଇନାହିଁ, ସେ ସୁସ୍ଥ ଅଛନ୍ତି। ତାଙ୍କ ପୁଅମାନେ କହିଛନ୍ତି ଯେ ଅଲଜାଇମର ବ୍ୟତୀତ ତାଙ୍କ ମା’ଙ୍କର ଅନ୍ୟ କୌଣସି ଶାରୀରିକ ଅସୁସ୍ଥତା ନାହିଁ।
୧୯୦୨ ମସିହାରେ ଜନ୍ମ ହେବା ପରେ ଯଦିଓ ସେ ବର୍ତ୍ତମାନ ୧୧୯ ବର୍ଷ ବୟସର, କିନ୍ତୁ ଭୁଲରେ ତାଙ୍କ ଜନ୍ମଦିନରେ ୧୨୦ ତମ ଜନ୍ମଦିନ କେକ୍ ତାଙ୍କ ପାଖେ ପହଞ୍ଚିଥିଲା। ଜୀବନର ସମସ୍ତ ପର୍ଯ୍ୟାୟ ଦେଖିଥିବା ଆର୍ସଲାନଙ୍କର ୬ ସନ୍ତାନ ଏବଂ ୧୨ ନାତିନାତୁଣୀ ଅଛନ୍ତି। ତେବେ ଆର୍ସଲାନଙ୍କର ମା’ ମଧ୍ୟ ୧୧୦ ବର୍ଷ ବଞ୍ଚିଥିବାର ସେ କୁହନ୍ତି। ଆର୍ସଲାନଙ୍କ ଝିଅ କୁହନ୍ତି ଯେ ତାଙ୍କ ମା’ ଅତି ସରଳ ଜୀବନଯାପନ କରନ୍ତି। ଏହି ବୟସରେ, ସେ ଅଧିକାଂଶ ସମୟ ପୂଜା କରନ୍ତି କିମ୍ବା ନିଜର ପୁରୁଣା ଜୀବନକୁ ମନେ ପକାନ୍ତି। ସେ ନିଜ ସମ୍ପର୍କୀୟମାନଙ୍କ ସହ ରହିବାକୁ ଅଧିକ ପସନ୍ଦ କରନ୍ତି।
ଆର୍ସଲାନଙ୍କ ପରିବାର ସଦସ୍ୟ କହିଛନ୍ତି ଯେ ତାଙ୍କର ଦୀର୍ଘ ଜୀବନର ରହସ୍ୟ ହେଉଛି ପ୍ରାକୃତିକ ଜିନିଷ ଉପରେ ତାଙ୍କର ବିଶ୍ୱାସ। ସେ ଲହୁଣୀ, ମହୁ ଏବଂ ପନିର ଭଳି ପୃଷ୍ଟିକର ଓ ଦେଶୀ ଖାଦ୍ୟ ଖାଇଛନ୍ତି। ଏହି ଜିନିଷଗୁଡ଼ିକ ତାଙ୍କୁ ସର୍ବଦା ପରଷା ଯାଇଥାଏ। ସେ ଏବେବି ଜଳଖିଆରେ ସିଝା ଅଣ୍ଡା ଖାଆନ୍ତି। କିନ୍ତୁ ଏବେ କିଛି ଦିନ ହେବ ସେ ନିଜେ ଦହି ଖାଇବା ଛାଡି ଦେଇଛନ୍ତି। ସେ ସର୍ବଦା ଏକ ସନ୍ତୁଳିତ ଜୀବନ ବିତାଇଛନ୍ତି, ଯେଉଁଥିପାଇଁ ଏତେ ଦିନ ବଞ୍ଚିଛନ୍ତି।
ତେବେ ଏବେ ପର୍ଯ୍ୟନ୍ତ ଜାପାନର କେନ୍ ତାନାକାଙ୍କ ନାମରେ ବିଶ୍ୱର ସର୍ବ ପୁରାତନ ବ୍ୟକ୍ତି ଭାବେ ରେକର୍ଡ ରହିଛି। ତାଙ୍କୁ ୧୧୮ ବର୍ଷ ବୟସ। ତାଙ୍କ ଜନ୍ମର ୬ ମାସ ପୂର୍ବରୁ ଆର୍ସଲାନ୍ ଜନ୍ମ ହୋଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଦୁନିଆର ଦୀର୍ଘ ଜୀବନ, ଅର୍ଥାତ୍ ୧୨୨ ବର୍ଷ ଜୀବିତ ରହିଥିବା ରେକର୍ଡ ଫ୍ରେଞ୍ଚର ମହିଳା ଜାନେ କାଲମେଣ୍ଟଙ୍କ ନାମରେ ରହିଛି। ତେବେ ଆର୍ସଲାନଙ୍କୁ ୧୧୯ ବର୍ଷ ପରେବି ଏତେ ଆକ୍ଟିଭି ଦେଖି ଲୋକମାନେ ଚକିତ ହେଉଛନ୍ତି। ଏବେ ତାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: