ନିଲମ୍ବିତ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ, କୋଟି କୋଟି ଟଙ୍କା ସମ୍ପତିର ସୁରାକ

ନିଲମ୍ବିତ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ, କୋଟି କୋଟି ଟଙ୍କା ସମ୍ପତିର ସୁରାକ

ଭିଜିଲାନ୍ସ ଜାଲରେ ଭୁବନେଶ୍ୱର କମିସନରେଟ ପୋଲିସର ପୂର୍ବତନ କନଷ୍ଟେବଳ ପ୍ରସନ୍ନ ବେହେରା । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରସନ୍ନଙ୍କ ଘରେ ସମେତ ୫ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ଟିମ୍‌ । ଏକକାଳୀନ ଭୁବନେଶ୍ୱର କଳ୍ପନା ଛକ ଘର, ଡୁମଡୁମାର ସ୍ପାର୍କ ଫର୍ନିଚର, ଲିଙ୍ଗିପୁର ଫର୍ଣ୍ଣିଚର ଓ୍ଵାର୍କସପ, ପାତ୍ରପଡା ସ୍ଥିତ ସାଉଥ ସିଟି ବାର୍‌ ସମେତ ପୈତୃକ ଘର ଖୋର୍ଦ୍ଧା ଜିଲ୍ଲା ନୂଆପଡାରେ ଚଢାଉ କରୁଛି ଭିଜିଲାନ୍ସ ଟିମ ।
ଟିମ୍‌ରେ ୨ ଡିଏସପିଙ୍କ ସମେତ ୫ ଜଣ ଇନ୍ସପେକ୍ଟର ସାମିଲ ରହିଥିବା ଜଣା ପଡ଼ିଛି । ମନୀଷ ଅନୁରାଗ ଦାସ ମୃତ୍ୟୁ ମାମଲା ଖୋଳତାଡ ପ୍ରସନ୍ନ ବେହେରା ବିନା ଲାଇସେନ୍‌ସରେ ଭୁବନେଶ୍ୱର ପାତ୍ରପଡ଼ା ସାଉଥ ସିଟି ବାର୍‌ ଚଳାଉଥିବା ଜଣା ପଡ଼ିଥିଲା। ଏହି ଅଭିଯୋଗରେ ପ୍ରସନ୍ନଙ୍କୁ ଗିରଫ କରାଯାଇଥିଲା । ଗତ ସେପ୍ଟେମ୍ବରରୁ ସରିଥିଲା ସାଉଥ ସିଟି ବାରର୍‌ ଲାଇସେନ୍‌ସ ଅବଧି। ମନୀଷ ଅନୁରାଗ ହତ୍ୟା ମାମଲାରେ ତଦନ୍ତ ବେଳେ ସାଉଥ ସିଟି ବାର୍‌ର କାରନାମା ସାମ୍ନାକୁ ଆସିଥିଲା ।
ସେ କେବଳ ବାର୍‌ ଚଲାଉନଥିଲେ, ଶୋ’ ରୁମ୍‌ର ମାଲିକ ମଧ୍ୟ ଥିଲେ। ଚଢ଼ଉ ବେଳେ ପ୍ରସନ୍ନଙ୍କର ଅମାପ ସମ୍ପତ୍ତି ବିଷୟରେ ସୂଚନା ମିଳିଛି।
ଡୁମଡୁମାରେ ରହିଛି ପ୍ରସନ୍ନଙ୍କ ଫର୍ଣ୍ଣିଚର ଶୋ’ ରୁମ। ଯାହାର ମୂଲ୍ୟ କୋଟି କୋଟି ଟଙ୍କା ହେବ। ପ୍ରାୟ ୧୮ ଶହ ସ୍କୋୟର ଫୁଟ ଆଞ୍ଚଳରେ ଛିଡ଼ା ହୋଇଛି। ଶୋ’ ରୁମ୍‌ରେ ରହିଛି ଲକ୍ଷାଧିକ ଟଙ୍କାର ଆଲିସାନ୍‌ ସାମଗ୍ରୀ। ୨୦୧୯ ମସିହାରେ ୦.୨୫୦ ଏକର ଜମିକୁ ୧ କୋଟି ୪୭ ଲକ୍ଷ ୬୦ ହଜାର ଟଙ୍କାରେ କିଣିଥିଲେ ପ୍ରସନ୍ନ। ହେଲେ ସେହି ଜମି ବଜାର ଦାମରୁ ଢେର ଅଧିକ ବୋଲି ଆକଳନ କରୁଛି ଭିଜିଲାନ୍ସ। ତା’ସହ ଶୋ’ ରୁମ୍‌ ନିର୍ମାଣ ହୋଇଥିବା ୧୮୦୦ ବର୍ଗ ଫୁଟ୍‌ ଅଞ୍ଚଳରେ ଛିଡ଼ା ହୋଇଛି ୨ କୋଟିର ବିଲ୍‌ଡିଂ। ଭିଜିଲାନ୍ସର ବୈଷୟିକ ଟିମ୍‌ ପୂରା ସମ୍ପତ୍ତିର ଆକଳନ କରୁଛି। କେଉଁଠୁ ଏତେ ଟଙ୍କା ଆସିଲା? କେତେ ଟଙ୍କା କେଉଁଠି ଖର୍ଚ୍ଚ ହୋଇଛି ? ସେ ସବୁ ବିଷୟରେ ଯାଞ୍ଚ କରାଯାଉଛି। ଏହି ତଦନ୍ତରେ ଭିଜିଲାନ୍ସ ଅର୍ଥ ଓ ଜଙ୍ଗଲ ବିଭାଗର ସହାୟତା ନେବ ବୋଲି ଜଣାପଡିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: