ଓଡ଼ିଶାକୁ ୧୦ ହଜାର ୧୨ କୋଟି ରେଳ ଅନୁଦାନ: ମୋଦିଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର

ଓଡ଼ିଶାକୁ ୧୦ ହଜାର ୧୨ କୋଟି ରେଳ ଅନୁଦାନ: ମୋଦିଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର

ପ୍ରିଜମ ନ୍ୟୁଜ ବ୍ୟୁରୋ: ୨୦୨୩-୨୪ ଆର୍ଥିକ ବର୍ଷ କେନ୍ଦ୍ର ବଜେଟରେ ଓଡ଼ିଶାକୁ ରେକର୍ଡସଂଖ୍ୟକ ୧୦ ହଜାର ୧୨ କୋଟି ଟଙ୍କାର ରେଳ ଅନୁଦାନ ରାଜ୍ୟବାସୀଙ୍କୁ ଖୁସି ଦେଇଛି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାରେ ରେଳ ଭିତ୍ତିଭୂମିର ବିକାଶ ଓ ଯାତ୍ରୀ ସୁବିଧାକୁ ଗୁରୁତ୍ୱ ଦେଇ ଚଳିତ କେନ୍ଦ୍ର ବଜେଟରେ ରେକର୍ଡସଂଖ୍ୟକ ଅନୁଦାନ ପାଇଁ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଦେଇଛନ୍ତି । ସେ ଟ୍ୱିଟ୍ କରିଛନ୍ତି ଯେ ‘ପୂର୍ବୋଦୟ ମିଶନ’ରେ ଓଡ଼ିଶାରେ ରେଳ ଭିତ୍ତିଭୂମିର ବିକାଶକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଉଛି ।

ମୋଦି ସରକାରରେ ଓଡ଼ିଶାକୁ ରେଳ କ୍ଷେତ୍ରରେ ଦାବି ଠାରୁ ଅଧିକ ଅର୍ଥ ମିଳିଛି । ଏହି ଅନୁଦାନ ରେଳ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ସହ ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବ ।ଓଡ଼ିଶାରେ ୩୭ଟି ନୂଆ ରେଳ ଲାଇନ ପ୍ରକଳ୍ପ ପାଇଁ ୨୫୬୪ କୋଟି, ୪,୬୪୩ କିମି ରେଳ ଲାଇନର ଦହୋରୀକରଣ ପାଇଁ ୩୮୦୦ କୋଟି ଟଙ୍କା ବ୍ୟୟବରାଦ ରେଳ ସଂଯୋଗକୁ ସୁଗମ କରିବା ସହ ପର୍ଯ୍ୟଟନ ଭିତ୍ତିଭୂମି ଏବଂ ଅର୍ଥନୀତିକୁ ସଶକ୍ତ କରିବ । ଆର୍ଥିକ ବର୍ଷ ୨୦୨୩-୨୪ କେନ୍ଦ୍ର ବଜେଟରେ ପଶ୍ଚିମ ଓଡିଶାବାସୀଙ୍କ ବହୁ ପ୍ରତିକ୍ଷୀତ ଖୋର୍ଦ୍ଧା ରୋଡ୍- ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ପାଇଁ ୧୫୯୯ କୋଟି ଅନୁଦାନ ରେଳ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରାଇବ ।

ତାଳଚେର-ବିମଳାଗଡ଼ ରେଳ ଲାଇନ ପାଇଁ ୩୦୦ କୋଟି, ଅନୁଗୋଳ- ସୁକିନ୍ଦା ରୋଡ ପାଇଁ ୨୦୦ କୋଟି ଅନୁଦାନ ସ୍ୱାଗତଯୋଗ୍ୟ ।ଲିଙ୍ଗରାଜ ରୋଡ ଷ୍ଟେସନରୁ ପୁରୀ ପର୍ଯ୍ୟନ୍ତ ବନ୍ଦେ ମେଟ୍ରୋ ଟ୍ରେନର ଚଳାଚଳ ଏବଂ ଭୁବନେଶ୍ଵର, ଅନୁଗୋଳ, ତାଳଚେର, ଢେଙ୍କାନାଳ ଓ ସମ୍ବଲପୁର ସମେତ ୫୭ଟି ଷ୍ଟେସନର ନବୀକରଣ ଓ କେବିକେ ଏବଂ ଆକାଂକ୍ଷୀ ଜିଲ୍ଲାରେ ରେଳ ଭିତ୍ତିଭୂମିକୁ ପ୍ରାଧାନ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିକଶିତ ଭାରତର କଳ୍ପନାକୁ ସାକାର କରିବ । ନୂଆ ଜନ ଜାତୀୟ ଗୌରବ କୋରିଡର, ଏନର୍ଜି କୋରିଡର, ନୂତନ ବନ୍ଦର ସଂଯୋଗ ପାଇଁ ରେଳ ଭିତ୍ତିଭୂମି ଏବଂ ଓ୍ୱାନ ଷ୍ଟେସନ- ଓ୍ୱାନ ପ୍ରଡକ୍ଟ ପାଇଁ ଓଡ଼ିଶାର ୨୮ଟି ଷ୍ଟେସନ ଚିହ୍ନଟ କରିବା ପାଇଁ ହୋଇଥିବା ଅଭିନବ ଯୋଜନା ଦ୍ୱାରା ରାଜ୍ୟର ଜନସାଧାରଣ ବିଶେଷ ଲାଭ ପାଇବେ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: