କୋରାପୁଟ ବିକାଶ ପାଇଁ ୧୬୦୦ କୋଟି ଭେଟିଦେଲେ ନବୀନ

ପ୍ରିଜମ ନ୍ୟୁଜ ବ୍ୟୁରୋ: କୋରାପୁଟ ବିକାଶର ନୂଆ ଅଧ୍ୟାୟ ।କୋରାପୁଟକୁ ପାଖାପାଖି ୧୬୦୦ କୋଟିର ପ୍ରକଳ୍ପ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ୧୧୩ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୫୦ କୋଟିର ଋଣ ସହାୟତା ପ୍ରଦାନ କରିଛନ୍ତି ନବୀନ। ୨୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ୧୪୦୦ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।

ଏହିସବୁ ପ୍ରକଳ୍ପ କୋରାପୁଟ ଜିଲ୍ଲାକୁ ଆଗକୁ ନେବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ବିକ୍ରମଦେବ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ଲାଟିନମ ଜୁବୁଲି ସମାରୋହ ଯୋଗଦେଇ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଛନ୍ତି, ଯୁବପିଢ଼ି ଓଡ଼ିଶାର ଆଗାମୀ ଭବିଷ୍ୟତ। ବିକ୍ରମଦେବ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ କରାଗଲା ଏଥିପାଇଁ ମୁଁ ବହୁତ ଖୁସି। ଛାତ୍ରଛାତ୍ରୀମାନେ ସମାଜ ସହ ଯୋଡ଼ି ହୋଇ ରୁହନ୍ତୁ, ଭଲ ପାଠ ପଢ଼ନ୍ତୁ। ବିକ୍ରମଦେବ କଲେଜ ଓଡ଼ିଶାର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିକ୍ରମଦେବ ବିଶ୍ବବିଦ୍ୟାଳୟରେ ଏକ ଅତ୍ୟାଧୁନିକ ଅଡିଟୋରିଅମ ନିର୍ମାଣ କରାଯିବ ବୋଲି ଘୋଷଣା କରିଥିଲେ । ଏ ସଂପର୍କରେ ଅଧିକ ସୂଚନା ଦେଇ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କହିଥିଲେ ଯେ ଏହି ଅଡିଟୋରିଅମ ୧୦୦୦ ଆସନ ବିଶିଷ୍ଟ ହେବ ଏବଂ ଏଥିପାଇଁ ୮ କୋଟି ଟଙ୍କା ବିନିଯୋଗ କରାଯିବ। ସାରା ଓଡ଼ିଶାର ମିଶନ ଶକ୍ତି ମାଆମାନେ ଭଲ କାମ କରି ସାରା ରାଜ୍ୟ ପାଇଁ ସୁନାମ ଆଣିଛନ୍ତି । ମା’ମାନଙ୍କୁ ଉଦ୍ୟୋଗୀ ଭାବେ ଦେଖିବାକୁ ଚାହାଁନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *