ନିଜକୁ ପ୍ରଶ୍ନ ପରେ ପ୍ରଶ୍ନ ପଚାରିବାକୁ ବାଧ୍ୟ କରୁଛି ‘ଏଡିୟୁ ଗୋଦାର’

ମୋ ପାଇଁ କିନ୍ତୁ ଏଭଳି ଭାବନା ସୃଷ୍ଟିକାରୀ ଫିଲ୍ମ ହିଁ ଶ୍ରେଷ୍ଠ….

(ସୁବ୍ରତ କୁମାର ନାୟକ)
ଭାବୁକ…ଆରେ ଭାବୁକ ହେଇ କ’ଣ କରିବେ? ଭାବିବେ…..ଭାବିବେ? ଫିଲ୍ମ ହେଉ କି ମାଗାଜିନ୍‌, ଗପ, କବିତା, ଆପଣ ରହୁଥିବା କୋଠା ଆଉ ଆପଣ ପଢ଼ୁଥିବା, ପଢ଼ିବାକୁ ଯାଉଥିବା ବା ଅଧାରେ ପଢ଼ିବା ବନ୍ଦ କରିବାକୁ ଥିବା ଏ ଦୀର୍ଘଲେଖା କାହାର ଗୋଟେ ଭାବନାର ବିକଶିତ ରୂପ। ଅର୍ଥାତ ସବୁରି ମୂଳରେ ଭାବନାର ମଞ୍ଜିଟିଏ ଲୁଚିକି ରହିଥାଏ। ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟଙ୍କ ନିର୍ଦ୍ଦେଶିତ, ସ୍ବସ୍ତିକ ଚୌଧୁରୀଙ୍କ ପ୍ରଯୋଜିତ ଏବଂ ଅନେକ ଚିହ୍ନାମୁହଁଙ୍କ ଅଭିନୀତ ଫିଲ୍ମ ‘ଏଡିୟୁ ଗୋଦାର’ ଭାବିବାକୁ ବାଧ୍ୟ କରୁଥିବା ପ୍ରୟାସ।

ଇଣ୍ଡି ଫିଲ୍ମ, ନ୍ୟୁ ଓ୍ବେଭ୍‌ ଫିଲ୍ମ ଆଉ ଆର୍ଟ ଫିଲ୍ମ ପରି ଶବ୍ଦସବୁର ଧାର ଧରୁନଥିବା ଏକ ଗାଁରେ ପୁଣି ଫିଲ୍ମ ଫେଷ୍ଟିଭାଲ। ପ୍ରଦର୍ଶିତ ହେବାକୁ ଥିବା ଫିଲ୍ମ ସବୁ ପୁଣି କାହାର, ନା ଫରାସୀ ନ୍ୟୁ ଓ୍ବେଭ୍‌ ଫିଲ୍ମ ନିର୍ମାତା ଗୋଦାରଙ୍କର। ପ୍ରଥମେ ତ ମୁଁ ଆଗରୁ ଏ ନାମଟି ସହ ପରିଚିତ ନଥିଲି, ଏ ନାଁ ସହ ପରିଚୟ କରେଇଥିବାରୁ ଧନ୍ୟବାଦ ଜଣାଇବାକୁ ଚାହିଁବି। କିଛି ପର୍ଣ୍ଣପ୍ରେମୀ ଭୁଲରେ ଗୋଦାରଙ୍କ ଫିଲ୍ମ ଦେଖିବା ପରେ ଆନନ୍ଦଙ୍କ ମନକୁ ଫିଲ୍ମ ଫେଷ୍ଟିଭାଲ କଥା ଆସିବାର ଭାବନା ଚାରିପଟେ ଯଦିଓ ଫିଲ୍ମଟି ଗତିଶୀଳ ହେଉଛି, ଏହା ସହ ସମାନ୍ତରାଳ ଭାବେ ଆଉ ଏକ କାହାଣୀ ପ୍ରତୀକାତ୍ମକ ଭାବେ ଗତି କରୁଛି।

ଅଭିନେତା ଚୌଧୁରୀ ବିକାଶ ଦାସ

ସେ କାହାଣୀ ତିଆରି କରୁଥିବା ଭାବନାଟି କାହାପାଇଁ କେମିତି ହେଇପାରେ। କିନ୍ତୁ ମୁଁ, ଫିଲ୍ମଟି ଆଗକୁ ଆଗକୁ ବଢ଼ିବା ସହ ଆପଣଙ୍କ କଳ୍ପନା ଶକ୍ତି ଯେଉଁ ପରି ଆପଣଙ୍କ ସେହିପରି ଭାବନାଟିଏ ତିଆରି ହେଇଚାଲିବା ଅନୁଭବ କଲି। ଅନ୍ୟପକ୍ଷରେ ବ୍ୟବସାୟିକ ସଫଳତା ଅନୁସାରେ ବା ବଡ଼ ବଡ଼ (ପ୍ରସିଦ୍ଧି ଦୃଷ୍ଟିରୁ) କଳାକାର ଥିବା ଫିଲ୍ମ କାହାପାଇଁ ଭଲ ଫିଲ୍ମ ହୋଇପାରେ। ମୋ ପାଇଁ କିନ୍ତୁ ଏଭଳି ଭାବନା ସୃଷ୍ଟିକାରୀ ଫିଲ୍ମ ହିଁ ଶ୍ରେଷ୍ଠ। ତା’ର କାରଣଟିଏ ଅଛି। ଭାବନା ସୃଷ୍ଟି ହେବା ଅର୍ଥାତ ମସ୍ତିଷ୍କ ଆଜ୍ଞାଙ୍କୁ ଚଳନକ୍ଷମ କରିବା। ଏ ପ୍ରକ୍ରିୟା ଆପଣଙ୍କ ଅଲକ୍ଷ୍ୟରେ ଘଟିଥାଏ। କିଛି ଦୃଶ୍ୟ କଳା ଧଳା (ଅତୀତ) ଆଉ କିଛି ରଙ୍ଗୀନ (ବର୍ତ୍ତମାନ) କାହିଁକି ବୋଲି ମନକୁ ଯଦି ଆସିପାରୁଛି, ଜାଣିବେ ସବୁ ଠିକ ଚାଲିଛି। ଏହା ବ୍ୟତୀତ ଫିଲ୍ମରେ ଆହୁରି ଅନେକ ସୂକ୍ଷ୍ମାତିସୂକ୍ଷ୍ମ ଘଟଣା, ଦୃଶ୍ୟ ଏବଂ ଟ୍ରିଟମେଣ୍ଟ ଦର୍ଶକଙ୍କୁ ଭାବିବାକୁ, ଅନୁମାନ କରିବାକୁ ଆଉ ନିଜକୁ ପ୍ରଶ୍ନ ପରେ ପ୍ରଶ୍ନ ପଚାରିବାକୁ ବାଧ୍ୟ କରିବା ହିଁ ନିର୍ଦ୍ଦେଶକଙ୍କ ବାହାଦୂରୀ ଆଉ ମୋ ପାଇଁ ପୈସା ଅସୁଲ୍। ତେବେ ଏ ଫିଲ୍ମରେ ଚିରାଚରିତ ଥ୍ରିଲର ଆଉ ଆକ୍ସନ୍‌ ଆଦି ଖୋଜିବା ମାନସିକତା ସହ ଦେଖିଲେ ପାଇବେନି। ସବୁ ଅଛି କିନ୍ତୁ ‘ଏମିତି ହୁଏ’ ମାନସିକତାକୁ ଘରେ ଥୋଇଦେଇ ଗଲେ ସବୁ ପାଇପାରିବେ..।

ଅଭିନୟ କଥା କହିବାକୁ ଗଲେ ଚୌଧୁରୀ ବିକାଶ ଦାସଙ୍କ ସଂଳାପ ଶୁଣି ମୋର ମନେହେଲା ପ୍ରକୃତ ଓଡ଼ିଆ ଲୋକଟିଏ ଏମିତି ହିଁ ତ କଥା କହେ। ତାଙ୍କ ନୀରିହପଣ ଆଉ ଇଂରାଜୀ ଉଚ୍ଚାରଣ ଶୁଣି ଲାଗିବ ଆପଣଙ୍କ ଘରପାଖର କେହି ସତେ ଅବା। ଆଉ ହଁ ଯତୀନ୍‌ (ସ୍ବସ୍ତିକ) ଆଉ ଟୁଟୁ (ସୁମିତ)ଙ୍କ ହସି ହସି ଗଡ଼ିବା ବି ଥୟ। ଦୀପାନ୍ବିତ ଭାଇଙ୍କ ଅଭିନୟ ସବୁଥର ପରି ଚମତ୍କାର।

ଇଏ ସବୁ ଗଲା ଫିଲ୍ମଟି କାହିଁକି ଦେଖ‌ିବେର ଉତ୍ତର। କିନ୍ତୁ ଏବେ ମୁଁ କିଛି ଅଂଶରେ ସୁଧାରିହେବା ଭଳି ଦିଗ ପ୍ରତି ନକହିଲେ ଏ ଲେଖା ଅସମ୍ପୂର୍ଣ୍ଣ ମନେହେବ। ଏକ ଚରିତ୍ରର (ଯାହା ମନେପଡ଼ୁଛି ଅଭିଷେକ ଗିରିଙ୍କ ଚରିତ୍ର ପାବ୍‌ଲୋ) କଣ୍ଠସ୍ବର ନିଜେ ନିର୍ଦ୍ଦେଶକ ଅମର୍ତ୍ତ୍ୟ ଦେଇଥିବା ମନେହେଲା। ସେ ମୂଳତଃ ଓଡ଼ିଆ ନହୋଇ ମଧ୍ୟ ତାଙ୍କ ସଂଳାପ ଉଚ୍ଚାରଣ ବହୁତ ନ୍ୟାଚୁରାଲ ମନେହେଉଥିଲା। କିନ୍ତୁ ଅନ୍ୟ କିଛି ଚରିତ୍ର ଯେମିତିକି ଆନନ୍ଦଙ୍କ ଝିଅ ଭୂମିକା ନିଭାଉଥିବା ଚରିତ୍ରର ସଂଳାପ ଟିକେ ଖାପଛଡ଼ା ବା ଲାଗୁଥିଲା। ଅନ୍ୟପକ୍ଷରେ କିଛି ଚରିତ୍ରଙ୍କ ସଂଳାପ ବେଶି ସାହିତ୍ୟ ସାହିତ୍ୟ ମନେହେଉଥିଲା। ଯେଉଁ ଶବ୍ଦସବୁ ଦୀପାନ୍ବିତଙ୍କ ସଂଳାପରେ ରହିଥିଲା, ଭାବନାକୁ ବଜାୟ ରଖି ଦେଶୀ ଶବ୍ଦର ପ୍ରୟୋଗ କରିଥିଲେ ଦର୍ଶକ ଅଧିକ କନେକ୍ଟ କରିପାରିଥା’ନ୍ତେ।

ଶେଷ କଥା ଏତିକି ଅଧିକରୁ ଅଧିକ ଓଡ଼ିଆ ଫିଲ୍ମ ଦେଖନ୍ତୁ, ପ୍ରେକ୍ଷାଳୟ ସଂଖ୍ୟା ବଢ଼ିବ, ଆହୁରି ଅଧିକ ଫିଲ୍ମ ନିର୍ମାଣ ହେବ ଆଉ ଆମ ଓଡ଼ିଆ ସିନେମା ବି ଦେଶ ବିଦେଶରେ ପ୍ରଶଂସିତ ହେବ। ଏବେ ଭାବୁଛନ୍ତି କ’ଣ…ଫିଲ୍ମ ଦେଖିବା ପରେ ଆପେ ଭାବିବେ….। ସତରେ ଫରେନ୍‌ ଫିଲିମ୍‌ ନୁହେଁ ମ ମାଲିକେ ପୂରା ନୋକାଲ୍‌ ଇଏ। ଏ ସିନେମା ସହ ଜଡ଼ିତ ସମସ୍ତଙ୍କୁ ଶୁଭେଚ୍ଛା..ମୋତେ ଭାବିବାକୁ ବାଧ୍ୟ କରିଥିବାରୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *