ଶେଷ ଥର ପାଇଁ ଗାଦି ସମ୍ଭାଳିବେ ନୀତୀଶ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ‘ଅନ୍ତ ଭଲା ତୋ ସବ୍ ଭଲା’ ଅର୍ଥାତ ଶେଷ ଯଦି ଭଲ ହୁଏ ତେବେ ସବୁ କିଛି ଠିକ୍ ଠାକ୍ ଓ ଭଲ ହିଁ ରହିବ । ବିହାର ବିଧାନସଭା ନିର୍ବାଚନ  ଏନଡିଏ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ବେଳେ ନୀତୀଶ କହିଥିଲେ’ 2020 ନିର୍ବାଚନ ଶେଷ ରାଜନୈତିକ ଲଢ଼େଇ’ । ସେ ଏମିତି କହି ବ୍ରହ୍ମାସ୍ତ୍ର ଛାଡ଼ିଥିଲେ ଯାହା ଠିକଣା ସ୍ଥାନରେ ବାଜିଲା ଏବଂ ମିଡିଆର ଆକଳନ ଭୁଲ୍ ପ୍ରମାଣିତ ହୋଇ ବିହାରୀ ବାବୁ କମ ଆସନ ପାଇ ମଧ୍ୟ କ୍ଷମତାରେ ରହିଲେ ।  ସତକୁ ସତ ବିହାରର ବିକାଶ ବାବୁଙ୍କ କଥା ରଖି ଶେଷ ଥର ପାଇଁ ରାଜ୍ୟର ଶାସନ ଭାର ନୀତୀଶ କୁମାରଙ୍କୁ ଦେଇଛନ୍ତି ଜନତା । ଅନ୍ତରୁ ଆରମ୍ଭ ହୋଇଥିବା ଏହି ଭଲ କେତେ ଦୂର ବିକାଶର ଡବଲ ଇଞ୍ଜିନ ସହ ମାଡ଼ି ଚାଲିବ ତାହା ଦେଖିବାକୁ ବାକି ରହିଲା ।

ସେପଟେ ଆଉ କିଛି ସମୟ ପରେ (ସୋମବାର, 16 ତାରିଖ ସଂଧ୍ୟା ସାଢ଼େ 4ଟା) ଲଗାତାର ଚତୁର୍ଥ ଏବଂ ମୋଟ ଭାବେ ସପ୍ତମ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ଜେଡିୟୁ ନେତା ତଥା ଏନଡିଏର ନେତା ନୀତୀଶ କୁମାର । ଆଜି ରାଜଭବନରେ ଶପଥ ଗ୍ରହଣ ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଭିଡ୍ ଗାଇଡ ଲାଇନକୁ କଡ଼ା କଡ଼ି ଭାବେ ପାଳନ କରାଯିବ । ସେପଟେ ବିଜେପି ଓ ଏନଡିଏର କେନ୍ଦ୍ରୀୟ ନେତୃତ୍ୱ ମଧ୍ୟ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।

ନୀତିଶ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେବେ । ନୀତୀଶଙ୍କ ସହ 2ଜଣ ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବେ । ଉତ୍ତର ପ୍ରଦେଶ ଢାଞ୍ଚାରେ ଏଥର ବିହାରରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ରହିବେ । ବିଜେପିର ବରିଷ୍ଠ ବିଧାୟକ ତାରକିଶୋର ପ୍ରସାଦ ଏବଂ ରେଣୁ ଦେବୀ ବିଜେପି ବିଧାୟକ ଦଳର ନେତା ତଥା ଉପ ନେତା ଭାବରେ ନିର୍ବାଚିତ ହୋଇଛନ୍ତି। ଏହି ଦୁଇ ବିଜେପି ନେତାଙ୍କୁ ବିହାର ସରକାରରେ ଉପମୁଖ୍ୟମନ୍ତ୍ରୀ ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି।

ଏଥର ନିର୍ବାଚନରେ ଏକାକୀ ବିଜେପି ୭୪ ଆସନରେ ଜିତିଥିବା ବେଳେ ଜେଡିୟୁକୁ ମିଳିଛି ୪୩ ଆସନ। ବିକାଶଶୀଳ ଇନ୍‌ସାନ୍ ପାର୍ଟି ଓ ହିନ୍ଦୁସ୍ତାନ ଆଓ୍ୱାମ ମୋର୍ଚ୍ଚା ୪ଟି ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି। ଅନ୍ୟପଟେ ମହାଗଠବନ୍ଧନକୁ ମିଳିଛି ୧୧୦ ସିଟ୍ ମହାଗଠବନ୍ଧନରେ ସାମିଲ ତେଜସ୍ୱୀ ଯାଦବଙ୍କ ଆର୍‌ଜେଡି ସର୍ବାଧିକ ୭୫ ଆସନରେ ବିଜୟୀ ହେବା ସହ ସବୁଠୁ ବଡ଼ ଦଳ ଭାବେ ଉଭା ହୋଇଛି। କଂଗ୍ରେସ ଖାତାକୁ ଯାଇଛି ୧୯ ଆସନ ସେହିପରି ବାମ ଦଳ ୧୬ଟି ଆସନ ଅକ୍ତିଆର କରିଛନ୍ତି। ଅନ୍ୟପଟେ ଏଆଇଏମ୍ଆଇଏମ୍ ୫ଟିରେ ବିଜୟ ଲାଭ କରିଥିବା ବେଳେ ବିଏସ୍‌ପି, ଏଲ୍‌ଜେପି ଓ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି।

%d bloggers like this: