ବିମାନ ଦୁର୍ଘଟଣା: ଜାରି ହେଲା ହେଲ୍ପ ଲାଇନ୍ ନମ୍ବର, ରାଷ୍ଟ୍ରପତିଙ୍କ ଦୁଃଖପ୍ରକାଶ

ବିମାନ ଦୁର୍ଘଟଣା: ଜାରି ହେଲା ହେଲ୍ପ ଲାଇନ୍ ନମ୍ବର, ରାଷ୍ଟ୍ରପତିଙ୍କ ଦୁଃଖପ୍ରକାଶ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: କେରଳର କୋଝିକୋଡ ବିମାନବନ୍ଦରରେ ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣା ପରେ ହେଲ୍‌ପଲାଇନ୍‌ ନମ୍ବର ଜାରି ହୋଇଛି। ସିଆଇଏସ୍‌ଏଫ୍‌ର ମହାନିର୍ଦ୍ଦେଶକ ରାଜେଶ ରଂଜନ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଶ୍ରୀ ରଂଜନ କହିଛନ୍ତି, ଦୁର୍ଘଟଣା ପରେ ହେଲ୍‌ପଲାଇନ୍‌ ନମ୍ବର (୦୫୬୫୪୬୩୯୦୩, ୦୫୪୩୦୯୦୫୭୨, ୦୫୪୩୦୯୦୫୭୨, ୦୫୪୩୯୦୫୭୫) ଜାରି ହୋଇଛି। ସେ କହିଛନ୍ତି, ଆମର ଟିମ୍‌ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଆମର ଟିମ୍‌ ବିମାନ ଯାତ୍ରୀଙ୍କୁ ବାହାର କରିବାରେ ଲାଗିପଡ଼ିଛନ୍ତି। ସେହିପରି ଉଦ୍ଧାର କାର୍ଯ୍ୟ ପାଇଁ ଏନ୍‌ଡିଆରଏଫ୍‌ର ଏକ ଟିମ କୋଝିକୋଡ ଅଭିମୁଖେ ବାହାରିଛନ୍ତି। ଏନ୍‌ଡିଆରଏଫ୍‌ର ଏହି ଟିମ୍‌ରେ ୫୦ ଜଣ ସଦସ୍ୟ ଅଛନ୍ତି।

ବିମାନ ଦୁର୍ଘଟଣାରେ ପରେ ସିଆଇଏସ୍‌ଏଫ୍‌ର ଯବାନମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଏନ୍‌ଡିଆରଏଫର ଯବାନମାନେ ଘଟଣାସ୍ଥଳକୁ ପହଂଚୁଛନ୍ତି। ଦୁର୍ଘଟଣା ସମ୍ବେଦନଶୀଳ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେରଳ ମୁଖ୍ୟମନ୍ତ୍ରୀ ପୀନରୟୀ ବିଜୟନଙ୍କ ସହ କଥା ହୋଇଛନ୍ତି।

ଘଟଣାକୁ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଃଖ ପ୍ରକାଶ କରିଛନ୍ତି। ଏହି ଘଟଣାକୁ ନେଇ ରାଷ୍ଟ୍ରପତି କୋବିନ୍ଦ କେରଳ ରାଜ୍ୟପାଳଙ୍କ ସହିତ କଥା ହୋଇଛନ୍ତି। ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଯାତ୍ରୀ, କ୍ରୁ ସଦସ୍ୟ ଓ ସେମାନଙ୍କର ପରିବାରଙ୍କୁ ସମବେଦନା ଜଣାଇଛନ୍ତି।

ଡିଜିସିଏ ଅନୁସାରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ AXB1344, ବୋଇଂ ୭୩୭ ଦୁବାଇରୁ କାଲିକଟ ଆସୁଥିଲା। ବିମାନରେ ୧୯୧ ଜଣ ଯାତ୍ରୀ ଥିଲେ। ପ୍ରବଳ ବର୍ଷା ଯୋଗୁଁ ବିମାନଟି ରନୱେରେ ଅବତରଣ କରିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ବିମାନରେ କ୍ରୁ ସଦସ୍ୟଙ୍କ ସମେତ ୧୯୧ ଜଣ ଯାତ୍ରୀ ଥିଲେ। ଏଥିରେ ୧୦ ଜଣ ଶିଶୁ ମଧ୍ୟ ସାମିଲ ଥିଲେ।

https://twitter.com/PMOIndiaArmy/status/1291779015838031872

ସୂଚନାଯୋଗ୍ୟ, ୧୯୧ ଜଣ ଯାତ୍ରୀଙ୍କୁ ନେଇ ଦୁବାଇରୁ ଆସିଥିବା ଏୟାର୍‌ ଇଣ୍ଡିଆ ଏକ୍ସପ୍ରେସ୍‌ ବିମାନ ଶୁକ୍ରବାର ସନ୍ଧ୍ୟା ୭ଟାରେ କେରଳର କୋଝିକୋଡ଼ ଠାରେ କ୍ରାସ୍‌ ଲ୍ୟାଣ୍ଡିଙ୍ଗ୍‌ କରିବାରୁ ପାଇଲଟ୍‌ଙ୍କର ମୃତ୍ୟୁ ଘଟିବା ସହ ଯାତ୍ରୀମାନେ ଆହତ ହୋଇଛନ୍ତି। ବିମାନ ଲ୍ୟାଣ୍ଡିଙ୍ଗ୍‌ କରିବା ସମୟରେ ପ୍ରବଳ ବୃଷ୍ଟିପାତ ମଧ୍ୟରେ କାରିପୁର ବିମାନ ବନ୍ଦରରେ ଦୁର୍ଘଟଣା ଘଟିଥିବା କୁହାଯାଉଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: