ଭାରତ ପାଇଁ ବଞ୍ଚୁଥିଲେ ଅଟଳ ଜୀ: ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଦେଶର ସବୁଠାରୁ ଅଧିକ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଏବଂ ପ୍ରକୃତ ଭାରତ ରତ୍ନ ହେଉଛନ୍ତି ଅଟଳ ବିହାରୀ ବାଜପେୟୀ । ସୋସିଆଲ ମିଡିଆରେ ଏମିତି କିଛି ବାର୍ତ୍ତା ଦେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ମନେ ପକାଇଛନ୍ତି ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ । ଅଟଳଜୀଙ୍କ ଦ୍ୱିିତୀୟ ପୁଣ୍ୟ ତିଥି ଅବସରରେ ସାରା ଦେଶ ଭାରତର ସୁଯୋଗ୍ୟ ସନ୍ତାନ ଅଟଳ ବିହାରୀ ବାଜପେୟୀଙ୍କୁ ମନେ ପକାଉଛନ୍ତି ।

ଶ୍ରୀ ଅଟଳ ବିହାରୀ ବାଜପେୟୀ

ଜଣେ ଜନନେତା, ଦୃଢ଼ ରାଜନୈତିକ ଇଚ୍ଛାଶକ୍ତିର ଅଧିକାରୀ ଭାବେ ଅଟଳ ବିହାରୀ ବାଜପେୟୀ ସୁପରିଚିତ । ୧୯୯୯ ମସିହା ଅକ୍ଟୋବର ୧୩ ତାରିଖ ଦିନ ଜାତୀୟ ଗାଣତାନ୍ତ୍ରିକ ସାମ୍ମୁଖ୍ୟ ନାମକ ଏକ ନୂତନ ମିଳିତ ସରକାରର ମୁଖ୍ୟ ଭାବେ ସେ କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ । ଏହା ପୂର୍ବରୁ ୧୯୯୬ ମସିହାରେ ସେ ଅଳ୍ପଦିନ ପାଇଁ ପ୍ରଧାନମନ୍ତ୍ରୀ ପଦ ମଣ୍ଡନ କରିଥିଲେ । ପଣ୍ଡିତ ଜବାହାରଲାଲ ନେହରୁଙ୍କ ପରେ ବାଜପେୟୀ କ୍ରମାଗତ ଭାବେ ଦୁଇ ଥର ଜନସମର୍ଥନ ପାଇ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବାରେ ସେ ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ ।

ଜଣେ ଧୂରୀଣ ସାଂସଦ ଭାବେ ଶ୍ରୀ ବାଜପେୟୀଙ୍କ ରାଜନୈତିକ ଜୀବନ ଚାରି ଦଶନ୍ଧିରୁ ଅଧିକ କାଳ ବ୍ୟାପ୍ତ । ସେ ଲୋକସଭାକୁ ୯ ଥର ନିର୍ବାଚିତ ହୋଇଥିବାବେଳେ, ରାଜ୍ୟସଭାକୁ ଦୁଇ ଥର ନିର୍ବାଚିତ ହୋଇଥିଲେ, ଯାହାକି ଏକ ରେକର୍ଡ ।

ଛାତ୍ର ଜୀବନରୁ ଶ୍ରୀ ବାଜପେୟୀ ପ୍ରଥମେ ଜାତୀୟତାବାଦୀ ରାଜନୀତି ପ୍ରଭାବରେ ଆସିଥିଲେ ଏବଂ ୧୯୪୨ ମସିହାର ଭାରତ ଛାଡ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ । ଏହି ଆନ୍ଦୋଳନ ହିଁ ଭାରତରେ ବ୍ରିଟିଶ ଶାସନର ଅନ୍ତକୁ ତ୍ୱରାନ୍ୱିତ କରିଥିଲା । ଜଣେ ରାଜନୀତି ବିଜ୍ଞାନ ଓ ଆଇନର ଛାତ୍ର ଭାବେ କଲେଜ ଜୀବନରୁ ହିଁ ବାଜପେୟୀ ବୈଦେଶିକ ବ୍ୟାପାର ପ୍ରତି ମନରେ ଗଭୀର ଶ୍ରଦ୍ଧାପୋଷଣ କରିଥିଲେ ଏବଂ ଏହି ଆଗ୍ରହକୁ ହିଁ ସେ ସମୟକ୍ରମେ ତୀକ୍ଷ୍ଣ ଓ ବ୍ୟାପକ କରିବା ସହ ଭାରତର ବିଭିନ୍ନ ବହୁପାକ୍ଷିକ ଓ ଦ୍ୱିପାକ୍ଷିକ ଆଲୋଚନାରେ ପ୍ରତିନିଧ୍ୱତ୍ୱ କାଳରେ ଏହାର ସୁଚିନ୍ତିତ ସଦୁପଯୋଗ କରିପାରିଥିଲେ ।

ଶ୍ରୀ ବାଜପେୟୀ ପ୍ରଥମେ ଜଣେ ସାମ୍ବାଦିକ ଭାବେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ ସୁଦ୍ଧା ୧୯୫୧ ମସିହାରେ ଭାରତୀୟ ଜନସଂଘରେ ଯୋଗଦେବା ପରେ ତାଙ୍କ ସାମ୍ବାଦିକ ଜୀବନରେ ପୂର୍ଣ୍ଣଚ୍ଛେଦ ପଡିଥିଲା । ଭାରତୀୟ ଜନସଂଘ ହିଁ ଥିଲା ଆଜିର ଭାରତୀୟ ଜନତା ପାର୍ଟିର ପୂର୍ବ ସ୍ୱରୂପ। ଏବେ ଭାରତୀୟ ଜନତା ପାର୍ଟି ହେଉଛି ଜାତୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟ (NDA)ର ପ୍ରମୁଖ ଅଂଶୀଦାର। ଜଣେ ପ୍ରତିଷ୍ଠିତ କବି ଭାବେ ସୁପରିଚିତ ବାଜପେୟୀ ତାଙ୍କ ରାଜନୈତିକ କାର୍ଯ୍ୟବ୍ୟସ୍ତତା ଓ ଜଞ୍ଜାଳ ମଧ୍ୟରୁ ସମୟ କାଢ଼ି ସଂଗୀତ ଉପଭୋଗ କରନ୍ତି ଏବଂ ବେଳେବେଳେ ରୋଷେଇ କରି ସେଥିରୁ ମଜା ନିଅନ୍ତି ।

ଶ୍ରୀ ବାଜପେୟୀ ୧୯୨୪ ମସିହା ଡିସେମ୍ବର ୨୫ ତାରିଖ ଦିନ ଏକ ସାଧାରଣ ସ୍କୁଲ ଶିକ୍ଷକଙ୍କ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଜନ୍ମସ୍ଥଳ ତତ୍କାଳୀନ ଦେଶୀୟ ରାଜ୍ୟ ଗ୍ଵାଲିଅରରେ (ଏବେ ତାହା ମଧ୍ୟପ୍ରଦେଶର ଅଂଶ ବିଶେଷ) । ରାଜନୀତି କ୍ଷେତ୍ରରେ ତାଙ୍କର ପ୍ରଗତି – ତାଙ୍କ ରାଜନୈତିକ ପାରଦର୍ଶିତା ଓ ଭାରତୀୟ ଗଣତନ୍ତ୍ର ପ୍ରତି ଶ୍ରଦ୍ଧାଞ୍ଜଳି କହିଲେ ଅତ୍ୟୁକ୍ତି ହେବନାହିଁ । ଦଶନ୍ଧି ଦଶନ୍ଧି ଧରି ବିଶ୍ୱ ରାଜନୀତି ପ୍ରସଙ୍ଗରେ ଜଣେ ଉଦାରପନ୍ଥୀ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ପ୍ରତିବଦ୍ଧତା ତାଙ୍କୁ ସର୍ବସାଧାରଣରେ ଜଣେ ସମ୍ମାନସ୍ପଦ ନେତା ଭାବେ ସୁପ୍ରତିଷ୍ଠିତ କରିପାରିଛି ।

ମହିଳା ସଶକ୍ତିକରଣ ଓ ସାମାଜିକ ସମାନତାର ଜଣେ ଦୃଢ଼ ପ୍ରବକ୍ତା ଭାବେ ଶ୍ରୀ ବାଜପେୟୀ ସଦାବେଳେ ଭାରତର ପ୍ରଗତି ଓ ବିକାଶରେ ବିଶ୍ୱାସୀ । ଭାରତ କିଭଳି ଦୃଢ଼ ସମୃଦ୍ଧ ଭାବେ ବିଶ୍ୱ ସମୁଦାୟ ଓ ବୈଶ୍ୱିକ ସଂଗଠନମାନଙ୍କରେ ତାର ଉପଯୁକ୍ତ ସ୍ଥାନ ପାଇପାରିବ ଏହି ଚିନ୍ତାଧାରାରେ ସେ ଜଣେ ପ୍ରମୁଖ ପ୍ରବକ୍ତା । ସେ ସେହି ଭାରତକୁ ପ୍ରତିନିଧିତ୍ୱ କରନ୍ତି ଯାହା 5000 ବର୍ଷର ସଭ୍ୟତା ମଧ୍ୟରୁ ମୁଣ୍ଡ ଟେକିଛି । ସଦାବେଳେ ଆଧୁନିକତାକୁ ଆପଣାଇବାକୁ ଓ ଅଭିନବତ୍ୱ ତଥା ପୁନର୍ଜାଗରଣ ବଳରେ ଆଗାମୀ ହଜାରେ ବର୍ଷ ପାଇଁ ସବୁ ପ୍ରକାର ଚ୍ୟାଲେଞ୍ଜର ମୁକାବିଲା ନିମନ୍ତେ ପ୍ରସ୍ତୁତ ।

ଦେଶ ପ୍ରତି ତାଙ୍କର ନିଃସ୍ୱାର୍ଥପର ନିଷ୍ଠା ଓ ଶ୍ରଦ୍ଧା ଏବଂ ଦୀର୍ଘ ଅର୍ଦ୍ଧଶତାବ୍ଦୀରୁ ଅଧିକ କାଳ ଧରି ସମାଜ ଓ ରାଷ୍ଟ୍ର ପ୍ରତି ତାଙ୍କର ସେବାକୁ ସ୍ୱୀକୃତି ପ୍ରଦାନ ପୂର୍ବକ ଶ୍ରୀ ବାଜପେୟୀଙ୍କୁ ଭାରତର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମବିଭୂଷଣରେ ସମ୍ମାନିତ କରାଯାଇଛି । ୧୯୯୪ ମସିହାରେ ଶ୍ରୀ ବାଜପେୟୀଙ୍କୁ ଭାରତର ଶ୍ରେଷ୍ଠ ସାଂସଦ ଭାବେ ବିବେଚନା କରାଯାଇଥିଲା । ଏହି ଅବସରରେ ତାଙ୍କୁ ପ୍ରଦତ୍ତ ମାନପତ୍ରରେ ଉଲ୍ଲେଖ ଥିଲା: ତାଙ୍କର ନାମକୁ ସତ୍ୟ ବୋଲି ପ୍ରଣାମିତ କରୁଥିବା, ଅଟଳଜୀ ଜଣେ ତୁଙ୍ଗ ଜାତୀୟ ନେତା, ଜଣେ ଧୂରୀଣ ରାଜନୀତିଜ୍ଞ, ଜଣେ ନିଃସ୍ୱାର୍ଥପର ସାମାଜିକ କର୍ମୀ, ବଳିଷ୍ଠ ବକ୍ତା, କବି ଓ ସାହିତ୍ୟିକ, ସାମ୍ବାଦିକ ଏବଂ ନିର୍ବିବାଦରେ ଜଣେ ବିବିଧ ପ୍ରତିଭାଧାରୀ ବ୍ୟକ୍ତିତ୍ୱ……. ଅଟଳଜୀ ଜନସମୂହଙ୍କ ଆଶା ଆକାଂକ୍ଷାର ପ୍ରବକ୍ତା… ତାଙ୍କର ପ୍ରତ୍ୟେକ କାର୍ଯ୍ୟରେ ଜାତୀୟତାବାଦ ପ୍ରତି ନିଷ୍ଠା ଅଙ୍କୁରିତ ହୋଇଥାଏ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: