ସଂକ୍ରମଣ ଭୟ ମଧ୍ୟରେ ଆଜିଠୁ ସଂସଦର ମୌସୁମୀ ଅଧିବେଶନ; ୪୭ଟି ପ୍ରସଙ୍ଗ ଉପରେ ଆଲୋଚନା ସମ୍ଭାବନା

ସଂକ୍ରମଣ ଭୟ ମଧ୍ୟରେ ଆଜିଠୁ ସଂସଦର ମୌସୁମୀ ଅଧିବେଶନ; ୪୭ଟି ପ୍ରସଙ୍ଗ ଉପରେ ଆଲୋଚନା ସମ୍ଭାବନା

ପ୍ରିଜମ ନ୍ୟୁଜ ବ୍ୟୁରୋ: କରୋନା କଟକଣା, ମହାମାରୀର ଭୟ ମଧ୍ୟରେ ଆଜିଠୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । ଆଜିଠୁ ଆରମ୍ଭ ହେଉଥିବା ଏହି ଅଧିବେଶନ ଆସନ୍ତା ଅକ୍ଟୋବର ପହିଲା ଯାଏ ଚାଲିବ । ପ୍ରଥମ ଥର ପାଇଁ କଟକଣା ଭିତରେ ଚାଲିବ ଗୃହକାର୍ଯ୍ୟ। ଏଥର ମୌସୁମୀ ଅଧିବେଶନରେ ୧୮ଟି କାର୍ଯ୍ୟ ଦିବସ ରହିଛି। ଲୋକସଭା ଓ ରାଜ୍ୟସଭା ଅଲଗା ଅଲଗା ସମୟରେ ବସିବ। ପ୍ରଶ୍ନକାଳ, ଶୂନ୍ୟକାଳ, ପ୍ରାଇଭେଟ ମେମ୍ବର ବିଲ ଉପସ୍ଥାପନ ହୋଇପାରିବ ନାହିଁ।

ସକାଳ ୯ଟାରୁ  ଲୋକସଭା ଗୃହକାର୍ଯ୍ୟ ଆରମ୍ଭ ହୋଇଛି ଯାହା ଦିନ ୧ଟା ଯାଏ ଚାଲିବ। ଅନ୍ୟଦିନରେ ଅପରାହ୍ନ ୩ଟାରୁ ସନ୍ଧ୍ୟା ୭ଟା ଯାଏ ଲୋକସଭା ଚାଲିବ। ସେହିପରି ରାଜ୍ୟସଭା ଆଜି ଅପରାହ୍ନ ୩ଟାରୁ ଆରମ୍ଭ ହେବ। ଅନ୍ୟ ଦିନରେ ରାଜ୍ୟସଭା ସକାଳ ୯ଟାରୁ ଦିନ ୧ ଯାଏ ଚାଲିବ।

ଏଥର ଅଧିବେଶନରେ କୌଣସି ଛୁଟି ଦିନ ରହିବ ନାହିଁ ।   କରୋନା ମହାମାରୀ ଯୋଗୁଁ ଗୃହକାର୍ଯ୍ୟକୁ କାଟଛାଂଟ କରାଯାଇଛି । ଉଭୟ ଲୋକସଭା ଓ ରାଜ୍ୟସଭାରେ ଦିନକୁ ମାତ୍ର ୪ ଘଂଟା ପାଇଁ ଚାଲିବ । କରୋନା ଭାଇରସ ଯେପରି ନ ବ୍ୟାପିବ ସେଥିପାଇଁ ଉଭୟ ଗୃହରେ ବ୍ୟାପକ ସତର୍କମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅଧିବେଶନ ପୂର୍ବରୁ ପାରମ୍ପରିକ ଭାବେ ହେଉଥିବା ସର୍ବଦଳୀୟ ବୈଠକକୁ ଏଥର ବାତିଲ କରାଯାଇଛି ।

ତେବେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ବିଜିନେସ୍ ଆଡଭାଇଜରୀ କମିଟି ବୈଠକ ଡାକିଥିଲେ । ସଂସଦର ଏଜେଣ୍ଡା ନେଇ ବୈଠକରେ ଆଲୋଚନା ହୋଇଛି । ବୈଠକରେ ପ୍ରଶ୍ନକାଳ ବାତିଲକୁ ନେଇ ବିରୋଧ ଦଳର ସାଂସଦମାନେ ଆପତି ଉଠାଇଥିଲେ । ସେହିପରି ଭାରତ-ଚୀନ ସୀମା ବିବାଦ, ଦେଶର ଅର୍ଥନୀତି ଓ କରୋନା ମହାମାରୀ ଭଳି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବ ବିରୋଧୀ ଦଳ । ଅଧିବେଶନ ପୂର୍ବରୁ ସମସ୍ତ ସଦସ୍ୟ ଓ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ କରାଯାଇଥିବା କହିଛନ୍ତି ବାଚସ୍ପତି । ଲୋକସଭା ଓ ରାଜ୍ୟସଭା ପାଇଁ ଅଲଗା ଅଲଗା ସିଫ୍ଟ କରାଯାଇଛି ।

ଏହା ସହ ଆଜି ପ୍ରଥମ ଦିନରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ହେବ । ଏନଡିଏ ପକ୍ଷରୁ ଜେଡିୟୁରୁ ହରିବଂଶ ପ୍ରସାଦ ସିଂ ପ୍ରାର୍ଥୀ ହୋଇଥିବାବେଳେ ମିଳିତ ବିରୋଧୀ ଦଳ ପକ୍ଷରୁ ଆରଜେଡିରୁ ମନୋଜ ଝା ପ୍ରାର୍ଥୀ ହୋଇଛନ୍ତି ।

ଇତି ଧ୍ୟରେ ଲୋକସଭାର ପାଞ୍ଚ ଜଣ ସାଂସଦ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଅଧିବେଶନ ଆରମ୍ଭ ପୂର୍ବରୁ ସମସ୍ତ ସାଂସଦଙ୍କୁ କରୋନା ଯାଞ୍ଚ କରାଯାଇଉଛି ଏବଂ ପାଞ୍ଚ ଜଣ ସାଂସଦଙ୍କ ରିପୋର୍ଟ ପଜିଟିଭ ଅଛି। ଅବଶିଷ୍ଟ ସାଂସଦଙ୍କ  ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି।

ଚଳିତ ଅଧିବେଶନରେ ୪୭ଟି ପ୍ରସଙ୍ଗ ଉପରେ ଆଲୋଚନା ହେବ। ଏହାଛଡା ଅଧିବେଶନ କାଳରେ ଅଧ୍ୟାଦେଶ ସ୍ଥାନରେ ୧୧ଟି ବିଲ୍‍କୁ ଉପସ୍ଥାପିତ ହେବ।

ଏହିସବୁ ବିଲ୍‍ ମଧ୍ୟରେ ରହିଛି -କୃଷକଙ୍କ ଉତ୍ପାଦ, ବାଣିଜ୍ୟ ଓ ବ୍ୟବସାୟ (ପ୍ରୋତ୍ସାହନ ତଥା ସୁବିଧା ପ୍ରଦାନ) ବିଲ୍‍-୨୦୨୦, ଭାରତୀୟ ଭେଷଜ କେନ୍ଦ୍ରୀୟ ପରିଷଦ ସଂଶୋଧନ ବିଲ -୨୦୨୦, ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ବିଲ-୨୦୨୦, ବ୍ୟାଙ୍କିଙ୍ଗ୍‍ ନିୟାମକ ସଂଶୋଧନ-୨୦୨୦, ମହାମାରୀ ରୋଗ ସଂଶୋଧନ ବିଲ -୨୦୨୦, ମନ୍ତ୍ରୀମାନଙ୍କ ବେତନ ଓ ଭତ୍ତା ସଂଶୋଧନ ବିଲ-୨୦୨୦।

ଏହାଛଡା ଏହି ଅଧିବେଶନ କାଳରେ ଅନେକଗୁଡିଏ ନୂତନ ବିଲ୍‍ ଉପସ୍ଥାପନ କରାଯାଇ ଆଲୋଚନା ପରେ ଗୃହୀତ ହେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ସେଥିମଧ୍ୟରେ ରହିଛି, ଗୁଣାତ୍ମକମାନ ନିର୍ଣ୍ଣୟ ନିୟାମକ ସଂଶୋଧନ ବିଲ-୨୦୨୦, ଭବିଷ୍ୟନିଧି ନିୟାମକ ଏବଂ ବିକାଶ ପ୍ରାଧିକରଣ ସଂଶୋଧନ ବିଲ -୨୦୨୦, ଜାତୀୟ ସ୍ୱାସ୍ଥ୍ୟସେବା ଏବଂ ଆନୁଷଙ୍ଗିକ ବୃତ୍ତି କମିଶନ ବିଲ-୨୦୨୦, ଦିଲ୍ଲୀର ଜାତୀୟ ରାଜଧାନୀ ଅଞ୍ଚଳରେ ସରକାର ସଂଶୋଧନ ବିଲ-୨୦୨୦, ବିଦେଶ ଅନୁଦାନ ନିୟାମକ ସଂଶୋଧନ ବିଲ୍‍-୨୦୨୦, କିଶୋରମାନଙ୍କୁ ନ୍ୟାୟପ୍ରଦାନ(ଶିଶୁମାନଙ୍କ ଯତ୍ନ ଓ ସୁରକ୍ଷା)ସଂଶୋଧନ ବିଲ୍‍-୨୦୨୦ ଏବଂ ଜାମ୍ମୁ କାଶ୍ମୀର ସରକାରୀ ଭାଷା ବିଲ୍‍-୨୦୨୦।

କୋଭିଡ୍‍-୧୯ ମହାମାରୀ ପୃଷ୍ଠଭୂମିରେ ଏହା ସଂସଦର ପ୍ରଥମ ଅଧିବେଶନ ହେବ। କୋଭିଡ୍‍-୧୯ ପାଇଁ ଜାରି ହୋଇଥିବା ନିୟମାବଳୀ ମୁତାବକ ଅଧିବେଶନ ଚଳାଇବା ନିମନ୍ତେ ସମସ୍ତ ସୁରକ୍ଷାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।

%d bloggers like this: