ମୁମ୍ବାଇର ଅବିଶ୍ବସନୀୟ ବାଜିମାତ

ମୁମ୍ବାଇର ଅବିଶ୍ବସନୀୟ ବାଜିମାତ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଶେଷ ଓଭରରେ ୯ ରନ କରିପାରିଲାନି ଗୁଜରାଟ ଟାଇଟାନ୍ସ। ଡେଥ୍‌ ଓଭରରେ ଡାନିଏଲ୍‌ ସାମ୍ସ ଚମତ୍କାର ବୋଲିଂ କରି ମାତ୍ର ୩ ରନ ବ୍ୟୟ କରି ମୁମ୍ବାଇ ଇଣ୍ଡିଆନ୍ସକୁ ଅବିଶ୍ୱସନୀୟ ବିଜୟ ଭେଟିଦେଲେ। ଫଳରେ ୧୯ତମ ଓଭର ପର୍ଯ୍ୟନ୍ତ ମ୍ୟାଚକୁ ନିୟନ୍ତ୍ରଣରେ ରଖିଥିବା ଗୁଜରାଟକୁ ମୁମ୍ବାଇ ୫ ରନରେ ପରାସ୍ତ କରିବାକୁ ସକ୍ଷମ ହେଲା। ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ୧୦ ମ୍ୟାଚରୁ ମୁମ୍ବାଇର ଏହା ଦ୍ୱିତୀୟ ବିଜୟ।

ଅନ୍ୟପକ୍ଷରେ ଗୁଜରାଟ ବିଜୟ ଦ୍ୱାରରେ ପହଞ୍ଚିଥିଲେ ହେଁ ପରାଜୟ ସ୍ବାଦ ଚାଖିଲା। ଶୁକ୍ରବାର ମ୍ୟାଚରେ ମୁମ୍ବାଇ ୨୦ ଓଭରରେ ୬ ଉଇକେଟ ହରାଇ ୧୭୭ ରନ କରିଥିବା ବେଳେ ଗୁଜରାଟ ୨୦ ଓଭରରେ ୫ ଉଇକେଟ ହରାଇ ୧୭୨ ରନରେ ସୀମିତ ରହିଥିଲା।ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ଗୁଜରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା। ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ଓ ଇଶାନ କିଶନ ବିସ୍ଫୋରକ ବ୍ୟାଟିଂ କରି ଦଳର ବଡ଼ ସ୍କୋର ପାଇଁ ପ୍ଲାଟଫର୍ମ ପ୍ରସ୍ତୁତ କରିଥିଲେ। ଦୁହେଁ ୪୫ ବଲ୍‌ରୁ ଓପନିଂ ଯୋଡ଼ିରେ ଦ୍ରୁତ ୭୪ ରନ ସଂଗ୍ରହ କରିଥିଲେ। ୮ମ ଓଭରର ତୃତୀୟ ବଲ୍‌ରେ ରୋହିତଙ୍କୁ ଏଲବିଡବ୍ଲ୍ୟୁ ଆଉଟ କରି ଗୁଜରାଟକୁ ବ୍ରେକ୍‌ ଥ୍ରୁ ଦେଇଥିଲେ ତାରକା ସ୍ପିନର ରଶିଦ ଖାଁ। ଅମ୍ପାୟର ନଟ୍‌ଆଉଟ ଦେଇଥିଲେ ହେଁ ରଶିଦ ରିଭ୍ୟୁ ନେଇ ସଫଳତା ପାଇଥିଲେ। ରୋହିତ ୨୮ ବଲ୍‌ରୁ ୫ ଚୌକା ଓ ୨ ଛକା ସହାୟତାରେ ୪୩ ରନ କରି ପ୍ୟାଭିଲିୟନ ଫେରିଥିଲେ। ନିର୍ଭରଯୋଗ୍ୟ ସୂର୍ଯ୍ୟକୁମାର ଯାଦବ ୧୧ ବଲ୍‌ରୁ ମାତ୍ର ୧୩ (୧ ଛକା) ରନକରି ଆଉଟ ହେବା ମୁମ୍ବାଇକୁ ଶକ୍ତ ଧକ୍କା ପହଞ୍ଚାଇଥିଲା। କିଶନ ୨୯ ବଲ୍‌ରୁ ୪୫ (୫ ଚେସକା, ୧ ଛକା) ରନ କରିଥିବାବେଳେ ଆଲଜାରି ଜୋସେଫଙ୍କ ବଲ୍‌ରେ ରଶିଦ ଖାଁଙ୍କୁ କ୍ୟାଚ ଦେଇଥିଲେ। ଭେଟେରାନ କିରନ ପୋଲାଡଙ୍କ ଖରାପ ବ୍ୟାଟିଂ ଜାରି ରହିଥିଲା ଏବଂ ସେ ୧୪ ବଲ୍‌ରୁ ମାତ୍ର ୪ ରନକରି ଆଉଟ ହୋଇଥିଲେ। ତିଳକ ବର୍ମା ୨୧ ଏବଂ ଡାନିଏଲ୍‌ ସାମ୍ସ ଖାତା ଖୋଲିପାରି ନ ଥିବାବେଳେ ଶେଷ ଭାଗରେ ଟିମ୍‌ ଡାଭିଡ କେତେକ ଦର୍ଶନୀୟ ଶଟ୍‌ ଖେଳିବାରୁ ମୁମ୍ବାଇ ସ୍କୋର ୧୭୭ରେ ପହଞ୍ଚି ପାରିଥିଲା। ୨୧ଟି ବଲ୍‌ର ସମ୍ମୁଖୀନ ହୋଇଥିବା ଡାଭିଡ ୨ ଚୌକା ଓ ୪ ଛକା ସହାୟତାରେ ୪୪ ରନକରି ଅପରାଜିତ ରହିଥିଲେ।

ଗୁଜରାଟ ପକ୍ଷରୁ ରଶିଦ ଖାଁ ୨ଟି ଏବଂ ଆଲଜାରି ଜୋସେଫ, ଲୋକି ଫର୍ଗୁସନ ଓ ପ୍ରଦୀପ ସଙ୍ଗଓ୍ବନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।ଗୁଜରାଟ ଓପନିଂ ଯୋଡ଼ିରେ ୭୩ ବଲ୍‌ରୁ ୧୦୬ ରନ କରି ବିଜୟ ଦିଗରେ ଅଗ୍ରସର ହୋଇଥିଲା। ୧୩ତମ ଓଭରରେ ମୁମ୍ବାଇ ସ୍ପିନର ମୁରୁଗାନ ଅଶ୍ୱିନ ଗୁଜରାଟର ଦୁଇ ଓପନର ରିଦ୍ଧିମାନ ଶାହା ଓ ଶୁବମନ ଗିଲ୍‌ଙ୍କୁ ଆଉଟ କରିଥିଲେ। ଶୁବମନ ୩୬ ବଲ୍‌ରୁ ୫୨ (୬ ଚୌକା, ୨ ଛକା) ଓ ରିଦ୍ଧିମାନ ୪୦ ବଲ୍‌ରୁ ୫୫ (୬ ଚୌକା, ୨ ଛକା) ରନ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୧୪ ବଲ୍‌ରୁ ୨୪ ରନକରି ରନ୍‌ଆଉଟ ହୋଇ ଯାଇଥିଲେ। ତେବେ ଶେଷ ଓଭରର ନାଟକୀୟ ଘଟଣାକ୍ରମ ଦଳକୁ ପରାଜୟ ମଧ୍ୟକୁ ଠେଲି ଦେଇଥିଲା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: