ପାଟିକୁ ସୁଆଦିଆ ଦେହକୁ ହିତ ମେଥି ଶାଗ ଚିକେନ ରୋଲ୍

ପାଟିକୁ ସୁଆଦିଆ ଦେହକୁ ହିତ ମେଥି ଶାଗ ଚିକେନ ରୋଲ୍

ପ୍ରିଜମ ନ୍ୟୁଜ ବ୍ୟୁରୋ: ବଜାରରୁ କିଣି ହେଉ ବା ଘରେ ତିଆରି କରି ଆପଣମାନେ ବିଭିନ୍ନ ପ୍ରକାର ରୋଲ ଖାଇଥିବେ। ଯେପରି ଚିକେନ୍‌, ଏଗ୍‌, ପନିର, ମସରୁମ୍‌, ମିକ୍ସ ରୋଲ୍‌ ଆଦି। କିନ୍ତୁ କେବେ କୌଣସି ସାଗରେ ପ୍ରସ୍ତୁତ ରୋଲ ଖାଇଛନ୍ତି କି? ଯଦି ନୁହେଁ ଆଜି ଆମେ ଆପଣଙ୍କୁ ମେଥି ପତ୍ର ଚିକେନ ରୋଲ ବିଷୟରେ କହିବୁ। ଏହି ମେଥି ପତ୍ର ରୋଲ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ହେବା ସହ ସ୍ୱାଦିଷ୍ଟ ମଧ୍ୟ । ମେଥିପତ୍ରକୁ ଶାଗ ହିସାବରେ ବ୍ୟବହାର କରାଯାଏ ଏବଂ ମଞ୍ଜିକୁ ବିଭିନ୍ନ ବ୍ୟଞ୍ଜନରେ ବ୍ୟବହାର କରାଯାଏ । କିନ୍ତୁ ଆଜି ଆମେ ଆପଣଙ୍କୁ କହୁଛୁ ମେଥି ଶାଗରେ କିପରି ପ୍ରସ୍ତୁତ କରିବେ ରୋଲ୍ ।

ଆବଶ୍ୟକ ସାମଗ୍ରୀ:

ଚିକେନ – ୨୫୦ ଗ୍ରାମ ଛୋଟ ଛୋଟ କଟା,ଅଣ୍ଡା -୧ଟି,ମଇଦା – ୨କପ,ଲୁଣ – ଆବଶ୍ୟକ ପରିମାଣରେ, ମେଥି ପତ୍ର ୨୦୦ ଗ୍ରାମ, ତେଲ – ଆବଶ୍ୟକ ପରିମାଣରେ,ହଳଦୀ ଗୁଣ୍ଡ – ଅଳ୍ପ, ଲଙ୍କା ଗୁଣ୍ଡ – ଅଳ୍ପ,ଅଦାରସୁଣ ବଟା – ୨ ଚାମଚ,କଟା ପିଆଜ – ୩ଟିଗରମ ମସଲା – ଅଳ୍ପ,କଟା ଧନିଆପତ୍ର, ଟମାଟୋ, ଚିଲ୍ ସସ୍,କଂଚା ଲଙ୍କା – ୩ଟି,ସିମଲା,ଲଙ୍କା – ୧ଟି, ଟମାଟୋ – ୧ଟି

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ମଇଦାରେ ଅଳ୍ପ ଲୁଣ ପକାଇ ଏହାକୁ ଭଲ ଭାବେ ଚକଟି ଦିଅନ୍ତୁ। ଚକଟିବା ପରେ କିଛି ସମୟ ରଖି ଏଥିରେ ଛୋଟ ଛୋଟ ଗୁଳା କରି ସେଥିରେ ଛୋଟ ଛୋଟ କଟା ମେଥି ପତ୍ର ଦେଇ ପତଳା ରୁଟି ବେଲି ଦିଅନ୍ତୁ। ଏବେ ଏକ ପାତ୍ରରେ ଅଣ୍ଡାର ଧଳା ଅଂଶକୁ ଭାଙ୍ଗି ସାମାନ୍ୟ ଲୁଣ ଓ ଧନିଆପତ୍ର ପକାଇ ଗୋଳାଇ ଦିଅନ୍ତୁ। ଏହାପରେ ଗ୍ୟାସରେ ଏକ ତାୱା ବସାଇ ତେଲ ପକାଇ ଅଣ୍ଡାକୁ ପକାଇ ଏହା ଉପରେ ପ୍ରସ୍ତୁତ ରୁଟିକୁ ପକାଇ ଉଭୟ ପଟକୁ ଭଲ ଭାବେ ସେକି ଦିଅନ୍ତୁ। ଏବେ ଏହାକୁ କାଢି ଦିଅନ୍ତୁ। ଏବେ ଗ୍ୟାସରେ ଆଉ ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ ପିଆଜ, ସିମଲା ଲଙ୍କା ପକାଇ ଭାଜିବା ପରେ ଅଦାରସୁଣ ବଟା, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, କଂଚା ଲଙ୍କା, ଲୁଣ ପକାଇ ଭଲଭାବରେ କଷାନ୍ତୁ। କଷିବା ପରେ ଏଥିରେ ଚିକେନ କିମା, ସୋୟା ସସ୍, କିଛି ପିଆଜ ପକାଇ ଭଲ ଭାବେ କଷନ୍ତୁ। ଚିକେନ୍ କଷି ହୋଇଗଲେ ଏବେ ଏଥିରେ ଧନିଆପତ୍ର ପକାଇ ଏକ ପାତ୍ରକୁ କାଢି ପୂର୍ବ ପ୍ରସ୍ତୁତ ରୁଟି ଦେଇ ରଖନ୍ତୁ ଓ ରୋଲ ଭଳି କରନ୍ତୁ। ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ଚିକେନ ମେଥି ରୋଲ । ଆପଣ ଚାହିଁଲେ ଚିକେନରେ ମେଥି ପତ୍ର ପକାଇ କଷି ପାରିବେ। ଆପଣ ଯଦି ଆମିଷ ଖାଉ ନାହାନ୍ତି ତେବେ ପନିର କିମ୍ବା ଛତୁରେ ମେଥି ଶାଗ ଦେଇ ସମାନ ପ୍ରଣାଳୀରେ ପ୍ରସ୍ତୁତ କରି ପାରିବେ। ଏହାକୁ ପିଆଜ,ଚଟଣି କିମ୍ବା ସସ ସହ ଖାଆନ୍ତୁ ଓ ମଜା ନିଅନ୍ତୁ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: