ନାଗାର୍ଜୁନ ବେଶ ପାଇଁ ଗଣନା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପାଇଁ ଗଣନା ହୋଇଛି। ଦୀର୍ଘ ୨୫ ବର୍ଷ ପରେ ମହାପ୍ରଭୁଙ୍କର ଏହି ବିରଳ ବେଶ ଆସନ୍ତା ୨୭ ତାରିଖ ଶୁକ୍ରବାର ପବିତ୍ର କାର୍ତ୍ତିକ ଦ୍ବାଦଶ ତିଥିରେ ଅନୁଷ୍ଠିତ ହେବ। ବିଧି ଅନୁସାରେ, କାର୍ତ୍ତିକ ମାସର ଶେଷ ପାଞ୍ଚଦିନ ଅର୍ଥାତ୍ ପଞ୍ଚୁକ ପାଞ୍ଚଦିନ ପରିବର୍ତ୍ତେ ୬ ଦିନ ପଡିଲେ ଅତିରିକ୍ତ ଦିନରେ ଅର୍ଥାତ୍ ଦ୍ବାଦଶ ତିଥିରେ ଏହି ନାଗାର୍ଜୁନ ବେଶ ହୋଇଥାଏ। ଏବଂ ଚଳିତ ବର୍ଷ ୬ ଦିନ ପଡୁଛି। ପଞ୍ଜିକାରଙ୍କ ଗଣନା ଅନୁଯାୟୀ,

୨୦୨୦ ନଭେମ୍ବର ୨୭ ରେ ମହାପ୍ରଭୁ ଏହି ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ଶେଷଥର ପାଇଁ ମହାପ୍ରଭୁଙ୍କ ଏହି ବେଶ ୧୯୯୪ ମସିହାରେ ହୋଇଥିଲା। ଏହି ବେଶ ମହାପ୍ରଭୁଙ୍କ ବୀର ବେଶ। ମହାପ୍ରଭୁଙ୍କ ବୀର ତଥା ପାର୍ବତ୍ଯ ବେଶରେ ସଜ୍ଜିତ ହେଉଥିବାରୁ ଏହାର ବିଶେଷ ଆକର୍ଷଣ ରହିଛି। ହଜାର ହଜାର ସାଧୁସନ୍ଥ ବାହାରୁ ଆସି ମହାପ୍ରଭୁଙ୍କ ଏହି ବିରଳ ନାଗାର୍ଜୁନ ବେଶ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିଥାନ୍ତି। କନାଜରି ନିର୍ମିତ ଏହି ବେଶରେ ଜଗନ୍ନାଥଙ୍କୁ ଯୋଦ୍ଧା ରୂପେ ସଜାଇ ଦିଆଯାଇଥାଏ। ତାଙ୍କ ଅଣ୍ଟାରେ ନାଗାତାଟି, ଧନୁଶର ପୂର୍ଣ୍ଣ ତୁଣୀର, କଟାରୀ, ଛୁରୀ, ବାଘନଖ, ଏରାପଖିର ପର, ଢାଲ ଓ ଅଣ୍ଟାରେ ଶୋଲ ତିଆରି କାରୁକାର୍ଯ୍ୟରେ ସଜାଇ ଦିଆଯାଇଥାଏ। ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କ ବେଶ ପାଇଁ ଶ୍ରୀହସ୍ତ ଓ ଶ୍ରୀପୟର ମଧ୍ୟ ଲାଗି ହୋଇଥାଏ। ଏହି ବେଶରେ ଶ୍ରୀଜଗନ୍ନାଥ ଦୁଇ ହାତରେ ଓଳମାଳି ଧରିଥାନ୍ତି। ତା ସହିତ ବାମ ହାତରେ ରୂପାଶଙ୍ଖ, ଡାହାଣ ହାତରେ ଚକ୍ର ଧରିଥାନ୍ତି। ଘାଗଡା ମାଳି, ପଦ୍ମ, ହରିଡା, କଣ୍ଠି ତଥା ବାଘନଖ ମାଳିରେ ମହାପ୍ରଭୁଙ୍କୁ ସଜାଯାଏ।

%d bloggers like this: