ଆସୁଛି ଦୁଇଟି ଲଘୁଚାପ, କାଲିଠୁ ୧୯ ଯାଏଁ ପ୍ରବଳ ବର୍ଷା

ଆସୁଛି ଦୁଇଟି ଲଘୁଚାପ, କାଲିଠୁ ୧୯ ଯାଏଁ ପ୍ରବଳ ବର୍ଷା

ପ୍ରିଜମ ନ୍ୟୁଜ ବ୍ୟୁରୋ: ଗୋଟିଏ ଲଘୁଚାପ ବର୍ଷା ନସରୁଣୁ ମାଡ଼ି ଆସୁଛି ଆଉ ଦୁଇଟି ଲଘୁଚାପ। ଆସନ୍ତା ୧୩ରୁ ଆସୁଛି ଆଉ ଏକ ଲଘୁଚାପ । ଏହାରି ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ୧୬ ତାରିଖ ଯାଏଁ ଲାଗି ରହିବ । ପୁଣି ୧୭ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହି ଦୁଇଟି ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଲଗାଣ ବର୍ଷା ଜାରି ରହିବ ବୋଲି ଜଣା ପଡିଛି । ଏହାସହ ନଦୀ ଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବା ଆଶଙ୍କା ରହୁଥିବା ବେଳେ ଉପକୂଳ ଓ ତଳିଆ ଅଞ୍ଚଳରେ ବନ୍ୟା ହୋଇପାରେ। ଏହାସହ ଅନେକ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା କରାଯାଉଛି।୧୩ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଯେଉଁ ଲଘୁଚାପ ସୃଷ୍ଟି ହେବ, ତାହା ଘନୀଭୂତ ହୋଇ ଅବପାତ ରୂପ ନେଇପାରେ ବୋଲି ଜଣାପଡିଛି ।

ଏହାର ପ୍ରଭାବରେ ଉପକୂଳ ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି । ଗଞ୍ଜାମ, ପୁରୀ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, କନ୍ଧମାଳ, ରାୟଗଡ଼ା, ଗଜପତି, ଯାଜପୁର, ଢେଙ୍କାନାଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଅନେକ ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ଉପକୂଳ ଓଡ଼ିଶାରେ ଆସନ୍ତା ୧୨ରୁ ୧୪ ତାରିଖ ଓ ୧୭ରୁ ୧୯ ପର୍ଯ୍ୟନ୍ତ ବର୍ଷା ହୋଇପାରେ । ଆସନ୍ତା ୧୪ ଓ ୧୭ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଦକ୍ଷିଣ, କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାରେ ୧୩ରୁ ୧୫ ତାରିଖ ଓ ୧୮ରୁ ୨୦ ପର୍ଯ୍ୟନ୍ତ ବର୍ଷା ହେବ । ଏହି ଅଞ୍ଚଳରେ ୧୫ ଓ ୧୮ରେ ପ୍ରବଳ ବର୍ଷା ହୋଇପାରେ । ସୀମାନ୍ତବର୍ତ୍ତୀ ଆଭ୍ୟନ୍ତରୀଣ ଉତ୍ତର ଓଡ଼ିଶାରେ ୧୨ରୁ ୧୫, ୧୭ରୁ ୧୮ ବର୍ଷା ହେବ । ମହାନଦୀ ଓ ଏହାର ସମସ୍ତ ଉପନଦୀ ଏବଂ ଶାଖା ନଦୀ ସହ ଦକ୍ଷିଣ ଓଡ଼ିଶାର ସମସ୍ତ ନଦୀ ଏବଂ ବୈତରଣୀରେ ପାଣି ଫୁଲିପାରେ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି। ଏହାସହ ଏବେ ମଧ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଥିବା ବେଳେ କେତେକ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଏବଂ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି କାରଣରୁ ଆଜି ୪ ଟି ଗେଟ୍ ଖୋଲା ଯାଇଥିବା ବେଳେ ଆଗାମୀ ଦିନରେ ଆହୁରି ଗେଟ ଖୋଲା ହେବାର ସମ୍ଭାବନା ରହିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: