୭୧ ବର୍ଷ ପରେ ହ୍ରଦରୁ ମିଳିଲା ନିଖୋଜ ଥିବା ଗାଁ

୭୧ ବର୍ଷ ପରେ ହ୍ରଦରୁ ମିଳିଲା ନିଖୋଜ ଥିବା ଗାଁ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଆମ ପୃଥିବୀ ଅସଂଖ୍ୟ ରହସ୍ୟରେ ଭରା । ସେହି ରହସ୍ୟ ମଧ୍ୟରୁ ମାତ୍ର ଅଳ୍ପ କିଛି ଆଜି ପର୍ଯ୍ୟନ୍ତ ଜଣାପଡିଛି। ସେମିତି ଏକ ରହସ୍ୟର ଉନ୍ମୋଚନ ଇଟାଲୀରେ ହୋଇଛି । ଇଟାଲୀର ଗୋଟିଏ ଗାଁ ଯାହା ପ୍ରାୟ ୭୧ ବର୍ଷ ପୂର୍ବେ ରହସ୍ୟମୟ ଭାବେ ଅଦୃଶ୍ୟ ହୋଇଯାଇଥିଲା। କିନ୍ତୁ ଏତେ ବର୍ଷ ବିତିଯିବା ପରେ ଏହି ଗାଁର ଅବଶେଷ ଏବେ ମିଳିଛି। କୁହାଯାଉଛି ଯେ, ଏହି ଗାଁ ୧୯୫୦ ମସିହାରେ ଅଦୃଶ୍ୟ ହୋଇଯାଇଥିଲା।

କ୍ୟୁରୋନ ନାମକ ଏହି ଗାଁରେ ଦଶନ୍ଧି ପୂର୍ବରୁ ଶହ ଶହ ଲୋକଙ୍କ ପରିବାର ବାସ କରିଥିଲେ । କିନ୍ତୁ ୭୧ ବର୍ଷ ପୂର୍ବେ ଏକ ଜଳ ବିଦ୍ୟୁତ୍ ଉତ୍ପାଦନ ପ୍ରକଳ୍ପ ପାଇଁ ଇଟାଲୀ ସରକାର ଏକ ବନ୍ଧ ନିର୍ମାଣ କରିଥିଲେ ଏବଂ ଏଥି ପାଇଁ ଦୁଇଟି ହ୍ରଦକୁ ଏକାଠି ମିଶାଇ ଦିଆଯାଇଥିଲା। ଦୁଇଟି ହ୍ରଦର ମିଶ୍ରଣ ହେତୁ କ୍ୟୁରୋନ ଗାଁର ଅସ୍ତିତ୍ବ ନଷ୍ଟ ହୋଇଯାଇଥିଲା ଏବଂ ଗାଁଟି ସମ୍ପୂର୍ଣ୍ଣ ଅଦୃଶ୍ୟ ହୋଇଥିଲା। ୧୯୫୦ ମସିହାରେ ଯେତେବେଳେ ଜଳଭଣ୍ଡାର ନିର୍ମାଣ ପାଇଁ ଦୁଇଟି ହ୍ରଦ ମିଶା ଯାଇଥିଲା ସେତେବେଳେ, କ୍ୟୁରୋନ ଗାଁରେ ଅବସ୍ଥିତ ଶହ ଶହ ଘର ଜଳମଗ୍ନ ହୋଇଯାଇଥିଲା । ଗାଁଟି ପାଣିରେ ବୁଡିଯିବାରୁ ଲୋକମାନେ ଅନ୍ୟତ୍ର ସ୍ଥାନାନ୍ତର ହୋଇଥିଲେ । ଏହି ଗାଁର ବିସ୍ଥାପନ ହେତୁ ପ୍ରାୟ ୪୦୦ ଲୋକ ନିକଟସ୍ଥ ଏକ ନୂତନ ଗାଁକୁ ଚାଲିଯାଇଥିଲେ ଏବଂ ଅବଶିଷ୍ଟ ଛଅ ଶହ ଲୋକ ବହୁ ଦୂରରେ ରହିଥିଲେ । ତେବେ ଇଟାଲୀର ଦକ୍ଷିଣ ଟାଇରୋଲର ପଶ୍ଚିମ ଭାଗରେ ଅବସ୍ଥିତ ଏହି ଜଳଭଣ୍ଡାରରେ ମରାମତି କାର୍ଯ୍ୟ କିଛି ଦିନ ତଳେ ଅର୍ଥାତ୍ ପ୍ରାୟ ୭ ଦଶନ୍ଧି ପରେ ଆରମ୍ଭ ହୋଇଥିଲା । ଏହାର ଜଳ ସାମୟିକ ଭାବରେ ଶୁଖିଯାଇଥିଲା। ପାଣି ଶୁଖିଯିବା ପରେ ଗାଁର ଅବଶିଷ୍ଟାଂଶ ଦେଖିବାକୁ ମିଳିଥିଲା। କ୍ୟୁରୋନ ଗାଁ ଅଷ୍ଟ୍ରିଆ ଏବଂ ସ୍ୱିଜରଲ୍ୟାଣ୍ଡର ସୀମାରେ ଅବସ୍ଥିତ। ସାଉଥ ଟିରୋଲ ପୂର୍ବରୁ ଅଷ୍ଟ୍ରିଆର ଅଂଶ ଥିଲା, କିନ୍ତୁ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଏହା ଇଟାଲୀ ଦ୍ୱାରା ଅଧିକୃତ ହୋଇଥିଲା । ଏହି ଅଞ୍ଚଳରେ ବାସ କରୁଥିବା ଲୋକଙ୍କ ପ୍ରଥମ ଭାଷା ହେଉଛି ଜର୍ମାନୀ ଲେଖକ ମାର୍କୋ ବାଲଜାନୋ କ୍ୟୁରୋନ ଗାଁ ଉପରେ ଏକ ଉପନ୍ୟାସ ଲେଖିଥିଲେ। ତେବେ ପାଣିତଳୁ ବାହାରିଥିବା ଏହି ବହୁ ପୂରାତନ ଗାଁ କୁ ନେଇ ଅନୁସନ୍ଧାନ ଜାରି ରହିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: