ଡିସେମ୍ବର ୨୭ରୁ ଖୋଲିବ ଶ୍ରୀ ଲିଙ୍ଗରାଜ ମନ୍ଦିର

ପ୍ରିଜମ ନ୍ୟୁଜ୍ ବ୍ୟୁରୋ:  ଆସନ୍ତା ୨୭ ତାରିଖରୁ ଖୋଲିବ ଏକାମ୍ର କ୍ଷେତ୍ରର ଶ୍ରୀ ଲିଙ୍ଗରାଜ ମନ୍ଦିର। ଶ୍ରୀମନ୍ଦିର ପରେ ଭକ୍ତଙ୍କ ପାଇଁ ଆଶ୍ୱସ୍ତି ଆଣିଛି ଲିଙ୍ଗରାଜ ମନ୍ଦିର ଖୋଲିବା ପାଇଁ ଆସିଥିବା ନିଷ୍ପତ୍ତି । ନିଷ୍ପତ୍ତି ଅନୁସାରେ ଆସନ୍ତା ୨୭ରୁ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନର ସୁଯୋଗ ପାଇବେ ସେବାୟତ ପରିବାର ସଦସ୍ୟ । ଏହା ପରେ ଆସନ୍ତା ଜାନୁଆରୀ ୩ରୁ ୫ ତାରିଖ  ପର୍ଯ୍ୟନ୍ତ ରାଜଧାନୀବାସୀ ଲିଙ୍ଗରାଜଙ୍କ ଦର୍ଶନର ସୁଯୋଗ ପାଇବେ ବୋଲି ଆଜି ବିଏମ୍ସି କମିଶନର ସୂଚନା ଦେଇଛନ୍ତି ।

ସେହିଭଳି ଆସନ୍ତା ୬ ତାରିଖରୁ ସାଧାରଣ ଭକ୍ତଙ୍କ ଲାଗି ଖୋଲିବ ମନ୍ଦିର ପରିସର। ତେବେ କୋଭିଡ୍ କଟକଣା ସ୍ୱରୂପ ଲିଙ୍ଗରାଜ ମନ୍ଦିର ପ୍ରବେଶ ପାଇଁ ଚାହୁଁଥିବା ଭକ୍ତଙ୍କୁ ୪-୫ ଦିନ ତଳର କୋଭିଡ୍ ନେଗେଟିଭ୍ ରିପୋର୍ଟ ପାଖରେ ରଖିବାକୁ ପଡ଼ିବ । ସେହିଭଳି  ଏକକାଳୀନ ସର୍ବାଧିକ ୫ ଶହ ଭକ୍ତ ଉପସ୍ଥିତ ରହିବା ନେଇ ଏସଓପି ଜାରି କରାଯାଇଛି ।

ଏବେ ଚର୍ଚ୍ଚା ଯେ,  ପ୍ରଥମେ ଶ୍ରୀମନ୍ଦିର ଓ ପରେ ଲିଙ୍ଗରାଜ ଖୋଲିବା ନିଷ୍ପତ୍ତି ପରେ ଏବେ ପ୍ରଶାସନ ରାଜ୍ୟର ଅନ୍ୟ ସବୁ ମନ୍ଦିର ଖୋଲିବା ପାଇଁ ନିଷ୍ପତ୍ତି ନେବେ ଏବଂ ଭକ୍ତ ଓ ଭଗବାନଙ୍କ ମିଳନର ସୂତ୍ରଧର ସାଜିବେ  । ବିଶେଷକରି ଦେବୋତ୍ତର କମିଶନ ଅଧୀନରେ ଥିବା ରାଜ୍ୟର ୧୮ ହଜାର ମନ୍ଦିରରେ ଏବେ ବି ତାଲା ଝୁଲୁଥିବାରୁ ଖାଁ ଖାଁ ରହିଛି ରାଜ୍ୟର ପ୍ରାୟ ସମସ୍ତ ମନ୍ଦିର  ।

ସୂଚନା ଥାଉ କି କିଛି ଦିନ ତଳେ ହିଁ  କୋଭିଡ୍ ସ୍ଥିତିକୁ ଦେଖି ସ୍ଥାନୀୟ ପ୍ରଶାସନ ସହ ଆଲୋଚନା ପରେ ମନ୍ଦିର ଖୋଲିବାକୁ ରାଜ୍ୟ ସରକାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଯେ, ଏଯାଏଁ କୌଣସି ଗୋଟିଏ ବି ମନ୍ଦିର ଖୋଲିବା ପାଇଁ ଅନୁମତି ଦିଆଯାଇପାରିନାହିଁ କି ସମ୍ପର୍କରେ ନିଷ୍ପତ୍ତି ମଧ୍ୟ ନିଆଯାଇପାରିନାହିଁ ।

%d bloggers like this: