୯୨ ବର୍ଷରେ ପାଦ ଦେଲେ ସ୍ୱର ସାମ୍ରାଜ୍ଞୀ, ମିଳିଲା ଏମିତି ଉପହାର

୯୨ ବର୍ଷରେ ପାଦ ଦେଲେ ସ୍ୱର ସାମ୍ରାଜ୍ଞୀ, ମିଳିଲା ଏମିତି ଉପହାର

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆଜି ହେଉଛି ସ୍ୱର ସାମ୍ରାଜ୍ଞୀ, ଭାରତ ସଙ୍ଗୀତ ଦୁନିଆର କୋକିଳ କଣ୍ଠି ଲତା ମଙ୍ଗେସକରଙ୍କ ୯୨ତମ ଜନ୍ମଦିନ । ଆମ ସମସ୍ତଙ୍କର ପ୍ରିୟ, ତଥା ଭାରତ ରତ୍ନ ଲତା ମଙ୍ଗେସକର ୧୯୨୯ ମସିହା ସେପ୍ଟେମ୍ବର ୨୮ ତାରିଖରେ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଦିନାନାଥ ମଙ୍ଗେସକର ଜଣେ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଓ ଥିଏଟର କଳାକାର ଥିଲେ । ପିଲା ବେଳୁ ହିଁ ସଙ୍ଗୀତ ପ୍ରତି ମନ ବଳାଇଥିଲେ ଲତା । ତାଙ୍କ ସହ ତାଙ୍କ ଭାଇ ଓ ଭଉଣୀମାନେ ମଧ୍ୟ ଗୀତ ଶିଖୁଥିଲେ । ହେଲେ ଲତାଙ୍କୁ ୧୩ ବର୍ଷ ବୟସ ହୋଇଥିବା ବେଳେ ହୃଦଘାତରେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । ଆଉ ପରିବାର ଚଳାଇବା ପାଇଁ ଶେଷରେ ୧୯୪୨ ମସିହାରେ ସଙ୍ଗୀତ ଜଗତରେ ପାଦ ଦେଇଥିଲେ ଲତା।


୧୯୪୨ରୁ ୧୯୪୮ ମସିହା ମଧ୍ୟରେ ଲତା ମଙ୍ଗେସକର ହିନ୍ଦି ଓ ମରାଠୀ ଭାଷାରେ ୮ଟି ସଙ୍ଗୀତରେ କଣ୍ଠଦାନ କରିଥିଲେ । ୧୯୪୨ ମସିହାରେ ମରାଠୀ ଚଳଚ୍ଚିତ୍ର କିଟ୍ଟି ହାସଲରୁ ସେ ଗାୟିକା ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ମଜବୁର, ବେଦର୍ଦ ଭଳି ଦୁଇଟି ଚଳଚ୍ଚିତ୍ରରେ ଗୀତ ଗାଇ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଏହା ପରେ ପୂରା ସଙ୍ଗୀତ ଜଗତରେ ଛାଇ ଯାଇଥିଲେ ଲତା । ତାଙ୍କ ସଙ୍ଗୀତ ସବୁ ବର୍ଗର ଲୋକଙ୍କୁ ଆକୃଷ୍ଟ କରିଥାଏ। ତେବେ ଆଜି ତାଙ୍କର ଜନ୍ମଦିନ ଅବସରରେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ଦେଶର କୋଣ ଅନୁକୋଣରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି।
ଲତା ମଙ୍ଗେସକରଙ୍କ ୯୨ ତମ ଜନ୍ମ ଦିନରେ ମିଳିଛି ଏକ ସ୍ଵତନ୍ତ୍ର ଉପହାର। ଏହା ଗେଛି ସେ ଗାଇଥିବା ଗୀତ, ଯାହାକି ଆଜି ରିଲିଜ୍‌ ହୋଇଛି। ୨୨ ବର୍ଷ ତଳେ ରେକର୍ଡ କରାଯାଇଥିବା ଏହି ଗୀତ ଗୁଲଜାର ସାହବ ଲେଖିଥିଲେ ଓ ବିଶାଲ ଭରଦ୍ୱାଜ କମ୍ପୋଜ କରିଥିଲେ। ଗୀତଟି ଏଭଳି ଲେଖାଯାଇଛି ଯେ ଲାଗୁଛି ଯେମିତି ବର୍ତ୍ତମାନ ସମୟକୁ ଦୃଷ୍ଟିରେ ରଖି ହୋଇଛି। ଗୀତଟି ହେଉଛି , ‘ସବ୍‌ କୁଛ ଠିକ୍‌ ହେ ଔର କୁଛ୍‌ ଠିକ୍‌ ନେହିଁ ଲଗତା’।
ଖାସ୍‌ କଥା ହେଉଛି ଗୁଲଜାର ସାହେବ ଏହି ଗୀତକୁ ଗୋଟିଏ ଫିଲ୍ମ ପାଇଁ ଲେଖିଥିଲେ। କିନ୍ତୁ କୌଣସି କାରଣରୁ ଫିଲ୍ମଟି ରିଲିଜ୍‌ ହୋଇପାରିନଥିଲା। ଫଳରେ ଗୀତ ମଧ୍ୟ ସାମ୍ନାକୁ ଆସିପାରିନଥିଲା। କିନ୍ତୁ ଆଜି ଲତା ମଙ୍ଗେସକରଙ୍କ ଜନ୍ମ ଦିନରେ ଗୀତଟି ରିଲିଜ୍‌ ହେଉଛି। ଯାହା ତାଙ୍କ ପାଇଁ ପାଲଟିଛି ପରଫେକ୍ଟ ସରପ୍ରାଇଜ୍‌। ଏହି ଗୀତଟି ଶ୍ରୋତା ବେଶ ପସନ୍ଦ ମଧ୍ୟ କରୁଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: