ଚିନ୍ତାରେ ଲାଲୁ, ଜାଣନ୍ତୁ କାହିଁକି ?

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ଚିନ୍ତାରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ । ଯଦିଓ ତାଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଛି । କିନ୍ତୁ ତାଙ୍କ ସେବାରେ ନିୟୋଜିତ ଥିବା ୩ ଜଣ ସେବକଙ୍କ ରିପୋର୍ଟ ଆସିଛି ପଜେଟିଭ, ଯାହାକୁ ନେଇ ତାଙ୍କର ଚିନ୍ତା ବଢି ଯାଇଛି। ସମସ୍ତ ୩ ସେବକଙ୍କୁ ଚିକିତ୍ସା ପାଇଁ କୋଭିଡ ହସ୍ପିଟାଲ ପଠାଯିବା ପରେ ଏବେ ଲାଲୁଙ୍କ ଦେଖାଶୁଣା କିଏ କରିବ, ତାକୁ ନେଇ ଚିନ୍ତାରେ ଲାଲୁ ଓ ତାଙ୍କ ପରିବାର । ୧୫ରୁ ଅଧିକ ରୋଗରେ ପୀଡ଼ିତ ଥିବା ଲାଲୁ ପ୍ରସାଦ ଉଠିବା, ବସିବା ଠାରୁ ଆରମ୍ଭ କରି ବାଥରୁମ୍ ଯିବା ପର୍ଯ୍ୟନ୍ତ ସମସ୍ତ କାମ ପାଇଁ ଅନ୍ୟ ଉପରେ ନିର୍ଭର କରିଥାନ୍ତି। ଏଭଳି ପରିସ୍ଥିତିରେ ନୂଆ ସେବକ ଖୋଜିବା ମୁସ୍କିଲ ହୋଇଥିବା ବେଳେ ଲାଲୁ କିପରି ଚଳିବେ, ତାହାକ ବଡ଼ ସମସ୍ୟା ହୋଇ ଛିଡା ହୋଇଛି ।


RIMSରେ ଚିକିତ୍ସାଧୀନ ଲାଲୁ ପ୍ରସାଦ ଚାରା ଦୁର୍ନୀତି ମାମଲାରେ ଦଣ୍ଡ ଭୋଗୁଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନଥିବାରୁ ଲାଲୁଙ୍କ ସେବାରେ ୩ ଜଣ ସେବକ ନିୟୋଜିତ ହୋଇଥିଲେ । ଗତ ରବିବାର ଲାଲୁ ପ୍ରସାଦଙ୍କ ସମେତ ୩ ଜଣ ସେବାୟତ ଅସଗର, ଲକ୍ଷ୍ମଣ ଓ ଇରଫାନ୍ ଅନସାରୀଙ୍କ ନମୁନା ନିଆଯାଇଥିଲା । ଲାଲୁଙ୍କ ରିପୋର୍ଟ ନେଗଟିଭ ଆସିଥିବା ବେଳେ କାମରେ ନିୟୋଜିତ ଥିବା ଏହି ୩ ବ୍ୟକ୍ତିଙ୍କ ରିପୋର୍ଟ ପଜେଟିଭ ଆସିଥିଲା । ସେପଟେ ଲାଲୁଙ୍କ ପାଇଁ ଆଉ ଏକ ଦୁଃଖଦ ଖବର ହେଉଛି, ତାଙ୍କ ଦଳର ଜଣଙ୍କ ପରେ ଜଣେ ନେତା କୋରୋନା ଆକ୍ରାନ୍ତ ହେଉଛନ୍ତି । ଏପରି କି ଝାଡ଼ଖଣ୍ଡ ଆରଜେଡି ସଭାପତି ଅଭୟ କୁମାର ସିଂ କୋରୋନା ସଂକ୍ରମିତ ଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *