୪୦ରୁ ଅଧିକ ସ୍ପିଡରେ ସହରରେ ଚଲେଇ ପାରିବେନି ବାଇକ୍!

୪୦ରୁ ଅଧିକ ସ୍ପିଡରେ ସହରରେ ଚଲେଇ ପାରିବେନି ବାଇକ୍!

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଗାଡ଼ି ସ୍ପିଡରେ ଲାଗିଲା ଲଗାମ। କେଉଁ ରାସ୍ତାରେ ଘଣ୍ଟା ପ୍ରତି କେତେ ସ୍ପିଡରେ ଗାଡ଼ି ଚଳାଇ ପାରିବେ ସେ ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ପରିବହନ କର୍ତ୍ତୃପକ୍ଷ ବିଜ୍ଞପ୍ତି ପ୍ରକାଶ କରି ଧାର୍ଯ୍ୟ କରିଛନ୍ତି ଗାଡ଼ିର ବେଗ । ଏଣିକି ରାଜ୍ୟରେ ମନ ଇଚ୍ଛା ଗାଡ଼ି ଚଳାଇ ପାରିବେନି ଚାଳକ। ବିଭିନ୍ନ ଗାଡ଼ି ପାଇଁ ନିର୍ଦ୍ଧାରିତ ହୋଇଛି ସର୍ବୋଚ୍ଚ ବେଗ ସୀମା। କେଉଁ ରାସ୍ତାରେ କେତେ ବେଗରେ ଗାଡ଼ି ଚଳାଇ ହେବ ସେ ନେଇ ପରିବହନ ବିଭାଗ ପକ୍ଷରୁ ତାଲିକା ପ୍ରକାଶ ପାଇଛି।ରାଜ୍ୟ ପରିବହନ ପ୍ରାଧିକରଣଙ୍କ ଦ୍ୱାରା ଜାରି ବିଜ୍ଞପ୍ତି ଅନୁସାରେ, ଡ୍ରାଇଭରଙ୍କୁ ମିଶାଇ ୮ଟି ସିଟରୁ କମ୍ ଯାତ୍ରୀବାହୀ ଯାନ ୪ଲେନ୍ ଅବା ତା’ଠୁ ଅଧିକ ଲେନର ଜାତୀୟ ଓ ରାଜ୍ୟ ରାଜପଥରେ ସର୍ବାଧିକ ୧୦୦କିମି ବେଗରେ ଚାଲିପାରିବ। ସେହିପରି ମ୍ୟୁନିସପାଲଟି ଓ ଏନଏଏସି ଦେଇ ଯାଇଥିବା ଜାତୀୟ ରାଜପଥରେ ଏହି ଗାଡ଼ିର ବେଗ ସର୍ବାଧିକ ଘଣ୍ଟାପ୍ରତି ୫୦କିମି ଓ ଅନ୍ୟ ଜାତୀୟ ଓ ରାଜ୍ୟ ରାଜପଥରେ ଏହି ଗାଡ଼ିର ବେଗ ସର୍ବାଧିକ ୬୦କିମି ରହିବ ବୋଲି ପରିବହନ ପ୍ରାଧିକରଣଙ୍କ ଦ୍ୱାରା ନିର୍ଦ୍ଧାରିତ ହୋଇଛି।ସେହିପରି ଯାତ୍ରୀବାହୀ ପରିବହନ(ବ୍ୟବସାୟିକ ) ଯାନ, ଯାହାକି ୮ଟି ସିଟରୁ ଅଧିକ ବିଶିଷ୍ଟ ହୋଇନଥିବ, ସେହି ଗାଡ଼ି ୪ଲେନ୍ ଅବା ତା’ଠୁ ଅଧିକ ଲେନ୍ ଥିବା ଜାତୀୟ ଓ ରାଜ୍ୟ ରାଜପଥରେ ସର୍ବାଧିକ ୮୦କିମି ବେଗରେ ଗତି କରିପାରିବ। ମ୍ୟୁନିସପାଲଟି ଓ ଏନଏସି ଅଂଚଳ ଦେଇ ଗତି କରୁଥିବା ଜାତୀୟ ଓ ରାଜ୍ୟ ରାଜପଥରେ ଘଣ୍ଟା ପ୍ରତି ସର୍ବାଧିକ ବେଗ ୪୦କିମି ଓ ଅନ୍ୟ ଜାତୀୟ ଓ ରାଜ୍ୟ ରାଜପଥରେ ସର୍ବାଧିକ ବେଗ ୬୦କିମି ରହିବ।ସେହିଭଳି ୪ଲେନ୍ ଅବା ତା’ଠୁ ଅଧିକ ଲେନ୍ ବିଶିଷ୍ଟ ଜାତୀୟ ଓ ରାଜ୍ୟ ରାଜପଥରେ ମାଲବାହୀ ଗାଡ଼ିର ସ୍ପିଡ୍ ଘଣ୍ଟାପ୍ରତି ସର୍ବାଧିକ ୬୦କିମି ଏବଂ ମ୍ୟୁନିସପାଲ ଓ ଏନଏସି ଅଂଚଳରେ ସର୍ବାଧିକ ଘଣ୍ଟାପ୍ରତି ୩୦କିମି ରହିବ । ଅନ୍ୟ ଜାତୀୟ ଓ ରାଜ୍ୟ ରାଜପଥରେ ଘଣ୍ଟାପ୍ରତି ସ୍ପିଡ୍ ୫୦କିମି ରହିବ।ସେହିପରି ୪ ଲେନ୍ ଅବା ତା’ଠୁ ଅଧିକ ଲେନରେ ମୋଟର ସାଇକେଲର ସ୍ପିଡ୍ ଘଣ୍ଟାପ୍ରତି ୬୦କିମିରୁ ଅଧିକ ହୋଇପାରିବ ନାହିଁ। ସେହିପରି ମ୍ୟୁନିସପାଲଟି ଓ ଏନଏଏସିରେ ଯାଉଥିବା ଜାତୀୟ ଓ ରାଜ୍ୟ ରାଜପଥରେ ମୋଟର ସାଇକେଲର ଗତି ସର୍ବାଧିକ ଘଣ୍ଟାପ୍ରତି ୪୦କିମି ରହିବ। ଅନ୍ୟ ଜାତୀୟ ଓ ରାଜ୍ୟ ରାଜପଥରେ ମୋଟର ସାଇକେଲର ଗତି ଘଣ୍ଟାପ୍ରତି ୫୦କିମି ରହିବ। ଏସବୁ ବ୍ୟତୀତ ୩ ଚକିଆ ଅଟୋ ମଧ୍ୟ ୪ଲେନ୍ ଅବା ତା’ଠୁ ଅଧିକ ଲେନ୍ ବିଶିଷ୍ଟ ଜାତୀୟ ଓ ରାଜ୍ୟ ରାଜପଥରେ ସର୍ବାଧିକ ଘଣ୍ଟାପ୍ରତି ୪୦କିମି ବେଗରେ ଗତି କରିପାରିବ। ମ୍ୟୁନସିପାଲଟି ଓ ଏନଏସି ଅଂଚଳ ଦେଇ ଯାଇଥିବା ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ଏହି ଗାଡ଼ିର ବେଗ ସର୍ବାଧିକ ଘଣ୍ଟାପ୍ରତି ୩୦କିମି ଏବଂ ଅନ୍ୟ ଜାତୀୟ ଓ ରାଜ୍ୟ ରାଜପଥରେ ଏହାର ବେଗତ ଘଣ୍ଟା ପ୍ରତି ୩୦କିମି ରହିବ ବୋଲି ରାଜ୍ୟ ପରିବହନ ପ୍ରାଧିକରଣଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: