Connect with us

ସାହିତ୍ୟ ସ୍ତମ୍ଭ

(କିମାଶ୍ଚର୍ଯ୍ୟମ୍-୫)-କେତେ ଦିନ ଆଉ କାଳିଆ ଘୋଡ଼ାରେ ଚଢ଼ିବା?

ଦାସ ଆପଣେ, ମଧୁବାବୁ ଓ ବିଜୁବାବୁଙ୍କ ଅବଦାନ ନିଶ୍ଚିତ ଭାବେ ଏ ଜାତି ପାଇଁ ମହାନ। କିନ୍ତୁ କେବଳ ସେଇ ତିନିଜଣଙ୍କୁ ଆମ ଅସ୍ମିତାର ପତିଚୟ କରାଇବାର ପ୍ରଚେଷ୍ଟାରେ ଆଉ ଅନ୍ୟୁନ ତିନି ହଜାର ସମର୍ଥ ସାରଥୀ ନିଜ ସଠିକ ସମ୍ମାନ ପାଇବାରୁ ବଞ୍ଚିତ ହୋଇ ନାହାନ୍ତି କି ? ଏ ତିନି ଜଣ ବ୍ୟତିରକେ ଗତ ପଚାଶ ଭିତରେ ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ପରିଚୟ ହେଲା ଭଳି ଅନ୍ୟୁନ ପଚାଶ ଜଣ ପ୍ରତିଭାଧର ମୁଣ୍ଡ ଟେକି ନାହାନ୍ତି କି ?

Published

on


(ପରଂବ୍ରହ୍ମ ତ୍ରିପାଠୀ): ଡେଭଲେପମେଣ୍ଟ ସେକ୍ଟର ସହ ଜଡିତ ଲୋକମାନେ ବିବିସି ୱାର୍ଲଡ ସର୍ଭିସ ଟ୍ରଷ୍ଟ ବିଷୟରେ ଶୁଣିଥିବେ। ଏହା ହେଉଛି ବିବିସିର ଚ୍ୟାରିଟି ଆର୍ମ। ସଂସ୍ଥା ତରଫରୁ ‘ଇଗନାଇଟ ଏସିଆ’ ବୋଲି ବାର୍ଷିକ ସୃଜନଶୀଳ କର୍ମଶାଳାଟିଏ ହୁଏ। ଏହା ଏକ ଆଭ୍ୟନ୍ତରୀଣ କର୍ମଶାଳା ଓ ସଂସ୍ଥାର ଏସିଆ ମହାଦେଶର ବିଭିନ୍ନ ଦେଶରେ କାମ କରୁଥିବା ପ୍ରତିନିଧିମାନେ ଯୋଗ ଦିଅନ୍ତି। ଲକ୍ଷ୍ୟ ହେଉଛି ବିଭିନ୍ନ ଦେଶରେ କାମ କରୁଥିବା ସଂସ୍ଥାର ପେଶାଦାରମାନେ ପରସ୍ପରକୁ ଭଲ ଭାବେ ଜାଣିବା। ୨୦୧୪ ମସିହାରେ ଏହି କର୍ମଶାଳା ଦିଲ୍ଲୀରେ ହେଉଥାଏ ଓ ଅନ୍ୟ ଦେଶର ପ୍ରତିନିଧିମାନେ ଦିଲ୍ଲୀ ଆସିଥାନ୍ତି। ମଧ୍ୟାହ୍ନ ଭୋଜନ ସମୟରେ ବର୍ମାରୁ ଆସିଥିବା ଯୁବତୀ ଜଣେ ମତେ ମୋ ଘର ଭାରତର କୋଉଁଠି ବୋଲି ପଚାରିଲେ। ମୁଁ ଓଡିଶା ବୋଲି କହିଲି। ତାପରେ ଯୁବତୀ ଜଣକ ଓଡିଶା କେଉଁଠି ଓ ଓଡିଶା କଣ ପାଇଁ ପ୍ରସିଦ୍ଧ ସେ ବିଷୟରେ ବିଭିନ୍ନ କଥା ପଚାରୁଥାନ୍ତି। ମୁଁ ପୁରୀ ଠାରୁ ନେଇ ସମ୍ବଲପୁରୀ ଶାଢ଼ୀଯାଏ କେତେ କଣ କହୁଥାଏ। ଯୁବତୀ ଶୁଣୁ ତ ଥାଆନ୍ତି କିନ୍ତୁ ବେଶୀ ଗୋଟେ ବୁଝିଲା ଭଳି ଲାଗୁ ନଥାନ୍ତି। ଏତିକି ବେଳେ ମୋ ନଜର ପଡ଼ିଲା ସେଠାରେ ଥିବା ଏକ ଇଂରାଜୀ ଖବରକାଗଜ ଉପରେ, ପ୍ରଥମ ପୃଷ୍ଠାରେ ବାହାରି ଥାଏ ଏକ ଅନ୍ତରାଷ୍ଟ୍ରୀୟ ବାଲୁକା କଳା ପ୍ରତିଯୋଗିତାରେ ସୁଦର୍ଶନ ପଟନାୟକ ପ୍ରଥମ ହେବା ଖବର ଓ ଫଟୋ। ମୁଁ ସେଇଟି ଦେଖେଇ କହିଲି ୟାଙ୍କୁ ଜାଣିଛ? ମୁଁ ତାଙ୍କରି ରାଜ୍ୟର ଲୋକ। ଯୁବତୀଙ୍କ ଆଖିରେ ଗୋଟେ ଚମକ ଦେଖାଗଲା, କହିଲେ ହଁ, ଓ ତାପର ଦୁଇ ଦିନ ମଧ୍ୟାହ୍ନ ଭୋଜନ ବିରତିରେ ସୁଦର୍ଶନ ଓ ବାଲୁକା କଳା ବିଷୟରେ ଅନେକ କଥା କହି ମୁଁ ଯୁବତୀଙ୍କ ନୁହେଁ ବରଂ ଯୁବତୀ ଜଣକ ମୋ ଜ୍ଞାନ ବଢ଼େଇଥିଲେ।

ପ୍ରତି ବର୍ଷେ ଦୁଇ ବର୍ଷ ଅନ୍ତରରେ ଜାତୀୟ ସ୍ତରର କେଉଁ ପରିଚିତ ଚେହେରାଟିଏ ପଚାରେ ପଚାରି ଦିଏ ଓଡିଶା କେଉଁଠି, ହର୍ଟ ହେଇଯାଏ ଆମେ ଇଗୋ। ଦିନେ ଦୁଇ ଦିନ ଚାଲେ ତୁମ୍ବି ତୋଫାନ , ଜିଙ୍ଗୋଇଜିମର ପ୍ରଦର୍ଶନ, ପଚାରିଥିବା ଲୋକଟିର ଚଉଦପୁରୁଷ ଉଦ୍ଧାର, ତାପରେ ପୁଣି ତୁନି ପଡ଼ିଯାଏ ସବୁ ଓ ବୋଧେ ଅପେକ୍ଷା କରାଯାଏ ଆଉ କିଏ ପରିଚିତ ଚେହେରା କେତେବେଳେ ପଚାରିବ ଓଡିଶା କୋଉଠି?

ସତରେ କଣ ସାଢ଼େ ଚାରି କୋଟି ଲୋକ ରହୁଥିବା, ଖଣିଜ ସମ୍ପଦ କଳା କରୁକାର୍ଯ୍ୟରେ ଭରା ଏ ଭୂଖଣ୍ଡକୁ ବାହାରେ ଯେତିକି ଲୋକ ଯେମିତି ଭାବେ ଚିହ୍ନିବା କଥା ସେମିତି ଚିହ୍ନନ୍ତି ନାହିଁ? ଉତ୍ତର କଷ୍ଟଦାୟକ, କିନ୍ତୁ ଏଇଟା ସତ ଯେ ନା ଚିହ୍ନନ୍ତି ନାହିଁ। ଆମ ଭିତରୁ ଅନେକ ଉଭୟ ସରକାରୀ ଓ ବେସରକାରୀ ଭାବେ ଓଡିଶାର ପରିଚୟକୁ ବାନ୍ଧି ରଖିବାକୁ ଚେଷ୍ଟାକରୁ ପୁରୀ-କୋଣାର୍କ-ଭୁବନେଶ୍ୱର ନହେଲେ ମଧୁବାବୁ-ଗୋପବନ୍ଧୁ-ବିଜୁବାବୁଙ୍କ ରାଜ୍ୟ ଭାବେ। ଏଇ ପାଞ୍ଚସାତୋଟି ଜିନିଷ ଜାଣି ନଥିବା କିମ୍ବା ସେଥିରେ ରୁଚି ନଥିବା ଲୋକଟି ଓଡିଶାକୁ ଜାଣି ପାରିଲା ଭଳି ଆହୁରି ଲକ୍ଷେ କାରଣ ଓଡିଶା ଓ ଓଡ଼ିଆଙ୍କ ପାଖରେ ଅଛି। ମାତ୍ର ଆମେ ତାର ସଠିକ ପ୍ରଚାର ପ୍ରସାର କରି ପାରିଛେ କି ? ଆମେ ଆପଣା ସୁନାକୁ ଭେଣ୍ଡି କହିବା, ତାର ପ୍ରଚାର ପ୍ରସାର କରିବା ନାହିଁ, କିନ୍ତୁ ମୁହଁ ଫୁଲେଇବା ବାହାରେ କିଏ ପଚାରିଦେଲେ ଓଡିଶା କେଉଁଠି?

ମୁଁ ସମ୍ପୂର୍ଣ୍ଣ ସଚେତନ ଯେ ମୁଁ କହିଥିବା ଜିନିଷକୁ କଦର୍ଥ କରିବାର ଶତ ପ୍ରତିଶତ ସମ୍ଭାବନା ରହିଛି। ଫଟ୍ କରି ଶହେ ଆଙ୍ଗୁଳି ଉଠିବ ଯେ ଇଏ ଆମ ମହାମନିଷି କି ଆମ ସଂସ୍କୃତି ବିରୁଦ୍ଧରେ କହିଲା। ଥରିଏ ଭାବନ୍ତୁ, ଅଢେଇ ହଜାର ବର୍ଷର ଓଡ଼ିଆ ସଂସ୍କୃତି ଓ ସାମାଜିକ ପରମ୍ପରା ଭିତରେ କଣ ଏଇ ଦୁଇ ତିନୋଟି ଜିନିଷ ଓ ତିନିଜଣ ଲୋକ ହିଁ ମାତ୍ର ଆମ ପାଖରେ ଅଛନ୍ତି ଆମ ପରିଚୟ ବୋଲି ବାହାରେ ଦେଖାଇବା ପାଇଁ? ଦାସ ଆପଣେ, ମଧୁବାବୁ ଓ ବିଜୁବାବୁଙ୍କ ଅବଦାନ ନିଶ୍ଚିତ ଭାବେ ଏ ଜାତି ପାଇଁ ମହାନ। କିନ୍ତୁ କେବଳ ସେଇ ତିନିଜଣଙ୍କୁ ଆମ ଅସ୍ମିତାର ପତିଚୟ କରାଇବାର ପ୍ରଚେଷ୍ଟାରେ ଆଉ ଅନ୍ୟୁନ ତିନି ହଜାର ସମର୍ଥ ସାରଥୀ ନିଜ ସଠିକ ସମ୍ମାନ ପାଇବାରୁ ବଞ୍ଚିତ ହୋଇ ନାହାନ୍ତି କି ? ଏ ତିନି ଜଣ ବ୍ୟତିରକେ ଗତ ପଚାଶ ଭିତରେ ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ପରିଚୟ ହେଲା ଭଳି ଅନ୍ୟୁନ ପଚାଶ ଜଣ ପ୍ରତିଭାଧର ମୁଣ୍ଡ ଟେକି ନାହାନ୍ତି କି ? ଉତ୍ତର ନିଶ୍ଚିତ ଭାବେ ହଁ, କିନ୍ତୁ ଆମେ ସେମାନଙ୍କୁ ନେଇ ଯେମିତି ଭାବେ ଗର୍ବ କରିବା କଥା, ଯେମିତି ଭାବେ ନୂଆ ଆଇକନ ତିଆରି ପାଇଁ ପଥ ପ୍ରସ୍ତୁତ କରିବା କଥା, ସେମିତି କରିବାରେ ବହୁମାତ୍ରାରେ ପଛୁଆ ରହି ଯାଇଛୁ। ସେଇଥିପାଇଁ ପାଇଁ ତ ଏ ପ୍ରଶ୍ନ, କେତେ ଦିନ ଆଉ କାଳିଆ ଘୋଡାରେ ଚଢିବା? ସୁଦର୍ଶନ ପଟନାୟକଙ୍କ ଠାରୁ ଶେଷ କିଷାନ ଯାଏ, ପ୍ରାଣକୃଷ୍ଣ ପରିଜାଙ୍କ ଠାରୁ ନେଇ ପ୍ରଫେସର ରାଧାମୋହନ ଯାଏ, କେଳୁଚରଣଙ୍କ ଠାରୁ ରଘୁନାଥ ମହାପତ୍ରଙ୍କ ଯାଏ, ନିରଦ ମହାପାତ୍ରଙ୍କ ଠାରୁ ନୀଳମାଧଵ ପଣ୍ଡାଙ୍କ ଯାଏ, ରିତେଶ ଅଗ୍ରୱାଲଙ୍କ ଠାରୁ ନୁସରତ ସଂଘମିତ୍ରାଙ୍କ ଯାଏ ଆଇକନମାନଙ୍କୁ ଆମେ କେତେଦିନ ସାଧାରଣ ବା ବ୍ୟକ୍ତିଗତ ଭାବେ ସଫଳ ସ୍ତରର ବ୍ୟକ୍ତିତ୍ୱ ଭାବେ ଗଣି ଚାଲିଥିବା କାରଣ ଆମକୁ କାଳିଆ ଘୋଡାରେ ଚଢ଼ିବାର ଅଛି? କେବେ ତିଆରି ହେବେ ନୂଆ ଆଇକନ?

ଆମେ ସମସ୍ତେ ପ୍ରାୟ ଏ କଥାରେ ଏକ ମତ ହେବା ଯେ ଆମ ଓଡ଼ିଆଙ୍କ ସବୁ ଠାରୁ ବଡ଼ ଶକ୍ତି ହେଉଛି ଆମ କଳା, ସଂସ୍କୃତି, ଭାସ୍କର୍ଯ୍ୟ ବା ଆମ ସଫ୍ଟ ପାୱାର। କିନ୍ତୁ ଆମର ଏହି ଶକ୍ତିକୁ ଓଡିଶା ବାହାରେ ସଠିକ ଭାବେ ପ୍ରଦର୍ଶିତ କରିବା ଆମେ କରିଛେ କଣ? ଜଗନ୍ନାଥ ନିଶ୍ଚିତ ଭାବେ ଓଡ଼ିଆ ଜନ ଜୀବନର ଏକ ଗୁରୁତ୍ତ୍ୱପୂର୍ଣ ଅଙ୍ଗ। ତାମାନେ କଣ ଆମେ ଓଡିଶା ବାହାରେ ଯୋଉଠିକି ଯିବା, ଯେଉଁଠି ରହିବା, ସେଠି କେବଳ ଜଗନ୍ନାଥ ମନ୍ଦିର କରିବା। ଛୋଟିଆ ଉଦାହରଣଟିଏ ଦେଉଛି। ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ସୁନ୍ଦର ଜଗନ୍ନାଥ ମନ୍ଦିର ସଂଖ୍ୟା ପାଖାପାଖି ଦଶ। ହେଲେ ଉତ୍କର୍ଷ କଳାର ଦେଶ ଉତ୍କଳର କଳା ସଂସ୍କୃତିକୁ ସୋ କେଶ କରି ପାରୁଥିବା ବା ତାମିଲ ସଙ୍ଗମ ଭଳି ଅନୁଷ୍ଠାନ ଦିଲ୍ଲୀରେ କେତୋଟି? ଉତ୍ତର ହେଉଛି ଶୁନ୍ୟ। ଆମେ ଆମ ରାନ୍ଧଣାକୁ ନେଇ ଗର୍ବିତ। ହେଲେ ଭାରତୀୟ ରାଜଧାନୀରେ ଥିବା ରାଜ୍ୟ ଭବନଗୁଡିକରୁ କେଉଁ ରାଜ୍ୟ ଭବନରେ ନିଜ ରାଜ୍ୟର ଖାଦ୍ୟ ମିଳେ ନାହିଁ? ଉତ୍ତର ହେଲା ଓଡିଶା ଭବନ। ଦିଲ୍ଲୀ ହାଟରେ ଥିବା ବିଭିନ୍ନ ରାଜ୍ୟର ଖାଦ୍ୟ ସାମଗ୍ରୀ ଷ୍ଟଲ ଭିତରୁ କେଉଁ ଷ୍ଟଲଟି ଅଧିକାଂଶ ଦିନ ବନ୍ଦ ଥାଏ ବା ସବୁଠାରୁ ନିମ୍ନ ମାନର ଖାଦ୍ୟ ରାନ୍ଧେ। ଉତ୍ତର ହେଲା ଓଡ଼ିଆ ଷ୍ଟଲ।

ଆମେ ଓଡ଼ିଆ ଭାରି ନିଜ ପ୍ରଶଂସା କରିବାକୁ ବା ଲୋକଟି ମରି ନଗଲା ଯାଏ ତାର ପ୍ରଶଂସା କରିବାକୁ ବହୁମାତ୍ରାରେ କୁଣ୍ଠିତ ହେଉ। ହେଲେ ଛୋଟିଆ କଥାଟିଏ, ଆମେ ନିଜ ଜିନିଷକୁ ଲୁଚାଇ ରଖିବା, ବାହାର ଲୋକଟିଏ ଯଦି ପଚାରିଦିଏ ଜିନିଷଟି କାହିଁ, ବା ଜିନିଷଟି ବିଷୟରେ ନିଜ ଅଜ୍ଞତା ଦେଖାଏ, ସେଥିରେ ଆମ ଇଗୋ ହର୍ଟ ହେବ କାହିଁକି ?

ଶେଷରେ ଏତିକି, ଅତୀତକୁ ସେଲିବ୍ରେଟ କରିବା ଚାପ ତଳେ ବର୍ତ୍ତମାନ ଅସ୍ମିତାଶୂନ୍ୟ ପରିଚୟଟିଏ ପାଲଟି ନଯାଉ। କାଳିଆ ଘୋଡାରେ ଚଢ଼ିବାର ନିଶା ଆମକୁ ନିରୋଳା କିମ୍ବଦନ୍ତୀଟିଏ କରି ନଦେଉ।

Advertisement

Trending