ଯେବେ ପର୍ବତ ଶିଖରରେ ହୋଇଥିଲା ଭୟାନକ ଷଡ଼ଯନ୍ତ୍ର

ଯେବେ ପର୍ବତ ଶିଖରରେ ହୋଇଥିଲା ଭୟାନକ ଷଡ଼ଯନ୍ତ୍ର

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ସେହି ଦେଶର ସୀମାକୁ କେହି ଛୁଇଁ ବି ପାରିବ ନାହିଁ, ଯେଉଁ ଦେଶର ସୀମାକୁ ଜଗିଛନ୍ତି ଦେଶପ୍ରେମୀ ବୀର ଯବାନ। ଯେବେ ବି ଆମ ସ୍ୱାଭିମାନ ସହ ଖେଳ ଖେଳିବାକୁ ଉଦ୍ୟମ ହୋଇଛି, ସେପରି ଉଦ୍ୟମକୁ ପଣ୍ଡ କରିଦେଇଛି ଆମ ସେନା। ୧୯୯୯ରେ ବି ଆମ ପଡ଼ୋଶୀ ଦେଶ ପାକିସ୍ତାନ କରିଥିଲା ଏପରି ଏକ ବିଫଳ ଉଦ୍ୟମ। ଆମେ ବନ୍ଧୁତାର ହାତ ବଢ଼ାଇଥିଲୁ, ହେଲେ ପାକିସ୍ତାନ ଆମ ପିଠିରେ ଛୁରୀ ଭୁସିଥିଲା। ତେବେ ଏହି ଯୁଦ୍ଧରେ ଭାରତର ଶୌର୍ଯ୍ୟ ବୀରମାନେ ପାକିସ୍ତାନକୁ ସମ୍ପୂର୍ଣ୍ଣ ଭାବରେ ଧୂଳି ଚଟାଇ ଦେଇଥିଲେ। କାର୍ଗିଲ ବିଜୟ ଦିବସ। ଏପରି ଏକ ଦିନ, ଯାହା ଭାରତର ପ୍ରତ୍ୟେକ ନାଗରିକଙ୍କୁ ଗର୍ବିତ କରେ। ଅପରେସନ ବିଜୟ ହେଉଛି ଭାରତୀୟ ସେନାର ସାହସୀ ସୈନିକମାନଙ୍କ ସାହସ, ବୀରତ୍ୱ ଓ ବଳିଦାନର ଗାଥା। ୨୬ ଜୁଲାଇ ଆମ ସୈନିକମାନଙ୍କ ନିଷ୍ଠା ଓ ସାହସିକ ନେତୃତ୍ୱ ତଥା କଞ୍ଚା ସାହସ ପାଇଁ ସ୍ମରଣୀୟ ହେବ। ଆଉ ଆମେ ବି ଆମର ଯୋଦ୍ଧାମାନଙ୍କ ଅବଦାନକୁ ସ୍ମରଣ କରିବା ପାଇଁ ୨୬ ଜୁଲାଇ ୨୦୨୦ରେ ୨୧ ତମ କାର୍ଗିଲ ବିଜୟ ଦିବସ ପାଳନ କରିଛୁ।

୨୧ ବର୍ଷ ତଳର ସେହି ପରାକ୍ରମ…

କୁହାଯାଏ ଇତିହାସ ନିଜକୁ କେବେ ନା କେବେ ନିଶ୍ଚୟ ଦୋହରାଏ। ସମୟର ଚକ ଗଡୁଛି ତ ଆଉ କିଏ ବା କେତେ ପାଣିରେ ଅଛି, ସେକଥା ଏ ସମୟ ହିଁ ଜଣାଇଥାଏ। ମାତ୍ର ଇତିହାସଠାରୁ ଯିଏ କିଛି ବି ଶିଖି ନ ପାରେ, ତାକୁ ସମୟ ସବୁଦିନ ପାଇଁ ଇତିହାସ ପୃଷ୍ଠାରେ ସ୍ଥାନ ଦେଇଦିଏ। ଆଜିକୁ ୨୧ ବର୍ଷ ପୂର୍ବେ ସୀମାକୁ ଟପି ପାକିସ୍ତାନ ଯେଉଁ ଦୁଃସାହସ କରିଥିଲା, ସେଥିରୁ ଭାରତ ଶିକ୍ଷା ବି ପାଇଥିଲା ଆଉ ଅଭିଜ୍ଞତା ବି। ଯାହା ଥିଲା ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କାର୍ଯ୍ୟକାଳର ଏକ ନିର୍ଣ୍ଣାୟକ ସମୟ। ଫେବ୍ରୁଆରୀ ୧୯୯୯ରେ ଯେତେବେଳେ ସେ ବସରେ ବସି ଦିଲ୍ଲୀରୁ ଲାହୋର ଗସ୍ତରେ ଯାଇଥିଲେ। ଏହା ଥିଲା ଏପରି ଏକ ନିଷ୍ପତ୍ତି, ଯାହା ଭାରତ ଏବଂ ପାକିସ୍ତାନ ସମ୍ପର୍କରେ ଜମିଥିବା ବରଫକୁ ତରଳାଇବାକୁ ଥିଲା ଅଭିପ୍ରେତ। ମାତ୍ର ବନ୍ଧୁତାର ଏହି ଇମାରତ ଭଲଭାବେ ଲେଖାଯିବା ପୂର୍ବରୁ ଆରମ୍ଭ ହୋଇଗଲା ଭାରତ ବିରୋଧରେ ଷଡ଼ଯନ୍ତ୍ର। କାରଗିଲର ପାହାଡ଼ ଶିଖରରେ ଭାରତ ବିରୋଧରେ ରଚାଗଲା ପିଠିରେ ଛୁରୀ ଭୁସିବାର ଷଡ଼ଯନ୍ତ୍ର। ବାଜପେୟୀଙ୍କ ଲାହୋର ଯାତ୍ରାର କେଇମାସ ଭିତରେ କାରଗିଲର ଏହି ଶୂନଶାନ ପର୍ବତମାଳା ବୋଫୋର୍ସ ତୋପର ଗୁଳିଗୋଳା ଶବ୍ଦରେ କମ୍ପି ଉଠିଲା। ଉଚ୍ଚ ଶିଖରରେ ଛଳନାରେ ପାକିସ୍ତାନୀ ସେନା ଭାରତ ମଧ୍ୟକୁ ପଶି ଆସିଥିଲେ। ୧୯୯୯ରେ ମେ’୩ରେ କାରଗିଲର କିଛି ଗାଈଆଳଙ୍କଠାରୁ ଜଣାପଡ଼ିଲା ଯେ, ଏହି ପାହାଡ଼ଗୁଡ଼ିକରେ ବଙ୍କର ନିର୍ମାଣ କରାଯାଉଛି। ସମ୍ପୂର୍ଣ୍ଣ ସୂଚନା ମିଳିବା ପୂର୍ବରୁ ଅନୁପ୍ରବେଶକାରୀଙ୍କ ରୂପରେ ପାକିସ୍ତାନୀ ସେନା ଛୋଟବଡ଼ ୧୪୦ଟି ଭାରତୀୟ ଚୌକିକୁ କବଜା କରି ସାରିଥିଲା। କାରଗିଲ ଉଚ୍ଚ ଶିଖରରେ ଅନୁପ୍ରବେଶକାରୀଙ୍କ ବେଶରେ ବସିଥିଲେ ପାକିସ୍ତାନୀ ସୈନିକ। ପଛରୁ ତାଙ୍କୁ ଖାଦ୍ୟ ଏବଂ ଅସ୍ତ୍ରଶସ୍ତ୍ର ସହିତ ତୋପଖାନାର ସାହାଯ୍ୟ ବି ମିଳୁଥିଲା। ଉଚ୍ଚ ଶିଖରରେ ଆସ୍ଥାନ ଜମାଇଥିବା ଅନୁପ୍ରବେଶକାରୀଙ୍କ ମୁକାବିଲା କରୁଥିଲା ତଳୁ ଉପରକୁ ଚଢୁଥିବା ଭାରତୀୟ ସେନା। ଏହି କଠିନ ଯୁଦ୍ଧର ପ୍ରାରମ୍ଭିକ ସମୟରେ ସେନାବାହିନୀକୁ ଖୁବ୍ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା।

କାରଗିଲ ବିଜୟ ରାତି…
ବିଜୟ ପରେ…

ମେ ୧୯ ପର୍ଯ୍ୟନ୍ତ ଏହା ହିଁ କୁହାଯାଉଥିଲା ଯେ, ଏହି ଅନୁପ୍ରବେଶକାରୀମାନେ ହେଉଛନ୍ତି ଆତଙ୍କବାଦୀ। ମେ’ ମାସ ଶେଷ ସପ୍ତାହରେ ଏକଥା ସ୍ପଷ୍ଟ ହେଲା ଯେ ଏମାନେ ଅନୁପ୍ରବେଶକାରୀ ନୁହନ୍ତି, ଏମାନେ ହେଉଛନ୍ତି ପାକିସ୍ତାନୀ ସୈନ୍ୟ। ଏକଥା ସ୍ପଷ୍ଟ ହୋଇ ଯାଇଥିଲା ଯେ, ପାକିସ୍ତାନର ସେନା କାରଗିଲର ପାର୍ବତ୍ୟାଞ୍ଚଳକୁ ସ୍ଥାୟୀ ଭାବରେ ଦଖଲ କରିବା ଉଦ୍ଦେଶ୍ୟରେ ପଶି ଆସିଥିଲେ। ଶତ୍ରୁ ଷ୍ଟ୍ରାଟେଜିକ୍ ପୋଜିସନରେ ବସିଥିଲା, ଆଉ ତା’ର ଉଦ୍ଦେଶ୍ୟ ଥିଲା ସିନ୍ଧୁ ନଦୀ ସମେତ ଶ୍ରୀନଗର-ଲେହ ଜାତୀୟ ରାଜପଥ କବଜା କରିବା। ଭାରତୀୟ ସେନାର ଇନଫାଣ୍ଟ୍ରି ବୋଫୋର୍ସ ତୋପ ସହ ଯୁଦ୍ଧର ମୋର୍ଚ୍ଚା ସମ୍ଭାଳିଥିଲା। କାରଗିଲରୁ ଶତ୍ରୁକୁ ତଡ଼ିବାକୁ ମେ’ ୨୬ରେ ଲଞ୍ଚ ହୋଇଥିଲା ଅପରେସନ୍ ବିଜୟ। ଶତ୍ରୁ ପାହାଡ଼ର ଏହି ଶିଖରରେ ବସିଥିଲେ, ଆଉ ପାଦଦେଶରେ ଦଣ୍ଡାୟମାନ ଥିଲା ଭାରତୀୟ ସେନା। ଯୁଦ୍ଧ ଥିଲା ଖୁବ୍ କାଠିକର। ମାତ୍ର, ଆତ୍ମବିଶ୍ୱାସ ଥିଲା ଚଟାଣ ପରି ଶକ୍ତ। କାରଗିଲରେ ଭାରତୀୟ ସେନାର ଅସ୍ତ୍ରଶସ୍ତ୍ର ଏମିତି ଏକ ଛାପ ଛାଡ଼ିଗଲା, ଯାହାକୁ ମନେ ପକାଇ ପାକିସ୍ତାନ ଆଜି ବି କମ୍ପି ଉଠେ। ସେଥିମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର ଥିଲା ବୋଫୋର୍ସ ତୋପ। ୨୭ କିଲୋମିଟର ପର୍ଯ୍ୟନ୍ତ ଗୋଳାମାଡ଼ କରିପାରୁଥିବା ବୋଫୋର୍ସ ତୋପର ବ୍ୟାରେଲ୍ ଏହି ପାହାଡ଼ ଦିଗକୁ ମୁହଁ କରି ଗର୍ଜିବା ଆରମ୍ଭ କରିଦେଲା ତ ଶତ୍ରୁର ଆତ୍ମବିଶ୍ୱାସ ଭାଙ୍ଗି ଚୁର୍ ଚୁର୍ ହୋଇଗଲା। ୭୦ ଡିଗ୍ରୀ ପର୍ଯ୍ୟନ୍ତ ଘୂରି ପାରୁଥିବା ବ୍ୟାରେଲ୍ ଯେତେବେଳେ ପାହାଡ଼ ଉପରେ ଗୋଳା ବର୍ଷାଉଥିଲେ, ସେତେବେଳେ ସେମାନଙ୍କ ଶବ୍ଦ ଏଲଓସି ଆରପଟେ କାହିଁ କେତେଦୂର ପର୍ଯ୍ୟନ୍ତ ଶୁଭୁଥିଲା। କାରଗିଲ ଲଢ଼େଇରେ ବୋଫୋର୍ସ କମାଣ ଏପରି ଏକ ବ୍ରହ୍ମାସ୍ତ୍ର ସାବ୍ୟସ୍ତ ହେଲା, ଯାହା ଗେମ୍ ଚେଞ୍ଜର କାମ କଲା। ଆଉ ପାକିସ୍ତାନର ଅପୂରଣୀୟ ଇଚ୍ଛାର ଛାତି ଉପରେ ସଗର୍ବେ ଉଡ଼ିଥିଲା ତ୍ରିରଙ୍ଗା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: