ଶିଶୁପାଳ ହେଲା ବର, ଭିଣୋଇକୁ ଆଇସକ୍ରିମ ନ ମିଳିବାରୁ ଶାଳୀ ଭାଙ୍ଗିଲା ବାହାଘର

ଶିଶୁପାଳ ହେଲା ବର, ଭିଣୋଇକୁ ଆଇସକ୍ରିମ ନ ମିଳିବାରୁ ଶାଳୀ ଭାଙ୍ଗିଲା ବାହାଘର

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଭାରତୀୟ ସମାଜରେ ଅନେକ କାରଣରୁ ବାହାଘର ଭାଙ୍ଗିଥାଏ। ସେଥି ମଧ୍ୟରୁ ମୁଖ୍ୟ କାରଣ ହେଉଛି ଯୌତୁକ। ହେଲେ କେବେ ଆଇସକ୍ରିମ ନ ଥିବାରୁ ବାହାଘର ଭାଙ୍ଗିବା କଥା ଶୁଣିଛନ୍ତି କି ? ଆଶ୍ଚର୍ଯ୍ୟ ଲାଗୁଥିଲେ ହିଁ କଥାଟା ସତ । ଏମିତି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶରେ। ଆଇସକ୍ରିମ ନ ମିଳିବାରୁ କନ୍ୟା ନିଜ ବାହାଘର ଭାଙ୍ଗି ଦେଇଛି। ଉତ୍ତରପ୍ରଦେଶର ଆଲିଗଡରେ ଭିଣୋଇଙ୍କୁ ଆଇସକ୍ରିମ ନ ମିଳିବାରୁ ନିଜେ କନ୍ୟା ବାହା ହେବାକୁ ମନା କରିଦେଇଥିଲେ । ଏହା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତେଜନା ଏତେ ବଢିଯାଇଥିଲା ଯେ, ମାମଲା ଯାଇ ଥାନାରେ ପହଞ୍ଚି ଥିଲା, ସମସ୍ତେ ବୁଝାସୁଝା ପରେ ମଧ୍ୟ କନ୍ୟା ବାହା ହେବା ପାଇଁ ରାଜି ହୋଇନଥିଲେ ଏବଂ ବରକୁ ଶେଷରେ ଶିଶୁପାଳ ହୋଇ ନିଜ ଘରକୁ ଫେରିବାକୁ ପଡ଼ିଥିଲା।
ଆଲିଗଡର ସାସନି ଗେଟର ଭର୍ସନୀ ବିବାହ ହଲରେ ଏହି ବିବାହ ଉତ୍ସବ ଆୟୋଜିତ ହୋଇଥିଲା ବୋଲି ଜଣାପଡିଛି। ତେବେ ଉଭୟ ବର ଏବଂ କନ୍ୟା ପକ୍ଷର ଲୋକଙ୍କ ଭିତରେ ଆଇସକ୍ରିମ ଖାଇବାକୁ ନେଇ ଝଗଡା ଆରମ୍ଭ ହୋଇଥିଲା। ଯେତେବେଳେ କନ୍ୟା ଜାଣିବାକୁ ପାଇଥିଲା ଯେ ତାଙ୍କ ଭିଣୋଇ ଆଇସକ୍ରିମ ପାଇ ନାହାନ୍ତି, ସେତେବେଳେ ସେ ବିବାହ କରିବାକୁ ମନା କରିଦେଇଥିଲେ। ଏବଂ ପର ଦିନ ସକାଳେ ସେ ଏହାର ସମାଧାନ ପାଇଁ ସାସନି ଗେଟ୍ ପୋଲିସ୍ ଷ୍ଟେସନରେ ପହଞ୍ଚିଥିଲେ। ବର ମଧ୍ୟ କନ୍ୟାକୁ ଅନୁସରଣ କରି ପୋଲିସ ଷ୍ଟେସନକୁ ଯାଇଥିଲେ। ବର କନ୍ୟାକୁ ମନାଇବା ପାଇଁ କ୍ରମାଗତ ଚେଷ୍ଟା କରୁଥିଲା, କିନ୍ତୁ ସେ ନିଜ ଯିଦିରେ ଅଟଳ ଥିଲେ। ଦେଖୁ ଦେଖୁ ଉଭୟ ପକ୍ଷର ଲୋକମାନେ ପୋଲିସ ଷ୍ଟେସନରେ ଏକାଠି ହୋଇଥିଲେ। ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ମଧ୍ୟ ଆରମ୍ଭ ହୋଇଥିଲା। ଘଟଣାଟି ସମସ୍ତଙ୍କୁ ଚକିତ କରିଦେଇଛି। କନ୍ୟା ମୌନପୁରୀ ଜିଲ୍ଲାର କୁରାଭାଲୀ ପୋଲିସ ଷ୍ଟେସନ ଅଞ୍ଚଳର ହୋଇଥିବା ବେଳେ ବର ସାସନି ଗେଟ୍ ଅଞ୍ଚଳର ମହେନ୍ଦ୍ର ନଗରର ବାସିନ୍ଦା ବୋଲି ଜଣାପଡିଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: