ଏହି ଦେଶର ସରକାର କରୁଛନ୍ତି ମଦ୍ୟପାନ ପ୍ରତିଯୋଗିତା

ଏହି ଦେଶର ସରକାର କରୁଛନ୍ତି ମଦ୍ୟପାନ ପ୍ରତିଯୋଗିତା

ପ୍ରିଜମ ନ୍ୟୁଜ ବ୍ୟୁରୋ:ମଦ୍ୟପାନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଏହା ସମସ୍ତଙ୍କୁ ଜଣା। ଏହି ମଦ ଅନେକଙ୍କ ସ୍ବାସ୍ଥ୍ୟ କରିବା ସହ ଅନେକ ପରିବାର ଉଜାଡି ଦେଉଛି। ବିଶେଷ କରି ଯୁବପିଢି ମଦ ନିଶାରେ ନିଜ ଭବିଷ୍ୟତ ଖରାପ କରୁଥିବାର ଦେଖିବାକୁ ମିଳୁଛି। ଏହି କାରଣରୁ ଭାରତ ଭଳି ଅନେକ ଦେଶ ନିଜ ନାଗରିକମାନଙ୍କୁ ମଦ୍ୟପାନରୁ ଦୂରେଇ ରଖିବାକୁ ଚେଷ୍ଟା କରୁଛନ୍ତି । ଭାରତର ଅନେକ ରାଜ୍ୟରେ ମଦ ବ୍ୟାନ୍ ମଧ୍ୟ କରାଯାଇଛି । କିନ୍ତୁ ଜାପାନ ଏହାର ଯୁବକମାନଙ୍କୁ ମଦ ପିଇବା ପାଇଁ ପ୍ରୋତ୍ସାହିତ କରୁଛି। ଜାପାନର ବରିଷ୍ଠ ନାଗରିକଙ୍କ ତୁଳନାରେ ଯୁବପିଢି କମ ମଦ ପିଉଥିବାରୁ ଜାପାନ ସରକାର ଚିନ୍ତାରେ ପଡ଼ିଯାଇଛନ୍ତି । କାରଣ ଏହା ଦ୍ବାରା ରାଜସ୍ବ ହ୍ରାସ ପାଉଛି । ଏଥିପାଇଁ ଜାପାନ ସରକାର ମଦ ପିଇବାକୁ ପ୍ରେତ୍ସାହନ ଦେବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି ।

ଜାପାନ ମଦ୍ୟପାନକୁ ପ୍ରୋତ୍ସାହିତ କରିବା ପାଇଁ ଦେଶବ୍ୟାପୀ ପ୍ରତିଯୋଗିତା ଆରମ୍ଭ କରିଛି । ବହୁ ସଂଖ୍ୟକ ଜାପାନୀ ଯୁବକ ନିଶା କରନ୍ତି ନାହିଁ । ତେଣୁ କିଛି ଅଧିକାରୀ ଏକ ନୂତନ ଅଭିଯାନ ସହ ଏଥିରେ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଛନ୍ତି । ଜାପାନର ଯୁବ ପିଢ଼ି ସେମାନଙ୍କ ପିତାମାତାଙ୍କ ଅପେକ୍ଷା କମ୍ ମଦ୍ୟପାନ କରନ୍ତି । ଏହି କାରଣରୁ ଜାପାନର ଅର୍ଥନୀତି ମଧ୍ୟ ପ୍ରଭାବିତ ହେଉଛି । ଏହି ଜାତୀୟ ଅଭିଯାନର ନାମ ‘ସେକ୍ ଭିଭା ’ ରଖା ଯାଇଛି । ସେକ୍ ଅର୍ଥାତ୍ ଚାଉଲରୁ ପ୍ରସ୍ତୁତ ଜାପାନୀ ମଦ ପରି ପାନୀୟ ପଦାର୍ଥ ଉପରେ ଟିକସ ମଧ୍ୟ ହ୍ରାସ କରାଯାଇଛି ।ଏହି ଅଭିଯାନର ଏକ ଅଂଶ ଭାବରେ ଜାପାନ ଆଶା କରୁଛି ଯେ, ମଦ ଯୁବପିଢ଼ିଙ୍କୁ ଅଧିକ ଆକର୍ଷିତ କରିବ, ଯାହା ଶିଳ୍ପକୁ ବୃଦ୍ଧି କରିବ । ୨୦ରୁ ୩୯ ବର୍ଷର ଯୁବକମାନଙ୍କ ପାଇଁ ଏହି ପ୍ରତିଯୋଗିତା ଆରମ୍ଭ କରାଯାଇଛି ।

ଏହାସହ ଯୁବକଯୁବତୀମାନେ ଦେଶରେ ବିଭିନ୍ନ ପ୍ରକାରର ମଦ- ସେକ୍, ସୋଚୁ, ହ୍ବିସ୍କି, ଓ୍ବାଇନ କିମ୍ବା ବିୟରର ଚାହିଦା ବଢାଇବାକୁ ନୂଆ ନୂଆ ପ୍ରକାରର ଆଇଡିଆ ସରକାରଙ୍କୁ ଦେଇପାରିବେ । ଗାର୍ଡିଆନ୍‌ର ଏକ ରିପୋର୍ଟ ଅନୁଯାୟୀ, ଏହି ପ୍ରତିଯୋଗିତା ସେପ୍ଟେମ୍ବର ୯ ପର୍ଯ୍ୟନ୍ତ ଖୋଲା ରହିବ । ଜାପାନର ଟିକସ ବିଭାଗ ପକ୍ଷରୁ କୁହାଯାଇଛି ଯେ ଜାପାନରେ ମଦ ସେବନ ହ୍ରାସ ପାଇଚାଲିଛି । ୧୯୯୫ରେ ଯେତିକି ଲୋକ ମଦ ପିଉଥିଲେ ୨୦୨୦ରେ ତାହା ହ୍ରାସ ପାଇଛି । ୧୯୯୫ରେ ଜାପାନରେ ମୁଣ୍ଡପିଛା ମଦ ବ୍ୟବହାର ହାରାହାରି ବାର୍ଷିକ ୧୦୦ ଲିଟର ଥିବାବେଳେ ୨୦୨୦ରେ ତାହା ୭୫ ଲିଟରକୁ ହ୍ରାସ ପାଇଛି । ୧୯୮୦ରେ ଜାପାନ ସରକାରଙ୍କ ମୋଟ ରାଜସ୍ବର ୫ ପ୍ରତିଶତ ମଦ ବ୍ୟବସାୟରୁ ଆସୁଥିବାବେଳେ ୨୦୨୦ରେ ତାହା ୧.୭ ପ୍ରତିଶତରେ ସୀମିତ ହୋଇଯାଇଛି ।

ଘରୋଇ ମଦ୍ୟପାନକୁ ଉତ୍ସାହିତ କରିବା ପାଇଁ ରଣନୀତି ପ୍ରସ୍ତୁତ କରିବା ବ୍ୟତୀତ, “ନୂତନ ଆଇଟମ୍ ଏବଂ ଡିଜାଇନ୍” ସୃଷ୍ଟି କରିବାକୁ ମଧ୍ୟ ଅନୁରୋଧ କରାଯାଇଛି । ଏହି ପ୍ରତିଯୋଗିତା ପରିଚାଳନା କରୁଥିବା କମ୍ପାନୀ କହିଛି ଯେ, କୋଭିଡ ମହାମାରୀ ସମୟରେ ଦେଶରେ କମ୍ ମଦ୍ୟପାନ କରିବାର ପର୍ଯ୍ୟାୟ ଆରମ୍ଭ ହୋଇଥିଲା । ଏହାର ଏକ ମୁଖ୍ୟ କାରଣ ହେଉଛି ଜାପାନରେ ବୟସ୍କଙ୍କ ସଂଖ୍ୟା ଅଧିକ ହୋଇଥିବାରୁ ମଦ୍ୟପାନ ହ୍ରାସ ପାଇଛି । ଏହାର ଅନ୍ୟତମ କାରଣ ହେଉଛି ଜାପାନରେ ଜନ୍ମ ହାର ହ୍ରାସ ପାଇବା । ବିଶ୍ୱ ବ୍ୟାଙ୍କ ଆକଳନ କରିଛି ଯେ, ଜାପାନର ଜନସଂଖ୍ୟାର ପ୍ରାୟ ଏକ ତୃତୀୟାଂଶ ୬୫ ବର୍ଷ ଓ ତଦୁର୍ଦ୍ଧ୍ୱ । ଯାହାକି ଜାପାନକୁ ବିଶ୍ୱର ସର୍ବ ପୁରାତନ ଜନସଂଖ୍ୟା ବିଶିଷ୍ଟ ଦେଶ ଭାବେ ପରିଚିତ କରିଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: