
ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଦେଶରେ କୋରୋନା ମହାମାରୀ ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ଚଳିତବର୍ଷର ଆଇପିଏଲ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଛି। ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିବା ଟିମଗୁଡ଼ିକର ଅନେକ ଖେଳାଳି ଏବଂ ସଦସ୍ୟ କୋରୋନାରେ ସଂକ୍ରମିତ ହେବା ପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବସିସିଆଇ) ଏଭଳି ବଡ଼ ନିଷ୍ପତ୍ତି ନେଇଛି। ଜୈବ ସୁରକ୍ଷିତ ବାତାବରଣ (ବାୟୋ ବବଲ)ରେ ମ୍ୟାଚଗୁଡ଼ିକ ଆୟୋଜନ କରାଯିବା ସତ୍ତ୍ୱେ ଏକାଧିକ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେଣୁ, ଏଭଳି ନିଷ୍ପତ୍ତି ନିଆଯାଇଛି।
ଆଇପିଏଲ ଅଧ୍ୟକ୍ଷ ବ୍ରିଜେଶ ପଟେଲଙ୍କ ସୂଚନା ଅନୁସାରେ, ଟୁର୍ଣ୍ଣାମେଣ୍ଟକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଆଗାମୀ ଦିନରେ ଏହାର ଆୟୋଜନ କରାଯିବାକୁ ଉଦ୍ୟମ କରାଯିବ। କିନ୍ତୁ ଚଳିତ ମାସରେ ଏହାର ଆୟୋଜନ ସମ୍ଭବ ନୁହେଁ ବୋଲି ସେ କହିଛନ୍ତି। ସନରାଇଜର୍ସ ହାଇଦ୍ରାବାଦ (ଏସଆରଏଚ)ର ରିଦ୍ଧିମାନ ଶାହଙ୍କ ସମେତ ଚେନ୍ନାଇ ସୁପର କିଙ୍ଗ୍ସ, କଲକାତା ନାଇଟ ରାଇଡର୍ସ ଆଦି ଟିମ୍ର ଅନେକ ଖେଳାଳି କୋରୋନାରେ ସଂକ୍ରମିତ ହେବା ପରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି।