ଆଇପିଏଲରେ ଲକ୍ ଫେକ୍ଟର, ଟସ୍ ହାରିଲେ ଜିତିବ ମ୍ୟାଚ୍

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ୟୁଏଇରେ ଚଳିତ ଆଇପିଏଲ ବେଶ୍ ରୋମାଞ୍ଚକର ହେଉଛି। ମଇଦାନରେ ଚୌକା ଓ ଛକାର ବର୍ଷା ହେଉଛି। ଫଟାଫଟ୍ କ୍ରିକେଟ୍ ଟି-୨୦ର ମଜା ନେବାକୁ ଷ୍ଟାଡିୟମରେ ଦର୍ଶକ ନାହାନ୍ତି। ମାତ୍ର, ଟିଭି ଆଗରେ ଦର୍ଶକଙ୍କ ଖଚାଖଚ ଭିଡ଼ ଦେଖିବାକୁ ମିଳୁଛି। ତେବେ, ଚଳିତଥର ମ୍ୟାଚ୍ ଅପେକ୍ଷା ବେଟିଂର ବେଶ୍ ମଜା ନେଉଛନ୍ତି ଜୁଆଡ଼ି।

କୋରୋନା କଟକଣା ମଧ୍ୟରେ ସେପ୍ଟେମ୍ବର ୧୯ରୁ ଆରମ୍ଭ ହୋଇଛି ଆଇପିଏଲର ତ୍ରୟୋଦଶ ସଂସ୍କରଣ। ରୋମାଞ୍ଚକର ମୁକାବିଲା, ବିଗ୍ ସ୍କୋର, ବିଗ୍ ଟାର୍ଗେଟ୍, ସୁପର ଓଭର ମଧ୍ୟରେ ଏଯାଏ ସରିଛି ୧୨ଟି ମ୍ୟାଚ୍। ଏଯାଏ ଟସ୍ ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଦେଖିବାକୁ ମିଳିଛି। କାରଣ ଟସ୍ ଜିତିଲେ ଏକ ପ୍ରକାର ମ୍ୟାଚ୍ ହାରିବାକୁ ପଡୁଛି। ଖେଳାଯାଇଥିବା ୧୨ଟି ମୁକାବିଲାରୁ ୧୦ଟିରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଏପରିକି ଚେନ୍ନାଇ, ମୁମ୍ବାଇ, ଆରସିବି ପରି ଟିମ୍ ମଧ୍ୟ ପରାସ୍ତ ହୋଇଛନ୍ତି। କେବଳ ଉଦଘାଟନୀ ମ୍ୟାଚରେ ଟସ୍ ଜିତି ଚେନ୍ନାଇ ବିଜୟୀ ହୋଇଥିବା ବେଳେ ପଞ୍ଜାବ ବିପକ୍ଷରେ ରାଜସ୍ଥାନ ଟସ୍ ୱିନ୍ କରି ମ୍ୟାଚ୍ ଜିତିଥିଲା। ଏହି ମ୍ୟାଚ୍ ବେଶ୍ ରୋମାଞ୍ଚକର ଥିଲା। ପଞ୍ଜାବ ୨୨୩ ରନ୍ କରିଥିବା ବେଳେ ରାଜସ୍ଥାନ ଆଇପିଏଲ ଇତିହାସରେ ସର୍ବାଧିକ ଟାର୍ଗେଟ୍ ଚେଜ୍ କରିବାରେ ସକ୍ଷମ ହୋଇଥିଲା।

ସେହିପରି, ଏଯାଏ ୨ଟି ସୁପର ଓଭର ମଧ୍ୟ ଖେଳାଗଲାଣି। ପଞ୍ଜାବ ବିପକ୍ଷରେ ଦିଲ୍ଲୀ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ସୁପରଓଭରରେ ମୁମ୍ବାଇକୁ ପରାସ୍ତ କରିଛି କୋହଲି ଆଣ୍ଡ କୋ। ଦମଦାର ପ୍ରଦର୍ଶନ କରି ପଞ୍ଜାବର ମୟଙ୍କ ଅଗ୍ରୱାଲ ଓ ଲୋକେଶ ରାହୁଲ ଉଭୟ ଗୋଟିଏ ଲେଖାଏଁ ଶତକ ହାସଲ କରିଛନ୍ତି। ସେହିପରି ସଞ୍ଜୁ ସାମସନ୍, ସ୍ମିଥ, ଡୁପ୍ଲେସିସ୍, ଶୁଭମନ୍ ଗିଲଙ୍କ ପରି ଖେଳାଳି ଏବେ ଚମତ୍କାର ଫର୍ମରେ ଅଛନ୍ତି। ସବୁ ଦଳରେ ପାୱାର ହିଟର ଥିବାବେଳେ ବ୍ୟାଟିଂ ଓ ବୋଲିଂ ଲାଇନ୍ ବେଶ୍ ସନ୍ତୁଳିତ ରହିଛି। ତେଣୁ କିଏ ଚଳିତ ଥର ଟାଇଟଲ୍ ହାସଲ କରିବ ସେ ନେଇ ଏବେଠୁ କହିବା ମୁସ୍କିଲ ହୋଇଛି। ଅନ୍ୟପଟେ ମ୍ୟାଚ୍ ଅପେକ୍ଷା ଫଳାଫଳକୁ ନେଇ ବେଟିଂ କରୁଛନ୍ତି ଜୁଆଡ଼ି। ରାଜ୍ୟର ଅଧିକାଂଶ ସ୍ଥାନରେ କ୍ରୀଡ଼ାପ୍ରେମୀ ଏବେ ମ୍ୟାଚ୍ ରେଜଲ୍ଟ ପାଇଁ ବେଟିଂ ଲଗାଉଥିବା ନଜରକୁ ଆସିଛି। କେତେକ ସ୍ଥାନରେ ପୋଲିସ ଚଢ଼ାଉ କରି ଟଙ୍କା, ମୋବାଇଲ୍, ବାଇକ୍ ଜବତ କରିଥିବା ବେଳେ ଜୁଆଡ଼ିଙ୍କୁ ଗିରଫ ମଧ୍ୟ କରିଛି।

%d bloggers like this: