ୟୁଏଇରେ ଆଇପିଏଲ୍-୨୦୨୦; ଉପଲବ୍ଧି ନା ଷଡ଼ଯନ୍ତ୍ର?

ୟୁଏଇରେ ଆଇପିଏଲ୍-୨୦୨୦; ଉପଲବ୍ଧି ନା ଷଡ଼ଯନ୍ତ୍ର?

ପ୍ରିଜମ୍ ନ୍ୟୁଜ୍ (ସଂପାଦକୀୟ):ହେବନି ହେବନି ଭିତରେ ପ୍ରଶ୍ନ ଅନେକ ଉଠୁଥିଲା । କିନ୍ତୁ ଏବେ ଆଇପିଏଲ୍ ଖେଳାଯିବ। ଯଦିଓ ଭାରତ ମାଟିରେ ନୁହେଁ, ୟୁଏଇରେ ଖେଳାଯିବ ଚଳିତ ବର୍ଷର ଆଇପିଏଲ୍। ସରକାରଙ୍କ ସ୍ୱୀକୃତି ପରେ ଏନେଇ ପଥ ପରିଷ୍କାର ହୋଇଛି। ସେପେମ୍ବର ୧୯ରୁ ଚଳିତବର୍ଷ ଆଇପିଏଲ୍ ଆରମ୍ଭ ହେବ ଓ ୫୨ ଦିନର ସଫର୍ ପରେ ଏହାର ଫାଇନାଲ ମ୍ୟାଚ୍ ୮ ନଭେମ୍ବରରେ ଖେଳାଯିବ। ଏନେଇ ଖୁବଶୀଘ୍ର ଆଇପିଏଲ୍ ଗଭର୍ଣ୍ଣିଂ ବଡି ତରଫରୁ ଖେଳସୂଚୀ ମଧ୍ୟ ଜାରି କରାଯିବ। କୋଭିଡ ଭିତରେ ଆଇପିଏଲର ଆୟୋଜନକୁ ନେଇ ଅନେକଗୁଡ଼ିଏ ପ୍ରଶ୍ନ ଉଠି ଛିଡ଼ା ହୋଇଛି। ଏଭଳି ପରିସ୍ଥିତି ଭିତରେ ଯେତେବେଳେ ଅଷ୍ଟ୍ରେଲିଆରେ ଟି- ୨୦ ବିଶ୍ୱକପ୍ ସମ୍ଭବ ହୋଇପାରିଲା ନାହିଁ, ଯେତେବେଳେ ଏସିଆ କପକୁ ବି ବନ୍ଦ କରାଗଲା, ସେତେବେଳେ ଆଇପିଏଲ୍ ଏକ ଘରୋଇ ଲିଗ୍ ହୋଇ ବି କେମିତି ତା’ର ଆୟୋଜନ ସମ୍ଭବ ହେଲା ? ଆଇପିଏଲର ଆୟୋଜନ ବିସିସିଆଇ ପାଇଁ କାହିଁକି ଏତେ ଜରୁରୀ ଥିଲା ? ଆଉ କ’ଣ ଟି- ୨୦ ବିଶ୍ୱକପ ଓ ଏସିଆ କପ୍ ବନ୍ଦ ହେବା ଓ ଘରୋଇ ଆଇପିଏଲର ଆୟୋଜନ ମଧ୍ୟରେ କିଛି ଲିଙ୍କ୍ ରହିଛି କି ? ବିସିସିଆଇର ପ୍ରଭାବକୁ ଦେଖିଲେ ଏକଥା ବୁଝିବା ବେଶୀ କଷ୍ଟକର ନୁହେଁ କି ବିସିସିଆଇ ଚାହିଁଲେ ଅନ୍ତର୍ଜାତୀୟ ଖେଳସୂଚୀରେ ପରିବର୍ତ୍ତନ କରିପାରେ। ଆଉ ଖାସ୍ ସେଇଥିପାଇଁ ଏ ସନ୍ଦେହ ଉପୁଜିବା ବି ସ୍ୱାଭାବିକ। ବିଶ୍ୱକପର ଆୟୋଜନ କରିବାକୁ ଅଷ୍ଟ୍ରେଲିଆ ଆଇସିସି ଗଭର୍ଣ୍ଣିଂ ବଡି ବୈଠକରେ ହାତ ଟେକି ଦେବା ଓ କିଛି ଦିନ ପରେ ଆଇପିଏଲର ଆୟୋଜନ ନେଇ ସବୁଜ ସଙ୍କେତ ଏପରି ଅନେକ ଗୁଡିଏ ପ୍ରଶ୍ନକୁ ଜନ୍ମ ଦେଉଛି। ଏମିତି ନୁହେଁ ଯେ, ଚଳିତବର୍ଷ ଆଇପିଏଲରେ କିଛି କାଟଛାଣ୍ଟ କରାଯିବ। କେବଳ ଦର୍ଶକଙ୍କ ସଂଖ୍ୟା ଛାଡ଼ିଦେଲେ ବାକି ସବୁ ପୂର୍ବଭଳି ହିଁ ହେବ। ଏବଂ ପୁରସ୍କାର ରାଶିକୁ ଛାଡ଼ିଦେଲେ ପ୍ରସାରଣରୁ ହିଁ ଫ୍ରାଞ୍ଚାଇଜି ଓ ବିସିସିଆଇ ଟଙ୍କା କମାଇପାରିବେ।

ଏବେ ଟିକିଏ ବୁଝିବା ଜରୁରୀ ଆଇପିଏଲ୍ ବିସିସିଆଇ ପାଇଁ ଏତେ ଜରୁରୀ କାହିଁକି ଆଉ କାହିଁକି କୋଭିଡର ଏ ମାରାତ୍ମକ ସ୍ଥିତିରେ ବି ସବୁ ଦେଶର ଖେଳାଳି ଆଇପିଏଲ୍ ଖେଳିବାକୁ ବ୍ୟଗ୍ର ? ୨୦୧୫ର ଏକ ସର୍ଭେ ଅନୁଯାୟୀ, ଆଇପିଏଲ୍ ପ୍ରତିବର୍ଷ ହାରାହାରି ୪୦ ଲକ୍ଷ ୩୩ ହଜାର ଡଲାର୍ ଅର୍ଥରାଶି ଆୟ କରେ, ଯାହା ବିସିସିଆଇ ପାଇଁ ଖୁବ୍ ବଡ଼ ଅର୍ଥରାଶି। ଖେଳାଳିମାନେ ଓ ଫ୍ରାଞ୍ଚାଇଜିମାନେ ମଧ୍ୟ ଖୁବ୍ ବେଶୀ ଆୟ କରନ୍ତି। ଏଣୁ ଆଇପିଏଲ୍ ଏ ସମସ୍ତଙ୍କ ପାଇଁ ଖୁବ୍ ଜରୁରୀ। ସେଇଥିପାଇଁ ତ ସାଧାରଣ ନିର୍ବାଚନ ଥିବାରୁ ୨୦୧୯, ୨୪ ମାର୍ଚ୍ଚରେ ଆଇପିଏଲକୁ ଦକ୍ଷିଣ ଆଫ୍ରିକାକୁ ସ୍ଥାନାନ୍ତର କରାଯାଇଥିଲା ଆଉ ୨୦୧୪ରେ ଆଇପିଏଲର ପ୍ରଥମାର୍ଦ୍ଧ ୟୁଏଇରେ ଖେଳାଯାଇଥିଲା। ଏଣୁ ଚଳିତବର୍ଷ ଯେକୌଣସି ପରିସ୍ଥିତିରେ ଆଇପିଏଲର ଆୟୋଜନକୁ ନା କେବଳ ବିସିସିଆଇ ବରଂ ଏହା ସହ ଜଡ଼ିତ ସବୁ ଫ୍ରାଞ୍ଚାଇଜି ଓ ଖେଳାଳି ଚାହିଁ ବସିଥିଲେ। ଆଶା କରାଯାଉଛି କି ଚଳିତବର୍ଷ ୟୁଏଇରେ ହେବାକୁ ଥିବା ଆଇପିଏଲର ପ୍ରସାରଣରେ ଖୁବ୍ ଅଧିକ ଅର୍ଥର ନେଣଦେଣ ହୋଇପାରେ। କାରଣ ଏବେ କୋଭିଡର ସ୍ଥିତିରେ ସମସ୍ତେ ଘରେ ଅଛନ୍ତି। ଆଉ ଏ ଭିତରେ ଯଦି ରୋମାଞ୍ଚକର କ୍ରିକେଟ୍ ମ୍ୟାଚ୍ ତା ପୁଣି ଆଇପିଏଲ୍ ଭଳି ଫଟାଫଟ୍ କ୍ରିକେଟ୍ ଦେଖିବାକୁ ମିଳେ, ତେବେ ଲୋକେ ନିଶ୍ଚୟ ଟିଭି ଆଗରେ ବସିବେ। ଏଣୁ ଆଶା କରାଯାଉଛି କି ଟେଲିଭିଜନ ଦର୍ଶକଙ୍କ ସଂଖ୍ୟା ଚଳିତବର୍ଷ ରେକର୍ଡ ବ୍ରେକ୍ କଲା ଭଳି ହେବ। ଆଉ ସେଥିପାଇଁ ପ୍ରସାରଣ ଓ ବିଜ୍ଞାପନରୁ ବିସିସିଆଇ ଢେର ଅର୍ଥ କମାଇବ। ଅପରପକ୍ଷେ କିଛି ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳାଳି ଚଳିତବର୍ଷ ଆଇପିଏଲର ଆୟୋଜନକୁ ନେଇ ନାକ ଟେକିଛନ୍ତି। ଖାସ୍ କରି ସୋଏବ୍ ଅଖତରଙ୍କ ଭଳି କିଛି ପୂର୍ବତନ ପାକିସ୍ତାନୀ କ୍ରିକେଟର ବିସିସିଆଇର ଏହା ଏକ ଚାଲ୍ ବୋଲି କହିଛନ୍ତି। କିନ୍ତୁ ସବୁ ପ୍ରଶ୍ନ ପରେ ବି କୋଭିଡର ସାମ୍ପ୍ରତିକ ସ୍ଥିତି ଭିତରେ ଆଇପିଏଲର ଆୟୋଜନ ବିସିସିଆଇ ଓ ଆଇପିଏଲ୍ ଚେୟାରମ୍ୟାନଙ୍କ ପାଇଁ ଏକ ବଡ଼ ଉପଲବ୍ଧି ନିଶ୍ଚୟ ହେବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: