ବ୍ୟସ୍ତବହୁଳ ରେଲୱେ ଷ୍ଟେସନରୁ ଟ୍ରେନ୍ ଧରିବାକୁ ଦେବାକୁ ପଡ଼ିବ ଅତିରିକ୍ତ ଦେୟ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବ୍ୟସ୍ତବହୁଳ ରେଲୱେ ଷ୍ଟେସନରୁ ଟ୍ରେନ୍ ଧରିବାକୁ ଦେବାକୁ ପଡ଼ିବ ଅତିରିକ୍ତ ଦେୟ। ବାସ୍ତବିକ କେନ୍ଦ୍ର ସରକାର ଏବେ ବିମାନ ବନ୍ଦରଗୁଡ଼ିକ ଭଳି ରେଳଷ୍ଟେସନଗୁଡ଼ିକରେ ମଧ୍ୟ ୟୁଜର୍ସ ଚାର୍ଜ ଲଗାଇବାକୁ ବିଚାର କରୁଛନ୍ତି। ଭାରତୀୟ ରେଳ ରିଡେଭେଲପ୍ ଏବଂ ଅଧିକ ଭିଡ଼ ରହୁଥିବା ଷ୍ଟେସନଗୁଡ଼ିକରେ ଯାତ୍ରୀଙ୍କଠାରୁ ଆଦାୟ କରିବ ଚାର୍ଜ। ୟୁଜର ଚାର୍ଜ କେତେ ହେବ, ତାହା ଅବଶ୍ୟ ସ୍ପଷ୍ଟ ହୋଇନାହିଁ। ରେଲୱେ ବୋର୍ଡ ଅଧ୍ୟକ୍ଷ ବି. କେ. ଯାଦବ କହିଛନ୍ତି, ଯାତ୍ରୀମାନଙ୍କୁ ଉନ୍ନତ ମାନର ସୁବିଧା ଯୋଗାଇ ଦେବାନିମନ୍ତେ ଖର୍ଚ୍ଚ ହେବାକୁ ଥିବା ଅର୍ଥ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଫଳରେ ରେଲୱେ କର୍ତ୍ତୃପକ୍ଷ ପ୍ରଥମ ଥର ପାଇଁ ଯାତ୍ରୀଙ୍କଠାରୁ ଏପରି ଶୁଳ୍କ ଆଦାୟ କରିବାକୁ ଯାଉଛନ୍ତି। ରେଲୱେ କହିବା ଅନୁସାରେ, ପ୍ରଥମେ ବଡ଼ ବଡ଼ ସହରର ବ୍ୟସ୍ତବହୁଳ ରେଳ ଷ୍ଟେସନଗୁଡ଼ିକରେ ଲାଗିବ ୟୁଜର ଚାର୍ଜ। ବର୍ତ୍ତମାନ ସାରା ଦେଶର ୭ ହଜାର ଷ୍ଟେସନ ମଧ୍ୟରୁ ୧୦ରୁ ୧୫ ପ୍ରତିଶତ ଷ୍ଟେସନରେ ଏହି ଚାର୍ଜ ଲାଗୁହେବ। ଅର୍ଥାତ୍ ୧ ହଜାରୁ ଅଧିକ ଷ୍ଟେସନରେ ଏହି ଶୁଳ୍କ ଲାଗୁ ହେବ। ନୀତି ଆୟୋଗ ସିଇଓ ଅମିତାଭ କାନ୍ତ କହିଛନ୍ତି, ପିପି ମଡେଲରେ ଏସବୁ ରେଳ ଷ୍ଟେସନକୁ ଅନ୍ତର୍ଜାତୀୟ ମାନର କରାଯିବ। ଏହାର ବିଡିଂରେ ଦେଶ ତଥା ବିଦେଶର କମ୍ପାନୀଗୁଡ଼ିକୁ ଭାଗ ନେବାକୁ ଆହ୍ୱାନ କରାଯାଇଛି। ଏହାଦ୍ୱାରା ନୂଆଦିଲ୍ଲୀ ଓ ମୁମ୍ବାଇ ପରି ସହରରେ ଥିବା ରେଳ ଷ୍ଟେସନଗୁଡ଼ିକର କାୟାକଳ୍ପ ବଦିଯିବ। କୁହାଯାଉଛି, ଦେଶର ଜିଡିପିରେ ରେଲୱେ ୧.୫ରୁ ୨ ପ୍ରତିଶତ ଯୋଗଦାନ କରିପାରିବ। ତେବେ ରେଲୱେର ଘରୋଇକରଣ ପ୍ରସଙ୍ଗକୁ ଅମିତାଭ କାନ୍ତ ଅସ୍ୱୀକାର କରିଛନ୍ତି।

%d bloggers like this: