ଅନୁଷ୍ଠାନ ପ୍ରତି କୃତଜ୍ଞତାବୋଧ ଜରୁରୀ

ଅନୁଷ୍ଠାନ ପ୍ରତି କୃତଜ୍ଞତାବୋଧ ଜରୁରୀ

ପ୍ରିଜମ ନ୍ୟୁଜ ବ୍ୟୁରୋ : ପ୍ରତ୍ୟେକ ଶିକ୍ଷାନୁଷ୍ଠାନରୁ ଛାତ୍ରଛାତ୍ରୀ ଜ୍ଞାନ, ବିଜ୍ଞାନ, କୌଶଳ ଆଦି ଅନେକ କଥା ଶିଖିଥାନ୍ତି । ଯାହା ସେମାନଙ୍କୁ ଜୀବନରେ ଆଗକୁ ବଢ଼ିବାରେ ସହାୟକ ହୁଏ । ତା’ର ପ୍ରତିଦାନରେ ସେମାନେ ଅନୁଷ୍ଠାନକୁ କିଛି ଫେରାଇବା ଉଚିତ୍‍ । ଅନ୍ତତଃ ଅନୁଷ୍ଠାନ ପ୍ରତି କୃତଜ୍ଞତାବୋଧ ଓ କର୍ତ୍ତବ୍ୟବୋଧ ରହିବା ଜରୁରୀ । ଯାହା ଗୋଟିଏ ଅନୁଷ୍ଠାନକୁ ଆଗକୁ ବଢ଼ାଇ ଥାଏ ।

ଢେଙ୍କାନାଳ ସ୍ଥିତ ଭାରତୀୟ ଜନ ସଂଚାର ସଂସ୍ଥାନ(ଆଇଆଇଏମ୍‍ସି)ର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଡ. ମୃଣାଳ ଚାଟାର୍ଜୀ ଏହା କହିଛନ୍ତି ।ସଂସ୍ଥାନର ପ୍ରେକ୍ଷାଳୟରେ ଆଇଆଇଏମ୍‍ସି ପୁରାତନ ଛାତ୍ର ସଂଘ ‘ଇମ୍‍କା’ ଓଡି଼ଶା ଶାଖାର ୧୦ମ ମିଳନ ଉତ୍ସବ ‘କନେକସନ-୨୦୨୨’(ସଂଯୋଗ ୨୦୨୨) ଅନୁଷ୍ଠିତ ହୋଇଛି । ମୁଖ୍ୟ ଅତିଥି ଭାବେ ପ୍ରଫେସର ଚାଟାର୍ଜୀ ଯୋଗଦେଇ କହିଛନ୍ତି, ଅନୁଷ୍ଠାନ ଏକ ଜୀବନ ସଦୃଶ । ଏହା ଯେତେଦିନ ପର୍ଯ୍ୟନ୍ତ ବଞ୍ଚିରହିବ ଛାତ୍ରମାନେ ସେତେଦିନ ପର୍ଯ୍ୟନ୍ତ ଗର୍ବ ଅନୁଭବ କରିବେ । ପୁଣି ପୁରାତନ ଛାତ୍ରମାନେ ଚାହିଁଲେ ଅନୁଷ୍ଠାନର ଗୌରବକୁ ବଢ଼ାଇପାରିବେ । ପ୍ରତ୍ୟେକ ବ୍ୟକ୍ତି ନିଜର ଅନୁଷ୍ଠାନ ସହ ଯୋଡି଼ହୋଇ ପ୍ରତିଦାନ ସ୍ୱରୂପ କର୍ତ୍ତବ୍ୟବୋଧକୁ ଅନୁଭବ କରିବା ହିଁ ଯଥାର୍ଥ ହେବ ।ଇମ୍‍କା ସଦସ୍ୟ ତଥା ହିନ୍ଦୁସ୍ଥାନ ଟାଇମ୍ସର ଡିଜିଟାଲ ସମ୍ପାଦକ ପ୍ରଭାସ ଝା କହିଛନ୍ତି, ଆଇଆଇଏମସି ମତେ ଗଢ଼ିଛି । ଜୀବନରେ ଯାହା କିଛି ହୋଇଛି, ଯାହା କିଛି ପାଇଛି, ତାହା ଆଇଆଇଏମସି ପାଇଁ ହିଁ ସମ୍ଭବ ହୋଇଛି । ଗତ ୧୦ ବର୍ଷ ଧରି ଇମ୍‍କା ଆଇଆଇଏମ୍‍ସି ଓ ପୁରାତନ ଛାତ୍ରଛାତ୍ରୀଙ୍କ ସହ ଯୋଡି଼ହୋଇ ରହିବାର ସୁଯୋଗ ତିଆରି କରିଛି । ସମସ୍ତ ପୁରାତନ ଛାତ୍ରମାନଙ୍କୁ ଏକାଠି କରିବାରେ ଏକ ବଡ଼ ଭୂମିକା ନେଇଛି । ପ୍ରତିଷ୍ଠାତା ସଦସ୍ୟ ରିତେଶ ବର୍ମା ସଂଘର ଉଦ୍ଦେଶ୍ୟ ଏବଂ କାର୍ଯ୍ୟକାରିତା ଉପରେ କହିଥିଲେ । ଶତପ୍ରତିଶତ ସଦସ୍ୟ ଇମ୍‍କା ସହ ଯୋଡ଼ି ହେବାକୁ ଆହ୍ୱାନ ଦେଇଥିଲେ । ଏହାଫଳରେ ସମସ୍ତେ ନିଜର ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ପରସ୍ପରର ସାହାଯ୍ୟରେ ଆସିପାରିବାର ସୁଯୋଗ ସୃଷ୍ଟି ହେବ ବୋଲି ସେ କହିଥିଲେ । ପୁରାତନ ଛାତ୍ର ତଥା ହିନ୍ଦୁସ୍ଥାନ ଟାଇମ୍ସର ମୁଖ୍ୟ କଣ୍ଟେଣ୍ଟ ଅଫିସର୍ ପ୍ରସାଦ ସନ୍ୟାଲ୍ ଛାତ୍ର ଜୀବନରେ ଥିବା ତାଙ୍କ ଅନୁଭୂତି ସମ୍ପର୍କରେ କହିଥିଲେ । ଓଡ଼ିଶା ଶାଖା ସମ୍ପାଦକ ଜ୍ୟୋତି ପ୍ରକାଶ ମହାପାତ୍ର ସ୍ୱାଗତ ଭାଷଣ ସହ ଚଳିତ ବର୍ଷର ଛାତ୍ରବୃତ୍ତି ଘୋଷଣା କରିଥିଲେ ।

ଇଂରାଜୀ ସାମ୍ବାଦିକତା ଛାତ୍ରୀ ଶର୍ମିଲା ଭଦୋରିଆଙ୍କୁ ବ୍ରିଗେଡ଼ିଅର ଜେଏସ ବାୱା ସ୍ମାରକୀ ଇମକା ମେଧାବୃତ୍ତି, ଛାତ୍ରୀ ଲାଚି ଗୋଲାଙ୍କୁ ଏସଟିଏସ ଥିରୁମଲାଇନାଥନ-ପୋନାମ୍ମଲ ସ୍ମାରକୀ ଇମକା ମେଧାବୃତ୍ତି, ଓଡ଼ିଆ ସାମ୍ବାଦିକତା ଛାତ୍ର ସୁମନ ରଣାଙ୍କୁ ଏମ୍‍ଏନ୍‍ ରଏ ସ୍ମାରକୀ ଇମକା ମେଧାବୃତ୍ତି, ଛାତ୍ର ସଦାଶିବ ଚାନ୍ଦଙ୍କୁ ସେହଦେବ ଓ ସୁଶୀଲା ଚିବର ସ୍ମାରକୀ ଇମକା ମେଧାବୃତ୍ତି ପ୍ରଦାନ କରାଯାଇଥିଲା । ଏହାସହ ଓଡ଼ିଆ ସାମ୍ବାଦିକତା ଛାତ୍ରୀ ଶୁଭଶ୍ରୀ ଶୁଭସ୍ମିତାଙ୍କୁ ପ୍ରଫେସର ବିବି ମହାନ୍ତି ସ୍ମାରକୀ ପୁରସ୍କାର ଓ ଇଂରାଜୀ ସାମ୍ବାଦିକତା ଛାତ୍ରୀ ପାଲକ ଖାରେଙ୍କୁ ପ୍ରଫେସର କେଏମ ଶ୍ରୀବାସ୍ତବ ସ୍ମାରକୀ ପୁରସ୍କାର ପ୍ରଦାନ କରାଯାଇଥିଲା ।

କାର୍ଯ୍ୟକ୍ରମକୁ ଛାତ୍ରୀ ଅନନ୍ୟା ବାଜପେୟୀ ଓ ଶୁଭଶ୍ରୀ ପ୍ରଧାନ ପରିଚାଳନା କରିଥିଲେ । ଇମ୍‍କାର ସଦସ୍ୟ ତଥା ସଂସ୍ଥାନର ସହକାରୀ ପ୍ରଫେସର ଭାବନା ଆଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ । ସେକ୍ସନ ଅଫିସର କେଦାରନାଥ ଜେନା, ବୈଷୟିକ ସଂଯୋଜକ ବଦ୍ରୀନାଥ ଜେନା, ଗ୍ରନ୍ଥାଗାରିକା ଶୁଭଙ୍କରୀ ଦାସ, ଏକାଡେମିକ ଆସୋସିଏଟ ଅଭିଷେକ ରାୟଙ୍କ ସମେତ ବହୁ ପୁରାତନ ଓ ନୂତନ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: