‘ସଂସ୍ଥାନର ବଡ଼ ସ୍ତମ୍ଭ ଥିଲେ ଅଭୟ ପାଢ଼ୀ’: ଆଇଆଇଏମ୍‍ସିରେ ଶ୍ରଦ୍ଧାଞ୍ଜଳି ଅର୍ପଣ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଭାରତୀୟ ଜନସଂଚାର ସଂସ୍ଥାନ(ଆଇଆଇଏମସି) ଯେଉଁ ଦିନରୁ ଆରମ୍ଭ ହୋଇଛି, ସେହିଦିନଠାରୁ ଅଭୟ ପାଢ଼ୀ ଏହା ସହ ଜଡ଼ିତ ହୋଇ ରହିଛନ୍ତି । ସଂସ୍ଥାନର ପ୍ରତିଟି କଥାରେ ସହଭାଗୀ ହୋଇଛନ୍ତି । ଦୀର୍ଘ ୨୮ ବର୍ଷ ଧରି ଆଇଆଇଏମସିର ଛାତ୍ରଛାତ୍ରୀଙ୍କୁ ସେ ପାଠ ପଢାଇଛନ୍ତି । ତାଙ୍କର ବିୟୋଗରେ ଆଇଆଇଏମସି ଆପଣା ଘରର ମୂରବୀଙ୍କୁ ହରେଇ ଦେଲା ବୋଲି ସଂସ୍ଥାନର କର୍ମଚାରୀମାନେ କହିଛନ୍ତି ।
ପ୍ରସାର ଭାରତୀର ପୂର୍ବତନ ଅତିରିକ୍ତ ମହାନିର୍ଦ୍ଦେଶକ(ଏଡିଜି) ଅଭୟ କୁମାର ପାଢ଼ୀଙ୍କର ବିୟୋଗ ପରେ ଆଜି ସଂଧ୍ୟାରେ ଆଇଆଇଏମସି ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥଲା । ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ମୃଣାଳ ଚାଟାର୍ଜୀ କହିଥିଲେ- ଅଭୟ ପାଢୀଙ୍କ ବିୟୋଗ ଆଇଆଇଏମସି ପାଇଁ ଅପୂରଣୀୟ କ୍ଷତି । ରେଡ଼ିଓ ସଂପର୍କରେ ତାଙ୍କର ଜ୍ଞାନ ଅଗାଧ ଥିଲା । ଗୁଣାତ୍ମକ ଶିକ୍ଷାଦାନର ବିକାଶ ଓ ପ୍ରୟୋଗରେ ବିଶ୍ୱାସୀ ଅଭୟ ପାଢୀ ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ମଧ୍ୟ ଓଡ଼ିଶା ପାଇଁ ଅନେକ କିଛି କରିଯାଇଛନ୍ତି । ବିଭିନ୍ନ ଭାରତୀୟ ଭାଷାରେ ଦଖଲ ରଖିଥିବା ଅଭୟ ପାଢୀ, ଶିକ୍ଷାଦାନ ଓ ଛାତ୍ରଛାତ୍ରୀଙ୍କ ଗହଣରେ ରହିବାକୁ ଭଲ ପାଉଥିଲେ ।


ଆଇଆଇଏମସିର ଲାଇବ୍ରେରିଆନ ଶୁଭଙ୍କରୀ ଦାସ କହିଥିଲେ- ଅଭୟ ସାରଙ୍କ ସହ ସଂସ୍ଥାନର ଅନେକ ସ୍ମୃତି ଜଡ଼ିତ । ଜଣେ ମୂରବୀ ଓ ଜଣେ ଶୁଭେଚ୍ଛୁ ଆଜି ଚାଲିଗଲେ । ଅନ୍ୟମାନଙ୍କ ମଧ୍ୟରେ ସହକାରୀ ପ୍ରଫେସର ସମ୍ବିତ ପାଲ, ଡ. ଜ୍ୟୋତି ପ୍ରକାଶ ମହାପାତ୍ର, ସେକ୍ସନ ଅଫିସର କେଦାରନାଥ ଜେନା, ଜିତେନ୍ଦ୍ର ପତି, ବଦ୍ରିନାଥ ଜେନା, ସୌମ୍ୟ ରଂଜନ ବିହାରା, ପଦ୍ମଲୋଚନ ପ୍ରଧାନ ପ୍ରମୁଖ ଅଭୟ ପାଢୀଙ୍କ ସ୍ମୃତିଚାରଣ କରିଥିଲେ ।
ଆଜି(ସୋମବାର) ପୂର୍ବାହ୍ଣରେ ଅଭୟ ପାଢୀଙ୍କ ପରଲୋକ ହୋଇଛି । କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ଅବସ୍ଥାରେ ବରଗଡ଼ର ଏକ ଘରୋଇ ଚିକିତ୍ସାଳୟରେ ତାଙ୍କ ମୃତ୍ୟୁ ହୋଇଥିଲା । ତାଙ୍କୁ ୭୧ ବର୍ଷ ହୋଇଥିଲା ।
ଅଭୟ ପାଢୀ ଭାରତୀୟ ସୂଚନା ସେବାର ବରିଷ୍ଠ ଅଧିକାର ଥିଲେ । ଅଧ୍ୟାପନାରୁ ନିଜର କ୍ୟାରିଅର ଆରମ୍ଭ କରିଥିବା ଶ୍ରୀ ପାଢୀ ସୂଚନା ସେବାରେ ଯୋଗ ଦେଇ ବାରିପଦା, କଟକ ଆକାଶବାଣୀ କେନ୍ଦ୍ରର ନିର୍ଦ୍ଦେଶକ ଥିଲେ । ସେ କଲିକତା ଦୂରଦର୍ଶନର ମୁଖ୍ୟ ଥିଲେ । ଭାରତର ସବୁ ପ୍ରାନ୍ତରରେ କାର୍ଯ୍ୟ କରି ଅଭୟ ପାଢୀ ପ୍ରସାର ଭାରତୀୟ ଅତିରିକ୍ତ ମହାନିର୍ଦ୍ଦେଶକ ଭାବେ ଅବସର ନେଇଥିଲେ ।

%d bloggers like this: