କାଶ୍ମୀର ସୁରକ୍ଷାକୁ ନେଇ ଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକ

କାଶ୍ମୀର ସୁରକ୍ଷାକୁ ନେଇ ଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଜମ୍ମୁ-କଶ୍ମୀର ସୁରକ୍ଷା ପ୍ରସଙ୍ଗରେ ଦିଲ୍ଲୀରେ ହୋଇଛି ଉଚ୍ଚସ୍ତରୀୟ ବୈଠକ। ଜମ୍ମୁ ଓ କଶ୍ମୀରରେ ଗଲା କିଛି ଦିନ ଧରି ଲଗାତାର ଭାବେ ବଢି ଚାଲିଥିବା ଟାର୍ଗେଟ୍‌ କିଲିଂ ଘଟଣା ଓ ଏହାର ମୁକାବିଲା ଲାଗି ରଣନୀତି ସ୍ଥିର କରିବାକୁ ଗୃହମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି। ଅମିତ ଶାହଙ୍କ ନେତୃତ୍ୱରେ ଅନୁଷ୍ଠିତ ଏ ବୈଠକରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ସ୍ଥଳସେନା ମୁଖ୍ୟ ଜେନରାଲ ମନୋଜ ପାଣ୍ଡେ, ଗୃହ ସଚିବ ଅଜୟ କୁମାର ଭାଲା, ର‘ ମୁଖ୍ୟ ସାମନ୍ତ ଗୋଏଲ, ସିଆରପିଏଫ ଡିଜି କୁଲଦୀପ ସିଂ, ବିଏସଏଫ୍‌ ମୁଖ୍ୟ ପଙ୍କଜ ସିଂହ, ଜମ୍ମୁ ଓ କାଶ୍ମୀର ଡିଜିପି ଦିଲବାଗ ସିଂ ପ୍ରମୁଖ ଯୋଗ ଦେଇଥିଲେ।

ବୈଠକ ପରେ ସ୍ଥିତି ସମୀକ୍ଷା ଲାଗି ଗୃହମନ୍ତ୍ରୀ ଅମିତ ଶାହ ଖୁବଶୀଘ୍ର ଗ୍ରାଉଣ୍ଡ ଜିରୋକୁ ଯିବେ ବୋଲି ସୂଚନା ମିଳିଛି। ଗଲା ମାସକ ଭିତରେ ଭାରତର ଭୂସ୍ୱର୍ଗ କାଶ୍ମୀର ଅପେକ୍ଷାକୃତ ଅଧିକ ଅଶାନ୍ତ ହୋଇଛି। ପୁଣି ହଠାତ ହିଂସ୍ର ହୋଇଛନ୍ତି, ନୀରବ ଓ ଶାନ୍ତ ଥିବା ଉଗ୍ରବାଦୀ ଗୋଷ୍ଠୀ। ବିଶେଷକରି ହିନ୍ଦୁ, କଶ୍ମୀର ପଣ୍ଡିତ ଓ କଶ୍ମୀର ବାହାରର ଲୋକଙ୍କୁ ଲଗାତର ଟାର୍ଗେଟ୍‌ କିଲିଂ ହେଉଛି।

ଉପତ୍ୟକାରେ ହିଂସାର ଏ ନୂଆ ସିରିଜ୍‌ ଉପରେ ନଜର ପକାଇଲେ, ମେ ପହିଲାରୁ ଶୁକ୍ରବାର ଯାଏଁ ୯ ଜଣ ଲୋକଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ। ମେ ୧୨ରେ ତହସିଲ ଅଫିସ୍‌ କର୍ମଚାରୀ ରାହୁଲ ଭଟ୍ଟ, ମେ ୨୫ରେ ଟିଭି ଅଭିନେତ୍ରୀ ଅମ୍ରିନ୍‌ ଭଟ୍ଟ, ମେ ୩୧– ସ୍କୁଲ ଶିକ୍ଷୟିତ୍ରୀ ରଜନୀ ବାଲା। ଏମାନଙ୍କ ସହ ଅଫ୍‌ ଡ୍ୟୁଟିରେ ଥିବା ୩ ପୋଲିସ କର୍ମଚାରୀ, ଜଣେ ବ୍ୟବସାୟୀ ଏବଂ କୁଲଗାମରେ ଆତଙ୍କୀଙ୍କ ଶିକାର ପାଲଟିଥିଲେ ଜଣେ ବ୍ୟାଙ୍କ ମ୍ୟାନେଜର ଓ ଜଣେ ବିହାରର ଶ୍ରମିକ। ଯାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ହେଉଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: