ସ୍ୟାଟ୍ ଉଚ୍ଛେଦ ପ୍ରସଙ୍ଗ: ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାଇବେ ହାଇକୋର୍ଟ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସ୍ୟାଟ୍‍ ଉଚ୍ଛେଦ ସଂକ୍ରାନ୍ତୀୟ ସରକାରୀ ନିଷ୍ପତ୍ତି ଠିକ୍‍ କି ଭୁଲ୍‍ ଏବଂ ଏଠି ପଡ଼ି ରହିଥିବା ମାମଲାଗୁଡ଼ିକର କିଭଳି ଫଇସଲା ହେବ ସେ ସଂକ୍ରାନ୍ତରେ ହାଇକୋର୍ଟ ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାଇବେ। ଇତି ମଧ୍ୟରେ ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି ସାରି ରାୟ ସଂରକ୍ଷିତ ରଖିଛନ୍ତି। ଉଲ୍ଲେଖନୀୟ ଯେ, ଦେଶର ପ୍ରଥମ ରାଜ୍ୟ ପ୍ରାଶାସନିକ ନ୍ୟାୟାଧିକରଣ ଭାବେ ୧୯୮୬ ମସିହାରେ ଓଡ଼ିଶାରେ ସ୍ୟାଟ୍‍ ସ୍ଥାପିତ ହୋଇଥିଲା। କେନ୍ଦ୍ରୀୟ ଆଇନ ଆଧାରରେ ସରକାରୀ କର୍ମଚାରୀମାନଙ୍କ ଚାକିରି ସର୍ତ୍ତାବଳୀ, ଚାକିରି ପ୍ରତ୍ୟାଶୀଙ୍କ ସମସ୍ୟା ଓ ପେନ୍‍ସନଭୋଗୀଙ୍କ ସୁବିଧା ଅସୁବିଧା ସଂକ୍ରାନ୍ତରେ ସ୍ୟାଟ୍‍ରେ ମାମଲା ରୁଜୁ ହୋଇଥାଏ ଏବଂ ଉଭୟ ବିଚାର ବିଭାଗୀୟ ଓ ପ୍ରାଶାସନିକ ସଦସ୍ୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାଗୁଡ଼ିକର ବିଚାର କରି ଆସୁଥିଲେ। କେନ୍ଦ୍ରୀୟ ପ୍ରାଶାସନିକ ନ୍ୟାୟାଧିକରଣ (କ୍ୟାଟ୍‍) ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ କାର୍ଯ୍ୟ କରୁଥିବାବେଳେ ରାଜ୍ୟ ସରକାରଙ୍କ ପ୍ରସ୍ତାବ ଉପରେ ମୋହର ବସାଇ କେନ୍ଦ୍ର ସରକାର ୨୦୧୯ରେ ଓଡ଼ିଶାର ସ୍ୟାଟ୍‍ ଉଚ୍ଛେଦ ସଂକ୍ରାନ୍ତୀୟ ଗେଜେଟ ବିଜ୍ଞପ୍ତି ପ୍ରକାଶ କରିଥିଲେ। ୨୦୧୯ ନିର୍ବାଚନ ପୂର୍ବରୁ କେନ୍ଦ୍ର ମନ୍ତ୍ରୀମାନେ ସ୍ୟାଟ୍‍ ଉଚ୍ଛେଦ ବିରୁଦ୍ଧରେ ଖୋଲା ମତବ୍ୟକ୍ତ କରୁଥିବାବେଳେ ବିଜେପି ତାହାର ନିର୍ବାଚନ ଇସ୍ତାହାରରେ ବି ଏହି ପ୍ରସଙ୍ଗ ରଖିଥିଲା। କିନ୍ତୁ ୨୦୧୯ର ସାଧାରଣ ର୍ନିବାଚନରେ କୌଣସି କେନ୍ଦ୍ରମନ୍ତ୍ରୀ କି ବିଜେପି ନେତା ଆଉ ସ୍ୟାଟ୍‍ ଉଚ୍ଛେଦ ବିରୁଦ୍ଧରେ ସ୍ୱର ଉଠାଉ ନାହାନ୍ତି। ଓଲଟା ରାଜ୍ୟ ସରକାରଙ୍କ ସ୍ୟାଟ୍‍ ଉଚ୍ଛେଦ ପ୍ରସ୍ତାବକୁ ସ୍ୱୀକୃତି ଦେଇଛନ୍ତି। ଏହି ପ୍ରସଙ୍ଗରେ ଆଇନଜୀବୀମାନେ ଆନ୍ଦୋଳନ କରିବା ସହ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗ ହାଇକୋର୍ଟରେ ଉପସ୍ଥାପନ କରିବାପାଇଁ ମତଦେବାରୁ ସ୍ୟାଟ୍‍ ଉଚ୍ଛେଦ ବିରୁଦ୍ଧରେ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍‍ ମୁରଲୀଧର ଓ ଅନ୍ୟତମ ବିଚାରପତି ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ବିସ୍ତୃତ ଶୁଣାଣି ଶେଷକରି ରାୟ ସଂରକ୍ଷିତ ରଖିଛନ୍ତି।

ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ଅଶୋକ ପରିଜା ଓ ଆଇନଜୀବୀମାନଙ୍କ ପକ୍ଷରୁ ବରିଷ୍ଠ ଆଡଭୋକେଟ୍ ବୁଦ୍ଧଦେବ ରାଉତରାୟ ଓ ଅନ୍ୟମାନେ ମାମଲା ପରିଚାଳନା କରିଥିଲେ। ସ୍ୟାଟ୍‍ ଉଚ୍ଛେଦ ବେଳକୁ ସେଠାରେ ପ୍ରାୟ ୭୨ହଜାର ମାମଲା ବିଚାର ପ୍ରତୀକ୍ଷାରେ ଥିଲା। ତେବେ ସରକାରଙ୍କ ଯୁକ୍ତି ହେଉଛି ଯେ, ଏଥିରୁ ପ୍ରାୟ ୬ହଜାର ମାମଲା ହାଇକୋର୍ଟକୁ ସ୍ଥାନାନ୍ତରିତ ହୋଇଛି।