ଛେଳି ମାଂସଠୁ ବି ଦାମୀ ଏହି ଆମ୍ବ, ଗୋଟିଏ ଆମ୍ବକୁ ୧୦୦୦ ଟଙ୍କା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆମ୍ବ ଖାଇବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ। ଆମ୍ବ କଷି ସମୟରୁ ପାଚିଲା ପର୍ଯ୍ୟନ୍ତ ସବୁକୁ ଲୋକମାନେ ବେଶ ପସନ୍ଦ କରିଥାନ୍ତି। ଆମ୍ବ ପ୍ରିୟ ଲୋକମାନେ ଭଳିକି ଭଳି କିସମର ଆମ୍ବ ଖାଇବାକୁ ସଉକ ରଖିଥାନ୍ତି। କେବଳ ଆମ୍ବ ଖାଇବା ପାଇଁ ଲୋକମାନେ ଗ୍ରୀଷ୍ମ ଋତୁକୁ ଅପେକ୍ଷା କରି ବସିଥାନ୍ତି। ତେବେ ବଜାରରେ ଆମ୍ବ ସାଧାରଣ ଭାବେ କିଲୋ ପ୍ରତି ୧୦ ଟଙ୍କାରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇଥାଏ। କିନ୍ତୁ ଆପଣ କେବେ ଗୋଟିଏ ଆମ୍ବକୁ ୧୦୦୦ କି ୧୨୦୦ ଟଙ୍କାରେ ବିକ୍ରି ହେଉଥିବାର ଦେଖିଛନ୍ତି ବା କିଣୁଛନ୍ତି କି? ଯଦିଓ, ଆପଣକୁ କଥାଟି ଅବିଶ୍ବାସ ଲାଗିପାରେ, କିନ୍ତୁ ଏହା ସମ୍ପୂର୍ଣ୍ଣ ସତ୍ୟ। ମଧ୍ୟପ୍ରଦେଶର ଆଲିରାଜପୁର ଜିଲ୍ଲାରେ ଲଗାଯାଇଥିବା ‘ନୁରଜାହାନ’ ଆମ୍ବ ଭଲ ଅମଳ ଏବଂ ଅଧିକ ବଡ ଆକାର ଫଳ ହେତୁ ଏହିଭଳି ଦରରେ ବିକ୍ରି ହେଉଛି। ଏହା ଏକ ବିଶେଷ ପ୍ରଜାତିର ଆମ୍ବ।
ଏନେଇ ଜଣେ କୃଷକ କହିଛନ୍ତି ଯେ ଗତ ବର୍ଷ ତୁଳନାରେ ଚଳିତ ସିଜନରେ ‘ନୁର ଜାହାନ’ ଆମ୍ବ ଗୋଟିଏ କୁ ୫୦୦ ରୁ ୧୦୦୦ ଟଙ୍କା ରହିଛି, ଅନୁକୂଳ ପାଗ ଯୋଗୁଁ ଏଥର ଏହି ଆମ୍ବ କିସମର ଅମଳ ଭଲ ହୋଇଛି। ମଧ୍ୟପ୍ରଦେଶର ଆଲିରାଜପୁର ଜିଲ୍ଲାର କାଥିୱାଡା ଅଞ୍ଚଳରେ କେବଳ ଏହି ଆମ୍ବ ପ୍ରଜାତିର ଅଳ୍ପ ଗଛ ଦେଖିବାକୁ ମିଳେ। ଏହି ସ୍ଥାନଟି ଗୁଜୁରାଟକୁ ମଧ୍ୟ ଲାଗିଛି। ଇନ୍ଦୋରଠାରୁ ପ୍ରାୟ ୨୫୦ କିଲୋମିଟର ଦୂରରେ ରହିଛି କାଥିୱାଡା। ଏଠାକାର ଆଉ ଜଣେ ଆମ୍ବ ଚାଷୀ ଶିବରାଜ ସିଂ ଯାଦବ କୁହନ୍ତି, “ମୋ ବଗିଚାରେ ତିନୋଟି ନୁରଜାହାନ ଆମ୍ବ ଗଛରେ ସମୁଦାୟ ୨୫୦ଟି ଫଳ ହୋଇଛି। ସେଗୁଡିକ ନେବା ପାଇଁ ଆଗୁଆ ବୁକିଂ ହୋଇସାରିଛି। ଲୋକମାନେ ନୁର ଜାହାନର ଆମ୍ବ ପାଇଁ ୫୦୦ ରୁ ୧୦୦୦ ଟଙ୍କା ମଧ୍ୟରେ ମୂଲ୍ୟ ଦେଇଛନ୍ତି। ଏହି ନୁରଜାହାନ ଆମ୍ବ ଫଳର ଓଜନ ୨ ରୁ ୪ କିଲୋଗ୍ରାମ ପର୍ଯ୍ୟନ୍ତ ହୋଇଥାଏ।
ଏନେଇ କାଥିୱାଡାର ନୁର ଜାହାନ ଉଦ୍ୟାନ କୃଷି ବିଭାଗର ବିଶେଷଜ୍ଞ ଇଶାକ ମାନସୁରୀ କହିଛନ୍ତି ଯେ ଏଥର ନୁରଜାହାନ ଆମ୍ବ ଫସଲ ଭଲ ହୋଇଛି, କରୋନା ସତ୍ତ୍ଵେ ଆମ୍ବ ବ୍ୟବସାୟ ଉପରେ କୌଣସି ପ୍ରଭାବ ପଡି ନାହିଁ। ସେ କହିଥିଲେ ଯେ ୨୦୨୦ ମସିହାରେ ଜଳବାୟୁର ଖରାପ ପ୍ରଭାବ ଯୋଗୁଁ ନୁରଜାହାନ ଆମ୍ବ ଫଳ ଭଲ ହୋଇ ନଥିଲା। ଏହାସହ ସେ କହିଛନ୍ତି ଯେ ୨୦୧୯ ମସିହାରେ ନୁରଜାହାନ ଫଳର ହାରାହାରି ଓଜନ ପ୍ରାୟ ୨.୭୫ କିଲୋଗ୍ରାମ ଥିଲା। ସେହିବର୍ଷ ଲୋକମାନେ କେବଳ ଗୋଟିଏ ଫଳ ପାଇଁ ୧୨୦୦ ଟଙ୍କା ପର୍ଯ୍ୟନ୍ତ ମଧ୍ୟ ମୂଲ୍ୟ ଦେଇଥିଲେ।

Leave a Reply

Your email address will not be published. Required fields are marked *