୩୨ ପ୍ରସ୍ତାବକୁ ଅନୁମୋଦନ

୩୨ ପ୍ରସ୍ତାବକୁ ଅନୁମୋଦନ

ପ୍ରିଜମ ନ୍ୟୁଜ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୁଧବାର ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଭର୍ଚୁଆଲ ମୋଡ୍‌ରେ ଅନୁଷ୍ଠିତ ହୋଇଛି। ଏହି ବୈଠକ ୩୨ ମିନିଟ୍‌ରେ ଶେଷ ହୋଇଥିବା ବେଳେ ଏଥିରେ ମୋଟ୍‌ ୩୨ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ରାଜ୍ୟ ସରକାର।ଏହି ବୈଠକରେ ସରକାର ଇଡ୍‌କୋକୁ ୬୨କୋଟି ୬୩ଲକ୍ଷ ଟଙ୍କା ଯୋଗାଇବେ ବୋଲି ଘୋଷଣା କରିଛନ୍ତି।

ବାରଙ୍ଗ ଅଞ୍ଚଳରେ ଟାଟା ପାଇଁ ଅଧିକୃତ ଜମି ଇଡ୍‌କୋକୁ ଯିବ। ୨୪ ଘରୋଇ ଉଚ୍ଚ ପ୍ରାଥମିକ ସ୍କୁଲକୁ ସରକାରୀ ଅନୁଦାନ ମିଳିବ। ଏହା ଦ୍ୱାରା ୪୭ ଜଣ ଶିକ୍ଷକ ଉପକୃତ ହେବେ , ବର୍ଷକୁ ୬୮ଲକ୍ଷ ଖର୍ଚ୍ଚ ହେବ। ଜଳ ସମ୍ପଦ ବିଭାଗର ବିଭିନ୍ନ ପ୍ରସ୍ତାବ ନେଇ କ୍ୟାବିନେଟର ମୋହର ବାଜିଛି। ରାଜ୍ୟରେ ୧ଲକ୍ଷ ନୂଆ ବୋରଓ୍ବେଲ ଖନନ କରାଯିବ। ଆସନ୍ତା ୫ବର୍ଷ ମଧ୍ୟରେ ୧ଲକ୍ଷ କ୍ଲଷ୍ଟର ବୋରଓ୍ବେଲ ଯୋଜନା ରହିଛି। ୪ହଜାର ୧୯୮କୋଟି ଖର୍ଚ୍ଚ ହେବ, ୫ଲକ୍ଷ ହେକ୍ଟର ଜମି ଜଳସେଚିତ ହେବ। ଏହା ଦ୍ୱାରା ୧ଲକ୍ଷରୁ ଅଧିକ କୃଷକ ପରିବାର ଉପକୃତ ହେବେ। ଅନୁଗୋଳ ମେଗା ଆଲୁମିନିୟମ ପାର୍କ ପାଇଁ ଇଡ୍‌କୋକୁ ୪୨୮କୋଟି। ୮୭୧ଏକର ଜମିର ବିକାଶ ପାଇଁ ୬୨ କୋଟି ଖର୍ଚ୍ଚ କରାଯିବ। ଆସନ୍ତା ୩ବର୍ଷରେ ୧୨୮୦ ଚେକ୍‌ ଡ୍ୟାମ ନିର୍ମାଣ ହେବ। ଡ୍ୟାମ, ଖର୍ଚ୍ଚ ହେବ ୧୧୧କୋଟି ଟଙ୍କା ଜଳ ସେଚନ ସହ ଭୂତଳ ଜଳସ୍ତର ବୃଦ୍ଧି ପାଇଁ ଯୋଜନା। ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପରେ ସାମିଲ ହେଲା ୧୨ନୂଆ ଗାଁ । ୧୨ଗାଁର ୫,୫୫୦ହେକ୍ଟର ଜମି ଜଳସେଚିତ, ଖର୍ଚ୍ଚ ୧୮୫କୋଟି । ଡ୍ରିମ୍ସ ବିଶ୍ୱବିଦ୍ୟାଳୟ ପ୍ରସ୍ତାବ ଅନୁମୋଦିତ ହୋଇଛି। ୭୦ ଲକ୍ଷ ଏସ୍‌ଏଚ୍‌ଜି ମହିଳା ସଦସ୍ୟାଙ୍କ ପାଇଁ ବଜାର ସୃଷ୍ଟି ହେବ।

ଅନ୍ୟପକ୍ଷରେ କେବଳ କ୍ୟାବିନେଟ୍‌ ବୈଠକରେ ୨୯ଟି ପ୍ରସ୍ତାବ ଆସିବ ବୋଲି ଆଜି ମଧ୍ୟାହ୍ନରେ ମନ୍ତ୍ରୀମାନଙ୍କ କାର୍ଯ୍ୟାଳୟକୁ ଲିଖିତ ଭାବେ ସୂଚିତ କରାଯାଇଥିଲା। କିନ୍ତୁ ବୈଠକରେ ଏହି ପ୍ରସ୍ତାବ ସଂଖ୍ୟା ବଢ଼ି ୩୨ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଥିବା ଜଣାପଡ଼ିଛି। ଏହାକୁ ନେଇ ରାଜନୈତିକ ମହଲରେ ନାନା ଚର୍ଚ୍ଚା ଆରମ୍ଭ ହୋଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: