ଜୀବନର ସୁଆଦ ଅଛି, ମରଣ ନାହିଁ, ଦୁଃଖ ନାହିଁ

ପ୍ରିଜମ୍ ନ୍ୟୁଜ(ସ୍ୱତନ୍ତ୍ର): ଗୋପୀନାଥ ମହାନ୍ତି। ଓଡ଼ିଆ ସାହିତ୍ୟର ଜଣେ ଯୁଗଜନ୍ମା। ଫକୀର ମୋହନ ସେନାପତିଙ୍କ ଭଳି ଜଣେ ସାହିତ୍ୟ ସାଧକ। କେବେକେବେ ତାଙ୍କ କଲମ ନିରିହ ଆଦିବାସୀ ‘ପରଜା’ ରୂପରେ ମାଣ୍ଡିଆ ଜାନିର ନିରବଚ୍ଛିନ୍ନ ପ୍ରେମକୁ ପ୍ରତିଫଳିତ କରିଥାଏ। ପୁଣି କେବେ କନ୍ଧ ଜାତିର ‘ଅମୃତର ସନ୍ତାନ’ ସର୍ଦ୍ଦାର ସରବୁ ସାଓଁତାର ସରଳ ହୃଦୟର ଗୁଣ ବଖାଣିଥାଏ। ଆଉ କେତେବେଳେ ‘ହରିଜନ’ ମାଧ୍ୟମରେ ପୁନିକୁ ସ୍ୱପ୍ନ ଦେଖାଇ ସେ ଜୀବନର ବାଟ ବତାନ୍ତି। ଆଦିବାସୀ, ଅନ୍ୟାନ୍ୟ ଜନଜାତି ଗାଉଁଲି ସରଳ, ନିରଳସ ଜୀବନଶୈଳୀକୁ ନେଇ ତାଙ୍କର କଲମ ଅହରହ ଲେଖୁଥିଲା। ୧୯୧୪ ମସିହା ଏପ୍ରିଲ ୨୦ ତାରିଖରେ କଟକ ନାଗବଳିରେ ଜନ୍ମ ନିଅନ୍ତି ଓଡ଼ିଆ ସାହିତ୍ୟର ଅନ୍ୟତମ ଧୂରୀଣ ଯୋଦ୍ଧା ଗୋପୀନାଥ ମହାନ୍ତି। ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ପାଇଥିବା ଏହି ସାଧକ, ଓଡ଼ିଆ ସାହିତ୍ୟରେ ୨୪ଟି ଉପନ୍ୟାସ, ୧୦ଟି କ୍ଷୁଦ୍ରଗଳ୍ପ, ୩ଟି ନାଟକ, ୨ଟି ଆତ୍ମଜୀବନୀ, ଲୋକକଥାରେ ୫ଟି ବହି ତଥା ୨ଟି ଅନୁବାଦ(ମାକସିମ୍ ଗର୍କିଙ୍କ ‘ମାଇଁ ୟୁନିଭର୍ସିଟିଜ୍’ ଓ ଲିଓ ଚଲଷ୍ଟୟଙ୍କ ‘ୱାର୍ ଆଣ୍ଡ ପିସ୍’) କରିଛନ୍ତି। କେବଳ ଏତିକି ନୁହେଁ, ଅନେକ ସମ୍ମାନର ଅଧିକାରୀ ମଧ୍ୟ ହୋଇଛନ୍ତି। ସଶ୍ରଦ୍ଧ ସାହିତ୍ୟ ସମ୍ମାନ, ସୋଭିଏତ୍‌ ଲ୍ୟାଣ୍ଡ୍ ନେହେରୁ ପୁରସ୍କାର, ଜ୍ଞାନପୀଠ, ଡି.ଲିଟ୍., ୟୁଜିସି ଫେଲୋସିପ୍‌, ପଦ୍ମ ଭୂଷଣ, କେନ୍ଦ୍ର ସାହିତ୍ୟ ଏକାଡେମୀ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ଆଦି ସମ୍ମାନ ତାଙ୍କୁ ମିଳିଛି।

ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ ରଚିତ। ତାଙ୍କ ଲେଖାରେ ଓଡ଼ିଆ ଚଳଣି, ସମତଳ ଓ ପାହାଡ଼ି ଜୀବନର କାହାଣୀ, ସାଧାରଣ ମଣିଷର କଥାଭାଷା ଆଦିର ବ୍ୟବହାର ଦେଖିବାକୁ ମିଳିଥାଏ। ତାଙ୍କ ପ୍ରମୁଖ ରଚନା ମଧ୍ୟରେ ‘ପରଜା’, ‘ଦାଦିବୁଢ଼ା’, ‘ଅମୃତର ସନ୍ତାନ’, ‘ଛାଇଆଲୁଅ’ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍‍ଜୋସ୍‍ ଷ୍ଟେଟ୍‍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ। ଶୈଶବରେ ଅତି ଚପଳ ଥିବା ଗୋପୀନାଥ ବଡ଼ ଭାଇ କାହ୍ନୁଚରଣଙ୍କଠାରୁ ମାଡ଼ ଖାଇ ସୁଧୁରିଥିଲେ। ରେଭେନ୍ସା ମହାବିଦ୍ୟାଳୟ ଓ ପାଟନା ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ହାସଲ କରିଥିଲେ। ସେ ବୃତ୍ତିରେ ଜଣେ ପ୍ରଶାସକ ଥିଲେ, ମନୋବୃତ୍ତି କିନ୍ତୁ ଜଣେ ସମ୍ୱେଦନଶୀଳ ସ୍ରଷ୍ଟାର ଥିଲା। ଓଡ଼ିଆ ଉପନ୍ୟାସ ଜଗତର ସମ୍ରାଟ୍ କୁହାଯାଉଥିବା ଗୋପୀନାଥ ୧୯୯୧ ମସିହା ଅଗଷ୍ଟ ମାସ ୨୦ ତାରିଖରେ ଇହଲୋକରୁ ବିଦାୟ ନେଇଥିଲେ। ସେ ଏଇ ଜଗତରୁ ବିଦାୟ ସିନା ନେଇଛନ୍ତି, କିନ୍ତୁ ଆଜି ବି ତାଙ୍କ ଉପନ୍ୟାସ କି ଗଳ୍ପର ନାୟକ ଭାବେ ସର୍ବଦା ଦବଦବ କରୁଛନ୍ତି।
‘ଜୀବନର ସୁଆଦ ଅଛି, ମରଣ ନାହିଁ, ଦୁଃଖ ନାହିଁ: ଅମୃତର ସନ୍ତାନ’

Leave a Reply

Your email address will not be published.