ସାବଧାନ ! ଗ୍ଲୋବାଲ୍ ୱାର୍ମିଂ ଆଣିବ କରୋନାଠୁ ଭୟଙ୍କର ମହାମାରୀ

ସାବଧାନ ! ଗ୍ଲୋବାଲ୍ ୱାର୍ମିଂ ଆଣିବ କରୋନାଠୁ ଭୟଙ୍କର ମହାମାରୀ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଦିନକୁ ଦିନ ପୃଥିବୀ ପୃଷ୍ଠରେ ବଢ଼ି ଚାଲିଛି କାର୍ବନ ଡାଇଅକ୍ସାଇଡର ପରିମାଣ। ଆଉ ଏହି କାରଣରୁ ପୃଥିବୀ ଉତ୍ପତ ପିଣ୍ଡ ହେବାରେ ଲାଗିଛି । ଏହାସହ ଗ୍ରୀନ୍ ହାଉସ୍ ଗ୍ୟାସ ମଧ୍ୟ କ୍ରମାଗତ ବୃଦ୍ଧି ହେବାରୁ ପୃଥିବୀର ହାରାହାରି ତାପମାତ୍ରା ବଢୁଛି। ଏହାତ ଆପଣ ଗ୍ରୀଷ୍ମ ଋତିରେ ଖରାର ପ୍ରକୋପ ଦେଖି ଜାଣି ପାରୁଥିବେ । ଏହି ବିଶ୍ଵ ତାପନ କାରଣରୁ ମେରୁ ଅଞ୍ଚଳରେ ଗଚ୍ଛିତ ଗ୍ଲେସିର୍ ତରଳିବାରେ ଲାଗିଛି। ଯେଉଁଥିପାଇଁ କେବଳ ପୃଥିବୀର ଜଳ ଚକ୍ର ପ୍ରଭାବିତ ହେଉଛି ତାହା ନୁହେଁ, ଆଗାମୀ ଦିନ ପାଇଁ ଏକ ବଡ଼ ବିପଦ ଡାକି ଆଣୁଛି ବୋଲି ବୈଜ୍ଞାନିକମାନେ ସଫା ସଫା କହି ଦେଇଛନ୍ତି ।

ନିକଟରେ କରାଯାଇଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଏହି ଗ୍ଲେସିୟର ଭିତରେ ବହୁ ପରିମାଣର ଅଜ୍ଞାତ ଭାଇରସ୍ ଲୁଚି ରହିଛନ୍ତି, ଯାହା ଗ୍ଲେସିୟର ତରଳିବା ପରେ ପୁନଃ ସକ୍ରିୟ ହୋଇ ପୃଥିବୀରେ ମୃତ୍ୟୁର ତାଣ୍ଡବ ସୃଷ୍ଟି କରିପାରନ୍ତି।
ନିକଟରେ ଆମେରିକୀୟ ବୈଜ୍ଞାନିକମାନଙ୍କର ଏକ ଦଳ ତିବ୍ଦତକୁ ଯାଇ ଗ୍ଲାସିଅର ମଧ୍ୟରେ ପୋତି ହୋଇଥିବା ଜୀବାଣୁ ବିଷୟରେ ଅନୁସନ୍ଧାନ କରିଥିଲେ। ସେମନେ ସେଠାରୁ ସଂଗ୍ରହ କରିଥିବା ନମୁନାରୁ ଜଣାପଡିଛି ଯେ, ସେଥିରେ ୨୮ ପ୍ରକାରର ଜୀବନ୍ତ ଜୀବାଣୁ ରହିଥିଲା, ଯାହାକି ୧୫ ହଜାର ବର୍ଷ ଧରି ବରଫ ତଳେ ପୋତି ହୋଇ ରହିଥିଲେ। ବୈଜ୍ଞାନିକମାନେ ଏହା ମଧ୍ୟ କହିଛନ୍ତି ଯେ ଏହା ଅତ୍ୟନ୍ତ ବିପଜ୍ଜନକ ଜୀବାଣୁ । ଯାହା କି ଭିନ୍ନ ଭିନ୍ନ ଜଳବାୟୁରେ ବଞ୍ଚିବାକୁ ସକ୍ଷମ ଅଟନ୍ତି । ଏପରି ପରିସ୍ଥିତିରେ ଯଦି ସେମାନେ ଭବିଷ୍ୟତରେ ସକ୍ରିୟ ହୁଅନ୍ତି, ତେବେ ଫଳାଫଳ ବହୁତ ଭୟଙ୍କର ହେବ। ଏହା କରୋନା ମହାମାରୀଠାରୁ ଅତ୍ୟନ୍ତ ଭୟଙ୍କର ହେବା ସହ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇପାରେ। ମଣିଷ ସମାଜ ବର୍ତ୍ତମାନ ସେହି ଜୀବାଣୁ ସହ ଲଢିବାକୁ ସକ୍ଷମ ନୁହେଁ ବୋଲି ଅନୁସନ୍ଧାନକାରୀ ଦଳ ପକ୍ଷରୁ କୁହାଯାଇଛି।
ଅନୁସନ୍ଧାନକାରୀମାନେ ଏହା ମଧ୍ୟ ଜଣାଇଛନ୍ତି ଯେ, ଏବେ ଆଣ୍ଟାର୍କଟିକାର ଗ୍ଲେସିୟର ପୂର୍ବ ଅପେକ୍ଷା ବହୁତ ଦ୍ରୁତ ଗତିରେ ତରଳିବାରେ ଲାଗିଛି । ସେହି ଗ୍ଲେସିୟରରେ ମଧ୍ୟ ଅନେକ ଭାଇରସ୍ ଲୁଚି ରହିଛି, ଯାହା ଭବିଷ୍ୟତରେ ପୃଥିବୀରେ ଏକ ଭୟଙ୍କର ମହାମାରୀ ଆଣିପାରେ । ଆଜିର କରୋନା ମହାମାରୀ ଅପେକ୍ଷା ଏହି ମହାମାରୀ ଆହୁରି ବିପଜ୍ଜନକ ହେବ । ନିକଟରେ କିଛି ମାସ ପୂର୍ବରୁ ଉତ୍ତରାଖଣ୍ଡର ଚାମୋଲିରେ ଗ୍ଲେସିୟର ତରଳି ଭାଙ୍ଗିବାର ଖବର ଆସିଥିଲା । ଭାରତର ଏହି ଅଞ୍ଚଳରେ ବହୁତ ଗ୍ଲେସିର୍ ଅଛି ଏବଂ ପରିବେଶବିତଙ୍କ ଅନୁଯାୟୀ କ୍ରମାଗତ ତାପମାତ୍ରା ବୃଦ୍ଧି ହେତୁ ସେଗୁଡ଼ିକର ତରଳିବାର ଗତି ପୂର୍ବ ଅପେକ୍ଷା ବହୁତ ତୀବ୍ର ହୋଇଛି । ଏହି ପରିସ୍ଥିତିରେ ବରଫ ତରଳିବା କାରଣରୁ ଗ୍ଲେସିୟର ମଧ୍ୟରେ ପୋତି ହୋଇଥିବା ଜୀବାଣୁ ନଦୀରେ ଦେଖିବାକୁ ମିଳିପାରେ। ଏବଂ ସେହି ମାରାତ୍ମକ ଜୀବାଣୁଗୁଡିକ ନଦୀ ସାହାଯ୍ୟରେ ସାରା ଦେଶରେ ବ୍ୟାପିବାର ସମ୍ଭାବନା ରହିଛି, ଯେଉଁ କାରଣରୁ ଭାରତରେ ଏକ ଗୁରୁତର ମହାମାରୀ ଜନ୍ମ ହୋଇପାରେ।
ବର୍ତ୍ତମାନ ସମଗ୍ର ବିଶ୍ୱ କରୋନା ମହାମାରୀ ସହ ସଂଘର୍ଷ କରୁଛି। ମହାମାରୀ କ’ଣ? ବର୍ତ୍ତମାନ ଆମେ ଏହା ଜାଣି ପରୁଛେ । ଏହାର ଭୟାବହକୁ ଉପଲବ୍ଧ ମଧ୍ୟ କରି ପାରୁଛେ । ସାରା ବିଶ୍ୱରେ ପ୍ରତିଦିନ ହଜାର ହଜାର ଲୋକଙ୍କ ଜୀବନ ଯାଉଛି। କୋଟି କୋଟି ଲୋକ ଚାକିରି ହରାଇଛନ୍ତି। ଏଭଳି ପରିସ୍ଥିତିରେ ବିଶ୍ୱ ତାପମାତ୍ରାର ଦ୍ୱିତୀୟ ବିପଦ ଆଣି ଆମ ସାମ୍ନାରେ ଠିଆ ହୋଇଛି। ଯଦି ଏବେଠୁ ପରିବେଶ ପ୍ରତି ଧ୍ୟାନ ଦିଆନଯାଏ ତେବେ ମାତ୍ର ଆଉ କିଛି ବର୍ଷ ଭିତରେ ମଣିଷ ସମାଜ ସମ୍ପୂର୍ଣ୍ଣ ଲୋପ ପାଇ ଯାଇପାରେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: