
ପ୍ରିଜମ ନ୍ୟୁଜ ବ୍ୟୁରୋ: ଭାରତୀୟ ବ୍ୟାଡମିଣ୍ଟନ ଦଳର ଐତିହାସିକ ବିଜୟରେ ସାରା ଦେଶ ଖୁସିରେ ମତୁଆଲା ହୋଇ ପଡ଼ିଛି। ପୂର୍ବତନ କ୍ରିକେଟର ଅଧିନାୟକ ସୁନିଲ ଗାଭାସ୍କର ଏହି ବିଜୟକୁ ୧୯୮୩ ମସିହାର ବିଜୟ ସହ ତୁଳନା କରିଛନ୍ତି। ସେ କହିଛନ୍ତି, କ୍ରିକେଟ ପାଇଁ ଯେମିତି ୧୯୮୩ ଗୁରୁତ୍ବପୂର୍ଣ୍ଣ ସେଭଳି ବ୍ଯାଡମିଣ୍ଟନର ୧୯୮୩ ବିଜୟ ଏହାକୁ ହିଁ କୁହାଯିବ।
ଦିନର ଆରମ୍ଭରେ ଅଷ୍ଟ୍ରେଲିଆ କ୍ରିକେଟର ସିମଣ୍ଡଙ୍କ ଦେହାନ୍ତରେ ସମସ୍ତେ ଦୁଃଖରେ ଥିବାବେଳେ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳୀଙ୍କ ଏହି ଐତିହାସିକ ବିଜୟ ସମସ୍ତଙ୍କ ମନରେ ଆନନ୍ଦ ଭରି ଦେଇଥିଲା। ସେ କ୍ରିକେଟ ଖେଳିଥିଲେ ମଧ୍ଯ ତାଙ୍କର ପ୍ରଥମ ପସନ୍ଦ ସବୁବେଳେ ବ୍ୟାଡମିଣ୍ଟନ ବୋଲି କହିଛନ୍ତି।
୧୪ଥର କପ୍ ଜିତିଥିବା ଇଣ୍ଡୋନେସିଆକୁ ୩-୦ରେ ହରାଇବା ଏତେ ସହଜ ନଥିବ। ସେ ନିଜର ଖୁସିକୁ ପ୍ରକାଶ କରିବାକୁ ଯାଇ କହିଛନ୍ତି, ସୂର୍ଯ୍ୟଠୁ ଚନ୍ଦ୍ର ଯାଏଁ ମୋ ଖୁସି ପରିବ୍ୟାପ୍ତ। ଏହାକୁ ମୁଁ ଶବ୍ଦରେ ବର୍ଣ୍ଣନା କରି ପାରିବି ନାହିଁ।