ଏଲ୍‍ଆଣ୍ଡଟି କରିବ ଗଙ୍ଗାଧର ମେହେର ପ୍ରକଳ୍ପ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ପାଇଁ ଆବଶ୍ୟକ ଜଳ ଯୋଗାଇବା ସକାଶେ ଟେଣ୍ଡର ଆହ୍ୱାନ କରାଯାଇଥିଲା। ୪ଟି ସଂସ୍ଥା ଟେଣ୍ଡରରେ ଅଂଶଗ୍ରହଣ କରିଥିବାବେଳେ ସର୍ବନିମ୍ନ ବିଡର ଭାବେ ଏଲ୍‍ଆଣ୍ଡଟିକୁ ଏହି କାମ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍‍ ୩୪୦କୋଟି ୩୬ଲକ୍ଷ ଟଙ୍କା ଓ ୧୬ ପଇସା ମୂଲ୍ୟର ଏକ ପ୍ରକଳ୍ପର ଟେଣ୍ଡରକୁ ଆଜି ଅନୁମୋଦନ କରିଛନ୍ତି। ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ୩୦ମାସ ମଧ୍ୟରେ ସାରିବାପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଏହି ପ୍ରକଳ୍ପ ନିର୍ମାଣ ସହିତ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଦ୍ୱାରା ବିଜେପୁର, ସୋହେଲା, ବରପାଲି, ଡୁଙ୍ଗୁରୀପାଲ୍ଲୀ ବ୍ଲକର ୨୫,୬୦୦ ହେକ୍ଟର ଚାଷ ଜମିକୁ ଜଳସେଚନ ପାଇଁ ଆବଶ୍ୟକ ହେଉଥିବା ଜଳ ସୁନିଶ୍ଚିତ କରାଯାଇ ପାରିବ। ଏହି ପ୍ରକଳ୍ପ ପାଇଁ ଆବଶ୍ୟକ ହେଉଥିବା ଜଳ ବରଗଡ଼ ମୁଖ୍ୟ କେନାଲର ୩୪.୧୦ କିଲୋମିଟରରୁ ଉତ୍ତୋଳନ ପାଇଁ ବ୍ୟବସ୍ଥା ହୋଇଥିଲା। ପ୍ରକଳ୍ପ ରିପୋର୍ଟରେ ଥିବା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାକୁ ହେଲେ ବରଗଡ଼ ମୁଖ୍ୟ କେନାଲ ପର୍ଯ୍ୟନ୍ତ ଲାଇନିଂ କରିବା ସହିତ ସମ୍ପ୍ରସାରଣ ଓ ମରାମତି ଆବଶ୍ୟକ। ଏହି କାର୍ଯ୍ୟ କରିବା ପାଇଁ ବରଗଡ଼ ମୁଖ୍ୟ କେନାଲକୁ ଅନ୍ୟୁନ ୨ବର୍ଷ ବନ୍ଦ କରିବାକୁ ହେବ। ବରଗଡ଼ ମୁଖ୍ୟ କେନାଲ ବନ୍ଦ ହେଲେ ଜଳସେଚନ ବାଧାପ୍ରାପ୍ତ ହେବ ଏବଂ କେନାଲ ଉପରେ ନିର୍ଭର କରୁଥିବା ଚାଷୀମାନେ ଅସନ୍ତୁଷ୍ଟ ହେବେ ବୋଲି ଆଶଙ୍କା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ବିକଳ୍ପ ପ୍ରସ୍ତାବ ଯଥା ବରଗଡ଼ ମୁଖ୍ୟ କେନାଲର ହେଡ୍‍ ରେଗୁଲେଟର ଠାରୁ ସିଧାସଳଖ ୩୪.୧୦ କିଲୋମିଟର ପର୍ଯ୍ୟନ୍ତ ପାଇପ୍‍ ବିଛାଇ ଜଳ ଉତ୍ତୋଳନ କରି ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ପାଇଁ ଆବଶ୍ୟକ ଜଳ ଯୋଗାଇ ଦେବା କାର୍ଯ୍ୟ ପାଇଁ ଏହି ଟେଣ୍ଡର ଜାରି କରାଯାଇଥିଲା ।

%d bloggers like this: