ଗଭୀର କୂଅରେ ହାତୀ ଛୁଆ, ଉଦ୍ଧାର ପାଇଁ କରାଗଲା କିଛି ଏପରି…

ଗଭୀର କୂଅରେ ହାତୀ ଛୁଆ, ଉଦ୍ଧାର ପାଇଁ କରାଗଲା କିଛି ଏପରି…

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଘଞ୍ଚ ଜଙ୍ଗଲ ମଧ୍ୟରେ ଗଭୀର କୂଅ । ବୁଲି ଥିବା ବେଳେ ହଠାତ୍ କୂଅ ଭିତରକୁ ଖସିପଡ଼ିଲା ହାତୀ ଛୁଆ । ଆଉ ତାକୁ ବଞ୍ଚାଇବାକୁ କଳ, ବଳ, କୌଶଳ ସବୁ କିଛି ଲଗାଇ ଦେଲେ ଉଦ୍ଧାରକାରୀ ଦଳ । ଶେଷରେ ସୁରକ୍ଷିତ ଭାବେ ହାତୀ ଛୁଆଟିକୁ ଉଦ୍ଧାର କରାଗଲା । ହାତୀ ଛୁଆ ରେସକ୍ୟୁର ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏହି ଘଟଣା ଅନ୍ୟ କୌଣସି ରାଜ୍ୟ ନୁହେଁ, ଆମ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି । ଯେଉଁ ଠାରେ ରାତିର ଅନ୍ଧକାରରେ ଏକ ହାତୀ ଛୁଆ ୧୫ ଫୁଟ ଗଭୀର କୂଅରେ ପଡ଼ି ଯାଇଥିଲା | ଶନିବାର ଦିନ ବହୁ ପରିଶ୍ରମ ପରେ ହାତୀ ଶିଶୁକୁ ସୁରକ୍ଷିତ ଭାବେ ଉକ୍ତ ଗଭୀର କୂଅରୁ ବାହାରକୁ ବାହାର କରାଯାଇଥିଲା ।


ସୂଚନାନୁସାରେ, ହାତୀ ଛୁଆର ବୟସ ଏକ ବର୍ଷ ହେବ । ୧ ମିନିଟ୍ ୫୪ ସେକେଣ୍ଡର ଏହି କ୍ଲିପ୍ ରେ, ଆପଣ ଦେଖିପାରିବେ ଯେ, କେମିତି ଜେସିବି ମେସିନ୍ ସାହାଯ୍ୟରେ କୂଅରେ ପଡିଥିବା ହାତୀ ଛୁଆକୁ କିପରି ବାହାର କରାଯାଉଛି | ପ୍ରଥମେ କୂଅ ଚାରିପାଖ ଖୋଳିବା ସହ ହାତୀ ଦେହରେ ଏକ ଦୌଡ଼ି ବନ୍ଧା ଯାଇ ତାକୁ ସୁରକ୍ଷିତ ଭାବେ ବାହାରକୁ ଟାଣି ଅଣାଯାଉଛି । ଆଉ ହାତୀର ଛୁଆଁ ଗର୍ଜନରେ ଦେଖାଣାହାରୀ ବି ଭୟଭୀତ ହୋଇପଡୁଛନ୍ତି ।
ଗୋଟିଏ ପଟେ ହାତୀ ଛୁଆର ଉଦ୍ଧାରକାରୀ ଦଳକୁ ସୋସିଆଲ ମିଡିଆରେ ଭରପୁର ପ୍ରଶଂସା କରାଯାଉଛି । ଅନ୍ୟପଟେ କିଛି ଲୋକ ଏହା ମଧ୍ୟ ପ୍ରଶ୍ନ କରିଛନ୍ତି ଯେ, ଲୋକମାନେ କୂଅକୁ କାହିଁକି ଖୋଲା ଛାଡନ୍ତି ?
ଏହି ଭିଡିଓକୁ ନ୍ୟୁଜ୍ ଏଜେନ୍ସି ANI ସୋସିଆଲ ମିଡିଆରେ ସେୟାର କରିଛି | ଭିଡିଓ ସେୟାର କରିବାବେଳେ କ୍ୟାପସନରେ ଲେଖାଯାଇଛି ଯେ, ଶନିବାର ଦିନ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଏକ ଗାଁରେ ୧୫ ଫୁଟ ଗଭୀର କୂଅରୁ ଏକ ହାତୀ ଛୁଆକୁ ଉଦ୍ଧାର କରାଯାଇଛି । ରେଞ୍ଜ ଅଫିସର ରବି ନାରାୟଣ ମହାନ୍ତି କହିଛନ୍ତି ଯେ , ଶୁକ୍ରବାର ରାତିରେ ହାତୀ ଛୁଆଟି ଏକ କୂଅରେ ପଡ଼ି ଯାଇଥିଲା । ଏହି ଭିଡିଓକୁ ସୋସିଆଲ ମିଡିଆରେ ଏ ପର୍ଯ୍ୟନ୍ତ 29 ହଜାରରୁ ଅଧିକ ଥର ଦେଖାଯାଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: