ଆସିବନି ଆସିନ, ସମୁଦ୍ରରୁ ବାଟ ଭାଙ୍ଗି ଚାଲିଯିବ

ଆସିବନି ଆସିନ, ସମୁଦ୍ରରୁ ବାଟ ଭାଙ୍ଗି ଚାଲିଯିବ

ପ୍ରିଜମ ନ୍ୟୁଜ ବ୍ୟୁରୋ : ଓଡିଶା ଉପକୂଳ ଆଡେ ମୁହାଁଇଥିବା ବାତ୍ୟା ସ୍ଥଳଭାଗ ଛୁଇଁବନି । ଉପକୂଳ ଠାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ଏହା ସମୁଦ୍ର ଭିତରେ ବାଟ ଭାଙ୍ଗି ଚାଲିଯିବ । ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଆଜି ଏହି ସୂଚନା ଦେଇଛନ୍ତି ।ଶ୍ରୀ ଜେନା କହିଛନ୍ତି ଯେ ଆଜି ସଂଧ୍ୟାସୁଦ୍ଧା ବାତ୍ୟା ଆସିନ ପୁରୀ ଠାରୁ ୮୧୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ ରହିଛି । ଗତ ୬ଘଣ୍ଟା ହେଲା ବାତ୍ୟା ଘଣ୍ଟାକୁ ୧୪ କିଲୋମିଟର ବେଗରେ ଆଗକୁ ବଢୁଛି ।ବାତ୍ୟା ଏବେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଥିବାବେଳେ ଆଜି ଏହା ପ୍ରବଳ ବାତ୍ୟାର ରୂପ ନେବ । ତେବେ ୧୦ତାରିଖରେ ବାତ୍ୟା ପଶ୍ଚିମ-କେନ୍ଦ୍ରୀୟ ଏବଂ ଏହାର ଆଖପାଖ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଓଡିଶା ଓ ଆନ୍ଧ୍ର ଉପକୂଳରେ ପହଞ୍ଚିବ । ଏହାପରେ ସମୁଦ୍ର ଭିତରେ ବାତ୍ୟା ବାଟ ଭାଙ୍ଗି ଉତ୍ତର ଏବଂ ଉତ୍ତରପୂର୍ବ ଦିଗରେ ଗତି କରିବ ।ତେବେ ଏହି ସମୟରେ ବାତ୍ୟା ଓଡିଶା ଉପକୂଳରୁ ୮୦ରୁ ୧୦୦କିଲୋମିଟର ଦୂରରେ ବଙ୍ଗଳାଦେଶ ଆଡେ ଗତି କରିବାର ସମ୍ଭାବନା ରହିଛି ।

ବାତ୍ୟା ପାଇଁ ସରକାରଙ୍କ ପ୍ରସ୍ତୁତି ସଂକ୍ରାନ୍ତରେ ଶ୍ରୀ ଜେନା କହିଛନ୍ତି ଯେଗଞ୍ଜାମ, ପୁରୀ, ଜଗତସିଂହପୁର କେନ୍ଦ୍ରାପଡ଼ା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେର୍ଶ ଦେଇ କହିଛନ୍ତି ଯେ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା, ଚିକିଟି, ଗଞ୍ଜାମ ଓ ଛତ୍ରପୁର ବ୍ଲକ, ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ, ବ୍ରହ୍ମଗିରି, ପୁରୀ ସଦର, ଗୋପ, କାକଟପୁର ଓ ଅସ୍ତରଙ୍ଗ, ଜଗତସିଂହପୁର ଅଞ୍ଚଳର ବାଲିକୁଦା, ଏରସମା, କୁଞ୍ଜଙ୍ଗ, କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡା ଓ ରାଜନଗର ବ୍ଲକର ତଳିଆ ଅଞ୍ଚଳରେ ମାଟିଘର ଓ କୁଡିଆଘରେ ବାସକରୁଥିବା ଜନସାଧାରଣଙ୍କୁ ୧୦ ତାରିଖ ଦିନ ଅପରହ୍ନ ସୁଦ୍ଧା ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯିବ । ସେହିପରି ଆଗାମି ୧୫ ଦିନ ମଧ୍ୟରେ ପ୍ରସବ କରିବାକୁ ଥିବା ଗର୍ଭବତୀ ମହିଳାଙ୍କୁ ନିକଟସ୍ଥ ସରକାରୀ ହସ୍ପିଟାଲ ସ୍ଥାନାନ୍ତରିତ କରିବା ସହ ସେମାନଙ୍କର ସମସ୍ତ ପ୍ରକାର ଯନି ନିଆଯିବ ।

ଆସନ୍ତା ୯ ତାରିଖ ଦିନ ସକାଳ ସୁଦ୍ଧା ୬ ଟି ଓଡ୍ରାଫ ଟିମ ପୁରୀ ଜିଲ୍ଲା ଓ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ ଗଞ୍ଜାମ, ଭଦ୍ରକ, ଜଗତସିଂହପୁର, ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ମୁତୟନ କରାଯିବ ।୧୮ ଟି ଜିଲ୍ଲାର ଜିଲ୍ଲାପାଳ, ଭୁବେନେଶ୍‌ର, କଟକ ଓ ବ୍ରହ୍ମପୁର ମୁନିସପାଲ କମିଶନର ମାନେ ବାତ୍ୟା ସମୟରେ ହେବାକୁ ଥିବା ବର୍ଷା ଦ୍ୱାରା ତଳିଆ ଅଞ୍ଚଳ ଜଳମଗ୍ନ ହେବାର ସମ୍ଭାବନା ଥିବାବେଳେ ଯଦି ଏଭଳି ପରିସ୍ଥିତି ଉପୁଯେ, ତେବେ ଏହି ସବୁ ସ୍ଥାନରୁ ଜଳ ନିଷ୍କାସନର ବ୍ୟବସ୍ଥା କରିବେ ।

ଗ୍ରାମ ଉନ୍ନୟନ, ଜଳସମ୍ପଦ, ନଗର ଉନ୍ନୟନ, ଶକ୍ତି, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସେମାନଙ୍କର ସମସ୍ତ ମାନବସମ୍ବଳ ଓ ମେସିନ ସଜାଗ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ସ୍ଥଳେ ଏସ୍‌ଆରସିଙ୍କ ନିର୍ଦ୍ଦେଶମତେ ସେମାନଙ୍କୁ ନିୟୋଜନ କରାଯିବ ।ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ତରଫରୁ ସମସ୍ତ ଜିଲ୍ଲା ଓ ତତ୍‌ସଲଗ୍ନ ଅଫିସଗୁଡିକୁ ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ମାର୍ଗଦର୍ଶିକା ବିଷୟରେ ଅବଗତ କରିବା ସହ ବାତ୍ୟାଜନିତ ପୂର୍ବ ଓ ପରବର୍ତ୍ତୀ ଅବସ୍ଥାର ମୁକାବିଲା ପାଇଁ ସଜାଗ ରହିବେ । ବିଭାଗ ପକ୍ଷରୁ ଜଣେ ବରିଷ୍ଠ ଅଧିକାରୀ ନୋଡାଲ ଅଫିସର ଏସ୍‌ଆରସିଙ୍କ ଅଫିସ ସହ ନିରନ୍ତର ସଂଯୋଗରେ ରହିବେ ।

ବିଭାଗ ପକ୍ଷରୁ ଆବଶ୍ୟକୀୟ ପଶୁ ଔଷଧ ବିଭିନ୍ନ ପଶୁ ଚିକିତ୍ସାଳୟରେ ମହଜୁଦ ରଖିବେ । ବିଭାଗ ପକ୍ଷରୁ ପଶୁ ଆହାର ଯୋଗାଇ ଦେଉଥିବା ଯୋଗାଣକାରୀମାନଙ୍କର ଏକ ତାଲିକା ପ୍ରସ୍ତୁତ କରିବେ, ଯାହାକି ଆବଶ୍ୟକ ସମୟରେ କାର୍ଯ୍ୟରେ ଆସିବ ।ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଥିବାବେଳେ ପୂର୍ବରୁ ସମୁଦ୍ରକୁ ଯାଇଥିବା ସମସ୍ତ ଡଙ୍ଗା ସୁରକ୍ଷିତ ଭାବେ ଫେରିଆସିଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: