କରୋନା ଲଢ଼େଇ: ‘ଗଞ୍ଜାମ ମଡେଲ’କୁ ବିଶ୍ୱ ଦରବାରରେ ଉଚ୍ଚ ପ୍ରଶଂସା

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: କୋଭିଡ ମାମଲା ନିୟନ୍ତ୍ରଣ କ୍ଷେତ୍ରରେ ଓଡ଼ିଶାର ଗଞ୍ଜାମ ଜିଲ୍ଲାକୁ ଉଚ୍ଚ ପ୍ରଶଂସା । କରୋନା ଲଢେଇ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଗଞ୍ଜାମ ଜିଲ୍ଲାକୁ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ଉଚ୍ଚ ପ୍ରସଂଶା କରାଯାଇଛି । ଗଞ୍ଜାମ ଜିଲ୍ଲାର ଉଦାହରଣ ଦେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଯଦି କୌଣସି ରାଷ୍ଟ୍ର କୋଭିଡ୍ ମାମଲାକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି ତେବେ ସେମାନେ ଗଞ୍ଜାମ ଜିଲ୍ଲା ପ୍ରସାଶନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଏବଂ ରାଜ୍ୟ ସରକାରଙ୍କ ସହଯୋଗକୁ ଅନୁଧ୍ୟାନ କରନ୍ତୁ ।

କିଛି ମାସ ପୂର୍ବେ ଗଞ୍ଜାମ ଜିଲ୍ଲା ଏକ କରୋନା ହଟସ୍ପଟ ଭାବେ ଗଣାଯାଉଥିଲା । ଜିଲ୍ଲାକୁ ଦେଶ ବିଭିନ୍ନ କରୋନା ପ୍ରଭାବିତ ରାଜ୍ୟ ଯଥା ଗୁଜୁରାଟ, ମହାରାଷ୍ଟ୍ର, ତାମିଲନାଡୁରେ କାମ କରୁଥିବା ଲକ୍ଷ ଲକ୍ଷ ପ୍ରବାସୀ ଓଡ଼ିଆ ଶ୍ରମିକ ଫେରିଥିଲେ । ଏହା କରୋନା ସଂକ୍ରମଣକୁ ବଢାଇଦେଇଥିଲା ।

ଗଞ୍ଜାମରେ କରୋନା ଭାଇରସକୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ ନେଉଥିବା ପଦକ୍ଷେପକୁ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଦାରଖ କରୁଥିଲେ । ଜିଲ୍ଲାକୁ ରେକର୍ଡ ସଂଖ୍ୟକ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ପଠାଯାଇଥିଲା । ଜିଲ୍ଲାର ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇ କରୋନା ନିୟନ୍ତ୍ରଣ କାମରେ ଲଗାଯାଇଥିଲା । ୫-ଟି ସଚିବ ଭି.କେ. ପାଣ୍ଡିଆନ ଜିଲ୍ଲାଗସ୍ତରେ ଯାଇ ସରପଞ୍ଚମାନଙ୍କ ସହ ଆଲୋଚନା କରିଥିଲେ । ଏହା ଫଳରେ ସେମାନେ କୋଭିଡ ବିରୋଧୀ ଲଢେଇ ପାଇଁ ଅନୁପ୍ରାଣିତ ହୋଇଥିଲେ । କୋଭିଡ ମୁକାବିଲାରେ ସେମାନଙ୍କ ପ୍ରତ୍ୟକ୍ଷ ଅଂଶଗ୍ରହଣ ସ୍ଥିତିକୁ ସୁଧାରିବାରେ ସହାୟକ ହୋଇଥିଲା ।

%d bloggers like this: