କରୋନା ଗ୍ରାଫ କନ୍ଧମାଳରେ ଖସୁଛି : ଆହୁରି ଅଧିକ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ

କରୋନା ଗ୍ରାଫ କନ୍ଧମାଳରେ ଖସୁଛି : ଆହୁରି ଅଧିକ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ

ପ୍ରିଜମ ନ୍ୟୁଜ ବ୍ୟୁରୋ,୦୩/୦୬: ସମଗ୍ର କନ୍ଧମାଳ ଜିଲ୍ଲା ପାଇଁ ଘାତକ ମାସ ଥିଲା ମେ ମାସ। ତେବେ ବର୍ତ୍ତମାନ ପରିସ୍ଥିତିରେ କନ୍ଧମାଳ ଜିଲାରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରି ଏବେ ଧୀରେ ଧୀରେ ତଳମୁହାଁ ହେବାରେ ଲାଗିଛି। ଜିଲାରେ ଦୈନିକ ସଂକ୍ରମଣ ତିନି ଅଙ୍କରୁ ଖସି ଦୁଇ ଅଙ୍କରେ ସୀମିତ ରହିଛି। ତେବେ ଜିଲାର କରୋନାଗ୍ରାଫକୁ ଅନୁଧ୍ୟାନ କଲେ ଗତ ମେ ମାସ ସର୍ବାଧିକ ସଂକ୍ରମଣର ମାସ ଥିବା ଜଣାପଡିଛି। ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ଏକ ସୂଚନା ପ୍ରକାରେ, ଗତ ଏପ୍ରିଲ ମାସରେ ଦୈନିକ ସଂକ୍ରମଣ ହାର ୨୦ ଥିବା ବେଳେ ମେ ମାସରେ ଏହା ଦ୍ରୁତ ଗତିରେ ବୃଦ୍ଧି ପାଇ ୮୭ରେ ପହଞ୍ଚିଥିଲା। କେବଳ ଗତ ମେ ମାସରେ ଜିଲାରେ ସମୂଦାୟ ୨୬୯୫ ଜଣ କୋଭିଡ କବଳରେ ପଡିଛନ୍ତି, ଯାହାକି ଆଜି ପର୍ଯ୍ୟନ୍ତ ସମୁଦାୟ ସଂକ୍ରମଣର ଶତକଡା ୨୮ ଭାଗ। ମେ’ ମାସ ୨୫ ତାରିଖରେ ସଂକ୍ରମଣ ଶୀର୍ଷ ଛୁଇଁଥିଲା। ଏହି ଦିନ ଜିଲାରେ ସର୍ବାଧିକ ୧୪୧ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା। ଯାହାକି ଚଳିତ ଲହରର ଆଜି ପର୍ଯ୍ୟନ୍ତ ସର୍ବାଧିକ ଦୈନିକ ସଂକ୍ରମଣ ବୋଲି ରେକର୍ଡ କରାଯାଇଛି। ତେବେ ପ୍ରଥମ ଲହରର ଶୀର୍ଷ ସଂକ୍ରମଣଠାରୁ ଏହା କମି ଥିବା ଜଣାପଡିଛି। ୨୦୨୦ ଅଗଷ୍ଟ ୧୩ ତାରିଖରେ ଜିଲାରେ ନୁଆ ଆକ୍ରାନ୍ତଙ୍କ ସଂଖ୍ୟା ୧୭୯ ରହିଥିଲା, ଯାହାକି ଆଜି ପର୍ଯ୍ୟନ୍ତ ଜିଲାର ସର୍ବାଧିକ ଦୈନିକ ସଂକ୍ରମଣ। ସୂଚନା ଅନୁସାରେ ମେ’ ମାସରେ କନ୍ଧମାଳ ଜିଲାର ଫୁଲବାଣୀ ପୌରାଂଚଳରୁ ୩୮୪ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ଫୁଲବାଣୀ ଗ୍ରାମାଂଚଳରୁ ୧୭୯ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିଭଳି ବାଲିଗୁଡା ଏନଏସିର ୧୧୭ ଜଣ, ବାଲିଗୁଡା ବ୍ଲକ ଅଞ୍ଚଳର ୨୨୯ ଜଣ, ଦାରିଙ୍ଗବାଡିର ୨୫୦ ଜଣ, ଫିରିଙ୍ଗିଆର ୧୯୫, ଚକାପାଦର ୧୮୨, ଖଜୁରୀପଡାର ୧୭୮, କୋଟଗଡର ୧୭୪, କେ.ନୂଆ ଗାଁର ୧୬୭, ତୁମୁଡିବନ୍ଧର ୧୫୨, ଜି.ଉଦୟଗିରିର ୧୫୧, ଟିକାବାଲିର ୧୪୪ ଓ ରାଇକିଆ ବ୍ଲକରୁ ୧୪୦ ଜଣ କୋଭିଡରେ ସଂକ୍ରମିତ ହୋଇଛନ୍ତି। ଜିଲା ବାହାରୁ ବିଭିନ୍ନ ସ୍ଥାନରୁ ୫୩ ଜଣ ସଂକ୍ରମିତଙ୍କୁ ଠାବ କରାଯାଇଛି। ତେବେ ଚଳିତମାସରେ କମି କମି ଯାଉଥିଲେ ମଧ୍ୟ ପୂର୍ବପରି ସଚେତନତା ଜରୁରି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ବର୍ତ୍ତମାନ ପରିସ୍ଥିତିରେ ପ୍ରଶାସନ ପକ୍ଷରୁ ଗ୍ରାମାଞ୍ଚଳରେ ଅଧିକ ଗୁରୂତ୍ୱ ଦିଆଯିବା ସହିତ ଗ୍ରାମାଞ୍ଚଳ ମାନଙ୍କରେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ଓ ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ସଚେତନତା ଉପରେ ଅଧିକ ଗୁରୁତ୍ୱ ଦିଆଯାଇ ବିିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଥିବା ପ୍ରକାଶ କରାଯାଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: