‘SHG ମହିଳାଙ୍କୁ ସ୍ବାବଲମ୍ବୀ କରିବ ମକା ମଞ୍ଜି ଛଡା ଯନ୍ତ୍ର’

‘SHG ମହିଳାଙ୍କୁ ସ୍ବାବଲମ୍ବୀ କରିବ ମକା ମଞ୍ଜି ଛଡା ଯନ୍ତ୍ର’

ପ୍ରିଜମ ନ୍ୟୁଜ ବ୍ୟୁରୋ: ମହିଳା ଗୋଷ୍ଠୀକୁ ସ୍ବାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ତୃଣମୂଳ ସ୍ତରରେ ବିଭିନ୍ନ ଯୋଜନା କରାଯାଉଛି। ଏହି ଧାରାରେ ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଲକ ଅନ୍ତର୍ଗତ ଛେଳିଗଡ ଗ୍ରାମ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବ୍ଲକର ବିଭିନ୍ନ ସ୍ଥାନରୁ ଆସିଥିବା ୧୫ ଟି ସ୍ବୟଂ ସହାୟିକା ଗୋଷ୍ଠୀମାନଙ୍କୁ ମକା ମଞ୍ଜି ଛଡା ଯନ୍ତ୍ର ବଣ୍ଟନ ହୋଇଛି । ଓଡ଼ିଶା ସରକାରଙ୍କ ଅନୁସୁଚିତ ଜନଜାତି ଓ ଅନୁସୁଚିତ ଜନ ଉନ୍ନୟନ ତଥା ସଂଖ୍ୟାଲଘୁ ସମ୍ପ୍ରଦାୟ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ ଦ୍ବାରା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା , ପାରଳାଖେମୁଣ୍ଡି ସହାୟତାରେ ମିଶନ ଜୀବିକା କାର୍ଯ୍ୟକ୍ରମ ଜରିଆରେ ଆର ଉଦୟଗିରି ବ୍ଲକ ସ୍ତରୀୟ ଚୟନ କମିଟି ଦ୍ବାରା ମନୋନିତ ୧୫ ଟି ସ୍ବୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ଗୋଟିଏ ଗୋଟିଏ ବିଦ୍ୟୁତ ଚାଳିତ ମକା ମଞ୍ଜି ଛଡା ଯନ୍ତ୍ର ମାଗଣାରେ ଯୋଗାଇ ଦିଆଯାଇଛି ।

ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁସିତ ଅଞ୍ଚଳ ଆର ଉଦୟଗିରି ବ୍ଲକର ଚାଷି ମାନେ ଅର୍ଥକାରୀ ଫସଲ ଭାବେ ମୁଖ୍ୟତଃ ମକା ଚାଷ କରିଆସୁଥିବା ବେଳେ ଏହି ଯନ୍ତ୍ର ବ୍ୟବହାର କରି ନିଜେ ସ୍ବାବଲମ୍ବୀ ହେବା ସହ ଗ୍ରାମାଞ୍ଚଳରେ ସାଧାରଣଲୋକଙ୍କ କ୍ଷେତ୍ରରେ ବେଶ ଉପଯୋଗୀ ହୋଇପାରିବ ବୋଲି କହିଛନ୍ତି ବିଭାଗୀୟ ପ୍ରକଳ୍ପ ନିର୍ଦ୍ଦେଶକ ଫାଲଗୁନି ମାଝି । ଛେଳିଗଡ ପଞ୍ଚାୟତ ର ସରପଞ୍ଚ ସନ୍ତୋଷୀ ପାଇକଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ପ୍ରତିନିଧି ଜଗବନ୍ଧୁ ଦାଶ, ବ୍ଲକ ସଭାପତି ଭିମସେନ ପାଇକ, ଜିଲ୍ଲାପରିଷଦ ସଭ୍ୟା ଜମୁନା ଦଳବେହେରା ପ୍ରମୁଖଙ୍କ ସମେତ ପିଏ ଆଟିଡିଏ ଫାଲଗୁନି ମାଝି, ମିଶନ ଜୀବିକା ପ୍ରକଳ୍ପ ପରିଚାଳନା ଅଧିକାରୀ ଗୌତମ ସ୍ବାଇଁ , ଓଡିଶା ଜିବିକା ମିଶନର ବ୍ଲକ ପ୍ରକଳ୍ପ ପରିଚାଳକ ରଜନୀ କାନ୍ତ ପଣ୍ଡା , ବିଭାଗୀୟ କ୍ଷେତ୍ର କର୍ମଚାରୀ ସିମାନ୍ଦ୍ରୀ ଭଗବାନ ଯୋଗଦେଇ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ମକା ମଞ୍ଜି ଛଡା କଳ ବଣ୍ଟନ କରିଥିଲେ । ମିଶନ ଜୀବିକା ପୂର୍ବରୁ ଉକ୍ତ ଅଞ୍ଚଳରେ ମାଗଣରେ ଜୈବିକ ସାର , ବିହନ ଯୋଗାଇଥିବା ସହ ଚାଷ ପ୍ରଣାଳୀର ତାଲିମ ଯୋଗାଇ ଦିଆଯାଇଥିଲା । ବର୍ତ୍ତମାନ ଏହି ଯନ୍ତ୍ର ମିଳିବା ଦ୍ବାରା ମକା ମଞ୍ଜି ଛଡାଇବା ଅତି ସହଜ ହେବ ବୋଲି ଖୁସି ବ୍ୟକ୍ତ କରିଛନ୍ତି ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା ମାନେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: