ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ପରିସ୍ଥିତି ସମୀକ୍ଷା , ୭ଦିନ ବାତିଲ ହେଲା ସରକାରୀ କର୍ମଚାରୀଙ୍କ ଛୁଟି

ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ପରିସ୍ଥିତି ସମୀକ୍ଷା , ୭ଦିନ ବାତିଲ ହେଲା ସରକାରୀ କର୍ମଚାରୀଙ୍କ ଛୁଟି

ପ୍ରିଜମ ନ୍ୟୁଜ ବ୍ୟୁରୋ:ରାଜ୍ୟରେ ବନ୍ୟା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ଥିତି ସମୀକ୍ଷା ପରେ ସେ ଅଧିକାରୀମାନଙ୍କୁ କହିଛନ୍ତି ଯେ ,ଆମ ପାଇଁ ‘ସବୁ ଜୀବନ ମୂଲ୍ୟବାନ’। ତେଣୁ ଯେପରି କୌଣସି ଗୋଟିଏ ବି ଜୀବନ ହାନୀ ନହୁଏ, ଏବଂ ସାଧାରଣ ଜୀବନଯାତ୍ରାରେ ଅସୁବିଧା ସୃଷ୍ଟି ନ ହୁଏ, ସେ ଦିଗରେ ଦୃଷ୍ଟି ଦିଅନ୍ତୁ। ପରିସ୍ଥିତି ସଂପର୍କରେ ମୁଖ୍ୟ ଶାସନ ସଚିବ ଓ ସ୍ବତନ୍ତ୍ର ରିଲିଫ କମିଶନର ନିୟମିତ ସମୀକ୍ଷା କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି ।

କ୍ରମାଗତ ଭାବେ ବର୍ଷା ଲାଗି ରହିଥିବାରୁ ମହାନଦୀ ଅବବାହିକା ଅଞ୍ଚଳର ୧୦ଟି ଜିଲ୍ଲାରେ ବନ୍ୟା ହେବାର ଆଶଙ୍କା ଦେଖାଦେଇଛି । ତେଣୁ ଏହି ୧୦ଟି ଜିଲ୍ଲାର ଜିଲ୍ଲାପାଳ ମାନେ ସତର୍କ ରହିବା ସହିତ ବନ୍ୟା ପରିସ୍ଥିତିକୁ ମୁକାବିଲା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବିପଦସଂକୁଳ ଅଞ୍ଚଳରେ ଥିବା ଲୋକମାନଙ୍କୁ ପ୍ରାଥମିକତା ଭିତ୍ତିରେ ସ୍ଥାନାନ୍ତର କରି ସେମାନଙ୍କୁ ଆବଶ୍ୟକ ରିଲିଫ ଓ ମୌଳିକ ସୁବିଧା ଯୋଗାଇ ଦେବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟସ୍ତରରେ ସଂପୃକ୍ତ ବିଭାଗମାନେ ଜିଲ୍ଲାଗୁଡିକୁ ସମସ୍ତ ପ୍ରକାର ସାହାଯ୍ୟ ତୁରନ୍ତ ଯୋଗାଇ ଦେବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି ।

ବିଭିନ୍ନ ବିଭାଗ ଗୁଡିକୁ ନିର୍ଦ୍ଦେଶ ଦେଇ ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍‌ ଓ ଫାୟାର ସର୍ଭିସ ୟୁନିଟ୍ ଗୁଡିକୁ ବିଭିନ୍ନ ବିପଦସଂକୁଳ ସ୍ଥାନଗୁଡିକରେ ସଜାଗ ରଖି ଆବଶ୍ୟକସ୍ଥଳେ ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିଲେ। ହସ୍‌ପିଟାଲ, ଜଳଯୋଗାଣ ଓ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ପରି ଜୀବନ ରକ୍ଷାକାରୀ ସଂସ୍ଥା ଗୁଡିକ ନିରବଚ୍ଛିନ୍ନ ଭାବରେ ସେବା ଯୋଗାଇ ଦେବା, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଗ୍ରାମାଞ୍ଚଳରେ ସ୍ବଚ୍ଛ ପାନୀୟ ଜଳର ବ୍ୟବସ୍ଥା କରିବା, ସ୍ବାସ୍ଥ୍ୟ ବିଭାଗ ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ପ୍ରାଣୀଧନର ସୁରକ୍ଷା ପାଇଁ ମତ୍ସ୍ୟ ଓ ପଶୁସଂପଦ ବିଭାଗ ଆବଶ୍ୟକ ସେବା ଯୋଗାଇ ଦେବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି ।

ତେବେ ରାସ୍ତାଘାଟର କ୍ଷତି ହୋଇ ଯଦି ଯୋଗାଯୋଗ ବ୍ୟାହତ ହୁଏ, ତେବେ ଇଂଜିନିୟରିଂ ବିଭାଗ ଗୁଡିକ ସେଗୁଡିକର ତୁରନ୍ତ ମରାମତି ପାଇଁ ଆଗୁଆ ବ୍ୟବସ୍ଥା କରିବା ଆବଶ୍ୟକ । ଶକ୍ତି ବିଭାଗ ମଧ୍ୟ ବିଦ୍ୟୁତ ଯୋଗାଯୋଗ ବ୍ୟାହତ କ୍ଷେତ୍ରରେ ତୁରନ୍ତ ପୁନଃ ସଂଯୋଗ ପାଇଁ ବ୍ୟବସ୍ଥା କରିବାକୁ ସେ ପରାମର୍ଶ ଦେଇଛନ୍ତି ।ଅନ୍ୟ ପକ୍ଷରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ସରକାର। ଆଗାମୀ ୭ଦିନ ଯାଏଁ ସମସ୍ତ ସରକାରୀ କର୍ମଚାରୀଙ୍କୁ ଛୁଟି ବାତିଲ କରାଯାଇଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: