ବର୍ଷାଦିନେ ମଜା ନିଅନ୍ତୁ ବାଲିଛତୁ ପତ୍ର ପୋଡ଼ାର

ବର୍ଷାଦିନେ ମଜା ନିଅନ୍ତୁ ବାଲିଛତୁ ପତ୍ର ପୋଡ଼ାର

ପ୍ରିଜମ ନ୍ୟୁଜ ବ୍ୟୁରୋ: ବର୍ଷା ଦିନ ଆସିଲେ ଅନେକ ପ୍ରକାର ସୁଆଦିଆ କୋଳି, ପରିବା,ସ୍ଵାଦିଷ୍ଟ ଛତୁ ଖାଇବାର ସୁଯୋଗ ମିଳିଥାଏ। ଯେପରି ପାଳଛତୁ, ବାଲି ଛତୁ, ନାଡ ଛତୁ । ତେବେ ଏହି ଛତୁ ଗୁଡ଼ିକ ତରକାରୀ କରିବାଠୁ ଅଧିକ ପତ୍ର ପୋଡ଼ା କରି ଖାଇବାରେ ମଜା ଆସିଥାଏ। ସମ୍ପୂର୍ଣ୍ଣ ଦେଶୀ ଛତୁକୁ ଦେଶୀ ଷ୍ଟାଇଲରେ ପୋଡ଼ି ଖାଇବାର ମଜା ନିହାତି ଅଲଗା ପ୍ରକାର ଅନୁଭୂତି ଦେଇଥାଏ। ତେବେ ଚାଲନ୍ତୁ ଜାଣିବା କେମିତି କରିବେ ଛତୁ ପତ୍ରପୋଡ଼ା। ପାଳ ଛତୁ ପତ୍ରପୋଡା ପ୍ରାୟ ସମସ୍ତେ ଖାଇଥିବେ ହେଲେ ଆଜି ଆମେ ବାଲିଛତୁ ପୋଡ଼ା ବିଷୟରେ କହିବୁ। ଏହି ଛତୁ ସାଧାରଣତଃ ବର୍ଷାଦିନେ ବାଲିଆ ମାଟିରେ ହୋଇଥାଏ। ଏହା ଦେଖିବାକୁ ଅତ୍ୟନ୍ତ ସରୁ ସରୁ ହୋଇଥାଏ। ଏହାକୁ ସଂଗ୍ରହ କରିବାକୁ ପଡ଼ିଥାଏ ନଚେତ୍ କିଛି ଲୋକ ଏହାକୁ ସଂଗ୍ରହ କରି ବଜାରରେ ବିକ୍ରି କରିଥାନ୍ତି।

ଆବଶ୍ୟକ ସାମଗ୍ରୀ: ବାଲି ଛତୁ ୨୫୦ ଗ୍ରାମ, କଖାରୁ ପତ୍ର ବଡ ୪ ଟି, ଲୁଣ,ସୋରିଷ-ଜିରା, ରସୁଣ- ଅଦା ବଟା, ହଳଦୀ ଗୁଣ୍ଡ, ଆବଶ୍ୟକ ଅନୁଯାୟୀ ଲୁଣ, ଲଙ୍କା ଗୁଣ୍ଡ, ଧନିଆ ପତ୍ର, କଟା କଞ୍ଚା ଲଙ୍କା ଓ ସୋରିଷ ତେଲ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଛତୁକୁ ଭଲ ଭାବେ ହଳଦୀ ପାଣିରେ ପକାଇ ଧୋଇ ଦିଅନ୍ତୁ। ତା’ପରେ ଏଥିରେ ଲୁଣ, ସୋରିଷ-ଜିରା, ରସୁଣ- ଅଦା ବଟା, ହଳଦୀ ଗୁଣ୍ଡ, ଆବଶ୍ୟକ ଅନୁଯାୟୀ ଲୁଣ, ଲଙ୍କା ଗୁଣ୍ଡ, ଧନିଆ ପତ୍ର, କଟା କଞ୍ଚା ଲଙ୍କା ଓ ସୋରିଷ ତେଲ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ୩ ରୁ ୪ଟି କଖାରୁ ପତ୍ରକୁ ଯୋଡ଼ି ସେଥିରେ ମସଲା ଗୋଳା ଛତୁକୁ ରଖି ଭଲ ଭାବେ ବାନ୍ଧି ଦିଅନ୍ତୁ। ହାଲୁକା ନିଆଁ ଥିବା ଚୁଲି ଭିତରେ ବନ୍ଧା ହୋଇଥିବା ଛତୁକୁ ରଖନ୍ତୁ। ଏହା ଉପରେ ଆଉ କିଛି ଅଙ୍ଗାର ନିଆଁ ଦିଅନ୍ତୁ। ୧୦ ରୁ୧୫ ମିନିଟ୍‌ ପରେ ପ୍ରସ୍ତୁତ ହୋଇଯିବ ‘ଛତୁ ପତ୍ର ପୋଡ଼ା’। ଆପଣ ଏହାକୁ ଭାତ କିମ୍ବା ରୁଟି ସହ ଖାଇ ପାରିବେ। ବାଲି ଛତୁ ବାସ୍ନା ଓ ସ୍ବାଦ ଅତ୍ୟନ୍ତ ନିଆରା ହୋଇଥାଏ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: