(EXCLUSIVE)-ପୁସ୍ତକ ମେଳା: ବିରୋଧ ପ୍ରହସନ, ବିଭାଗକୁ ଟାଣ ଖରା

(EXCLUSIVE)-ପୁସ୍ତକ ମେଳା: ବିରୋଧ ପ୍ରହସନ, ବିଭାଗକୁ ଟାଣ ଖରା

ପ୍ରିଜମ ନ୍ୟୁଜ ବ୍ୟୁରୋ(EXCLUSIVE) : ପୁସ୍ତକ ମେଳା ଅକ୍ଷର ଏପ୍ରିଲ୨ରେ ହେବାର ଥିଲା। ଦୀର୍ଘ ଦୁଇ ବର୍ଷ ବ୍ୟବଧାନ ପରେ ଏହି ମହୋତ୍ସବକୁ ନେଇ ରାଜ୍ୟ ତଥା ରାଜ୍ୟ ବାହାରର ପ୍ରକାଶକମାନେ ଖୁସି ଥିବା ବେଳେ ଏହାକୁ ଡିସେମ୍ବରକୁ ଘୁଞ୍ଚାଇ ଦିଅାଯିବା ସେମାନଙ୍କ ଅାଶାରେ ଅାଘାତ ସୃଷ୍ଟି କରିଛି । ଗ୍ରୀଷ୍ମ ପ୍ରବାହ , ଅଂଶୁଘାତ ଓ କାଳବୈଶାଖୀରେ ପୁସ୍ତକ ନଷ୍ଟ ହୋଇଯିବାର ଅାଶଙ୍କା ସହ ବର୍ତ୍ତମାନ ଦର୍ଶକମାନେ ନ ଯିବାର କାରଣ ଦର୍ଶାଇ ଏହାକୁ ବର୍ତ୍ତମାନ ପାଇଁ ବନ୍ଦ କରିଦିଅାଯାଇଛି । ପୂର୍ବରୁ ୪ଟି ପୁସ୍ତକ ମେଳା ହେଉଥିବା ବେଳେ ସରକାର ଗୋଟିଏ ପୁସ୍ତକ ମେଳା ଅାୟୋଜନ ଅାରମ୍ଭ କରିଥିଲେ। ଯାହାକି ୨୦୧୮ ଓ ୨୦୧୯ରେ ଅନୁଷ୍ଠିତ ହୋଇଥିଲା। ପରେ କରୋନାର ଅାଳ ଭିତରେ ବନ୍ଦ ହୋଇଗଲା ଅକ୍ଷର ମହୋତ୍ସବ। ପୁସ୍ତକ ସବୁ ବିଭିନ୍ନ କାରଣରୁ ଖତ ଖାଉଥିବାର ଏହା ମଧ୍ୟ ଏକ ବଡ଼ ସହାୟକ ହେଲା । ରାଜ୍ୟ ସରକାର ଓଡ଼ିଆକୁ କେବଳ କଥାରେ ଗୁରୁତ୍ବ ଦେଉଥିବା ବେଳେ ଓଡ଼ିଆ ଭାଷା, ସଂସ୍କୃତି, ଐତିହ୍ୟ ପ୍ରମୁଖର ବଡ଼ ଅଙ୍ଗ ସାଜିଥିବା ପୁସ୍ତକ ପ୍ରତି ଏଭଳି ଅଣଦେଖା ମନୋଭାବ ପ୍ରକାଶକ, ସାହିତ୍ୟିକ ଓ ପାଠକ ମହଲରେ କଠୋରାଘାତ କରିଛି ।

ଅନ୍ୟପକ୍ଷରେ ଜାତୀୟ ତୋଷାଳି ମେଳା , ଆଦିବାସୀ ମେଳା ଗ୍ରୀଷ୍ମ ପ୍ରବାହ ମଧ୍ଯରେ ସରି ଯାଇଛି। କୋଟି କୋଟି ଟଙ୍କାର ବେପାର ହୋଇଥିବା ବେଳେ ବହୁ ଭିଡ଼ ଦେଖିବାକୁ ମିଳିଥିଲା। ପୁସ୍ତକ ମେଳା ବନ୍ଦ କରିବା ପାଇଁ ଉତ୍କଳ ପ୍ରକାଶକ ଏବଂ ଓଡ଼ିଶା ବହି ବିକ୍ରେତା ନାମକ ଦୁଇ ସଂଘ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କୁ ଚିଠି ଲେଖିଥିଲେ। ଏହା ପରେ ହିଁ ପୁସ୍ତକ ମେଳା ବନ୍ଦ ପାଇଁ ନିର୍ଦ୍ଦେଶ ଆସିଥିଲା। ଏବେ ପ୍ରଶ୍ନ ଆସୁଛି ଏଭଳି ଦୁଇ ସଂସ୍ଥାଙ୍କ ଚିଠିରେ କିଭଳି ପୁସ୍ତକ ମେଳା ବନ୍ଦ ହୋଇଗଲା ନା ଏହା ସରକାରଙ୍କ ଲାଭରେ ସହାୟକ ହେଉନି ବୋଲି ସରକାର ଏଥିପ୍ରତି ଅଣଦେଖା କରୁଛନ୍ତି।

ପୁସ୍ତକ ମେଳା ବନ୍ଦ ହେବା ପରେ ସାମାଜିକ ଗଣମାଧ୍ୟମରେ ବିବାଦ ଏ ଯାଏଁ ଥମିନି। ପୁସ୍ତକ ପ୍ରେମୀ ଓ କିଛି ପ୍ରକାଶକ ପୁସ୍ତକ ମେଳା ବନ୍ଦ ହେବାର ତୀବ୍ର ବିରୋଧ କରିବା ସହ ନିଜର ମତ ଉପସ୍ଥାପନ କରିଛନ୍ତି। ପ୍ରକାଶକ ବାଦଲ ମହାନ୍ତି, ସରୋଜ ବଳ, ଲେଖକ କେଦାର ମିଶ୍ରଙ୍କ ଭଳି ପ୍ରମୁଖ ବ୍ଯକ୍ତି ବିଶେଷ ନିଜର ମତ ଉପସ୍ଥାପନ କରିବା ସହ ସମ୍ବାଦ ପତ୍ର ସମ୍ବାଦର ‘ସାହିତ୍ଯିକ ପାଣିପାଗ’ରେ ଲେଖକ ତଥା ପୌରୁଷର ସମ୍ପାଦକ ଅସିତ ମହାନ୍ତି ପୁସ୍ତକ ମେଳା ବନ୍ଦ ଉପରେ କେତୋଟି ଯୁକ୍ତି ବାଢ଼ିଥିଲେ। କିନ୍ତୁ ଏସବୁର ପ୍ରଭାବ ସୀମିତ ହୋଇ ରହିଗଲା। ବୋଧେ ବିରୋଧୀ ସାଜି ନାମମାତ୍ର ବିରୋଧ କରିବା ଏମାନଙ୍କର ଉଦ୍ଦେଶ୍ଯ ଥିଲା। ଏ ନେଇ ବିଭାଗୀୟ ନିର୍ଦ୍ଦେଶକ ଏହା ସରକାର ଓ ବିଭାଗୀୟ ମନ୍ତ୍ରୀଙ୍କ ନିଷ୍ପତ୍ତି କହି ପ୍ରସଙ୍ଗକୁ ଅଣଦେଖା କରିଛନ୍ତି। ତେବେ ଡିସେମ୍ବରକୁ ଏହି ମେଳା ହେବ ନା ଗତ ୨ବର୍ଷ ଭଳି ବନ୍ଦ ରହିବ ତାହା ଦେଖିବାକୁ ବାକି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: