ବିଜେପି ଖେଳିଲା ମାଷ୍ଟର କାର୍ଡ: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

ବିଜେପି ଖେଳିଲା ମାଷ୍ଟର କାର୍ଡ: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଆସନ୍ତା ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଦିବାସୀ ଓ ମହିଳା କାର୍ଡ ଖେଳିଛି ବିଜେପି। ଏନଡିଏ ମେଣ୍ଟ ପକ୍ଷରୁ ଓଡ଼ିଶାର ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଚୟନ କରାଯାଇଛି। ତାଙ୍କର ସିଧାସଳଖ ଲଢ଼େଇ ବିରୋଧୀ ମେଣ୍ଟର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ସହ ହେବ। ଆସନ୍ତା ୨୫ ତାରିଖରେ ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି।ବିଜେପି ନେତୃତ୍ୱାଧୀନ ଏନଡିଏ ପାଖରେ ପ୍ରାୟତଃ ନିର୍ବାଚନ ଜିତିବାକୁ ସଂଖ୍ୟା ଥିବାରୁ ୬୪ ବର୍ଷୀୟ ଶ୍ରୀମତୀ ମୁର୍ମୁ ହିଁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବା ଏକ ପ୍ରକାରର ନିଶ୍ଚିତ ହୋଇଛି। ଯଦି ମୁର୍ମୁ ଜିତନ୍ତି, ତା’ହେଲେ ସେ ପ୍ରଥମ ଓଡ଼ିଆ ଭାବେ ରାଷ୍ଟ୍ରପତି ହେବେ।

ସେହିପରି ଦେଶର ଦ୍ୱିତୀୟ ମହିଳା ରାଷ୍ଟ୍ରପତି ହେବାର କୀର୍ତ୍ତିମାନ ସୃଷ୍ଟି କରିବେ। ମୁର୍ମୁଙ୍କ ପୂର୍ବରୁ ପ୍ରତିଭା ପାଟିଲ ଦେଶର ପ୍ରଥମ ରାଷ୍ଟ୍ରପତି ହୋଇଥିଲେ।ଶ୍ରୀମତି ମୁର୍ମୁ ବିଜେପି ନେତୃତ୍ୱାଧୀନ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହେବା ପୂର୍ବରୁ ପ୍ରଥମ ମହିଳା ଭାବେ ଝାରଖଣ୍ଡର ରାଜ୍ୟପାଳ ହୋଇଥିଲେ। ୨୦୧୫ରୁ ୨୦୨୧ ଯାଏ ସେ ରାଜ୍ୟପାଳ ଭାବେ କାମ କରିଥିଲେ।ବିଜେଡି-ବିଜେପି ମେଣ୍ଟ ସରକାର ବେଳେ ସେ ଓଡ଼ିଶାରେ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରୁ ଦ୍ରୌପଦୀ ମୁର୍ମୁ ଦୁଇ ଥର(୨୦୦୦ ଓ ୨୦୦୪) ବିଧାନସଭାକୁ ନିର୍ବାଚିତ ହୋଇଥିଲେ।ରାଷ୍ଟ୍ରପତି ପଦ ପାଇଁ ଦୌଡ଼ରେ ଓଡ଼ିଶାର ଜୁଏଲ ଓରାମଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ଥିଲା।

ସେହିପରି ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁ ଓ କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବ୍ବାସ ନକବୀଙ୍କ ନାଁ ମଧ୍ୟ ଦୌଡ଼ରେ ରହିଥିଲା। କିନ୍ତୁ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣି ଆଜି ସନ୍ଧ୍ୟାରେ ଦଳର ବରିଷ୍ଠ ନେତା ଦ୍ରୌପଦୀ ମୁର୍ମୁଙ୍କ ନାଁ ଉପରେ ମୋହର ମାରିଛନ୍ତି।ଶ୍ରୀମତୀ ମୁର୍ମୁଙ୍କ ନାଁ ଘୋଷଣା ପୂର୍ବରୁ ଆଜି ସନ୍ଧ୍ୟାରେ ବିଜେପିର ସଂସଦୀୟ ବୋର୍ଡର ବୈଠକ ବସିଥିଲା। ଏହି ବୈଠକରେ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ୨୦ ଜଣ ନେତାଙ୍କ ନାଁ ବିଚାରକୁ ନିଆଯାଇଥିଲା। ଶେଷରେ ପୂର୍ବ ଭାରତରୁ ଜଣେ ଆଦିବାସୀ ଓ ମହିଳାଙ୍କୁ ବାଛିବାକୁ ବୋର୍ଡ ସହମତି ପ୍ରକାଶ କରିଥିଲା। ଶେଷରେ ସର୍ବସମ୍ମତିକ୍ରମେ ଦ୍ରୌପଦୀ ମୁର୍ମୁଙ୍କ ନାଁକୁ ରାଷ୍ଟ୍ରପତି ପ୍ରାର୍ଥୀ ଚୟନ କରାଯାଇଥିବା ଶ୍ରୀ ନଡ୍ଡା କହିଛନ୍ତି।ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ଦ୍ରୌପଦୀ ମୁର୍ମୁ କହିଛନ୍ତି, “ଟିଭିରୁ ମୋ ନାଁ ଶୁଣି ଆଶ୍ଚର୍ଯ୍ୟ ହେଲି ଓ ମୋତେ ଖୁସି ବି ଲାଗିଲା। ଜଣେ ଆଦିବାସୀ ମହିଳାଙ୍କୁ ପ୍ରାର୍ଥୀ କରି ବିଜେପି ତାର ନୀତି ସ୍ପଷ୍ଟ କରିଛି। ବିଜେପି ତାର ସବକା ସାଥ୍, ସବକା ବିକାଶର ନାରାକୁ କାର୍ଯ୍ୟରେ କରି ଦେଖାଇଛି। ରାଷ୍ଟ୍ରପତି ପଦ ବଡ଼ ଦାୟିତ୍ୱ। ସମସ୍ତଙ୍କ ସହଯୋଗ କାମନା କରୁଛି।

୨୦୨୧ ମସିହା ପରଠୁ ରାଜନୀତିକ କାର୍ଯ୍ୟକ୍ରମ ଠାରୁ ଦୂରରେ ଅଛି। ରାଜନୀତିଠୁ ଦୂରରେ ରହି ଦେଶ ପାଇଁ କାମ କରିବି। ରାଷ୍ଟ୍ରପତି ଏକ ସାମ୍ବିଧାନିକ ପଦ। ତାର ଗରିମା ରକ୍ଷା କରିବି।”

0 Comments

Leave Your Comment

Your email address will not be published. Required fields are marked *

%d bloggers like this: