ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା: CBI ତଦନ୍ତ ଦାବି କଲେ ପରିବାର ଲୋକେ

ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା: CBI ତଦନ୍ତ ଦାବି କଲେ ପରିବାର ଲୋକେ

ପ୍ରିଜମ ନ୍ୟୁଜ ବ୍ୟୁରୋ: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ ସହ ନ୍ୟାୟ ଦାବି ନେଇ ବଢୁଛି ପ୍ରତିବାଦ। ଝିଅ ପାଇଁ ନ୍ୟାୟ ଦାବିରେ ରାତିସାରା ଧାରଣା ଦେଲେ ବାପା ଓ ମା’। ୩ ସିନିୟରଙ୍କୁ ଗିରଫ କରିବା ପାଇଁ ଜୋର ଧରିଚି ଦାବି। ବିଜେବି କଲେଜ ମୁଖ୍ୟ ଫାଟକ ସାମ୍ନାରେ ରୁଚିକାଙ୍କ ମା’ ବାପା ରବିବାରଠାରୁ ଧାରଣା ଦେଇ ଆସୁଛନ୍ତି। ରୁଚିକା ସୁଇସାଇଡାଲ୍ ନୋଟ୍ ରେ ଲେଖା ଥିବା ତିନି ସିନିୟର ଛାତ୍ରୀଙ୍କୁ ତୁରନ୍ତ ଗିରଫ କରିବା ସହ କଲେଜରୁ ବହିସ୍କାର କରିବାକୁ ଦାବି କରିଛନ୍ତି ମୃତ ଛାତ୍ରୀଙ୍କ ମା’ । ସେହିପରି ସମ୍ପୂର୍ଣ୍ଣ ଘଟଣାର ସିବିଆଇ ତଦନ୍ତ ହେଉ ବୋଲି ଦାବି କରିଛନ୍ତି ରୁଚିକାଙ୍କ ପରିବାର ଲୋକେ। କଲେଜ୍ କର୍ତ୍ତୃପକ୍ଷଙ୍କ ନିରବତାକୁ କଡ଼ା ନିନ୍ଦା କରିଛନ୍ତି । ଯେ ପର୍ଯ୍ୟନ୍ତ ତାଙ୍କ ଦାବି ପୂରଣ ନହୋଇଛି ଓ ତାଙ୍କ ଝିଅକୁ ନ୍ୟାୟ ନମିଳିଛି ସେପର୍ଯ୍ୟନ୍ତ ଧାରଣାରେ ବସି ରହିବେ ବୋଲି କହିଛନ୍ତି ରୁଚିକାଙ୍କ ମା’ବାପା। ତାଙ୍କ ସହ ଧାରଣାରେ ଆଉ କିଛି ସାମାଜିକ ସଂଗଠନର କର୍ମୀମାନେ ମଧ୍ୟ ସମାନ ଦାବି ନେଇ ଧାରଣାରେ ବସିଛନ୍ତି।

ଏହାସହ ଆଜି ଆସିବ ମୃତ ଛାତ୍ରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ । ଯାହାଦ୍ଵାରା ମୃତ୍ୟୁର କାରଣ ଅଧିକ ସ୍ପଷ୍ଟ ହୋଇପାରିବ। ଛାତ୍ରୀଙ୍କ ଭିସେରା SFSL କୁ ପରୀକ୍ଷା ପାଇଁ ପଠାଯିବ । ଶରୀରରେ ବିଷକ୍ରିୟା ଅଛି କି ନାହିଁ ଭିସେରା ରିପୋର୍ଟ ଆସିବା ପରେ ଜଣାପଡିବ ।ଅନ୍ୟପକ୍ଷରେ ଏସିପିଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯାଇ ଘଟଣାର ତଦନ୍ତ କରାଯାଉଛି। ସେ ରହୁଥିବା ହଷ୍ଟେଲର ୨୦୧ ନମ୍ବର ରୁମରେ ତନାଘନା କରିଛି ପୋଲିସ । ଏହାସହ ରୁଚିକାଙ୍କ ରୁମମେଟ୍‌ ଓ ଓ୍ଵାର୍ଡେନଙ୍କୁ ପଚରାଉଚରା କରାଯାଇଛି । ହଷ୍ଟେଲର ୧୩୪ ଜଣ ସିନିଅର ଛାତ୍ରୀଙ୍କର ଆଇପିସିର ଧାରା ୧୬୧ରେ ବୟାନ ରେକର୍ଡ କରାଯାଇଛି ।କାହା ଚାପରେ ଆତ୍ମହତ୍ୟାର ବାଟ ବାଛିନେଲେ ରୁଚିକା ? ସୁଇସାଇଡ୍‌ ନୋଟରେ ରୁଚିକା ଲେଖିଥିବା ସେହି ୩ ସିନିଅର ଛାତ୍ରୀ କିଏ ? କାହିଁକି ସେମାନେ ରୁଚିକାଙ୍କୁ ନିର୍ଯାତନା ଦେଉଥିଲେ ? ଏଥିରେ ଆଉ କେହି ସାମିଲ ଅଛନ୍ତି କି? ରୁଚିକାଙ୍କୁ ନିର୍ଯାତନା ବାବଦରେ ଓ୍ଵାର୍ଡେନ କିଛି ଜାଣି ଥିଲେ କି ନାହିଁ? ଆଦି ପ୍ରଶ୍ନର ଉତ୍ତର ଜାଣିବା ପାଇଁ ତଦନ୍ତ ଚଳାଇଛି ପୋଲିସ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: